ନାବାଳିକା ଅସଦାଚରଣ ଅଭିଯୋଗକୁ ନେଇ ପୋଲିସ-ଜନତା ଖଣ୍ଡଯୁଦ୍ଧ, ୩୮ ଜଣ ଗିରଫ
ବାରିପଦା (ସଂକେତ ଟିଭି): ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ବହଳଦା ବ୍ଲକର ବିଞ୍ଝୁଆ ଗ୍ରାମ ଗୁରୁବାର ଦିନ ଏକ ରଣକ୍ଷେତ୍ରରେ ପରିଣତ ହୋଇଥିଲା। ଜଣେ ସଂଖ୍ୟାଲଘୁ ଯୁବକ ଜଣେ ଆଦିବାସୀ ନାବାଳିକାକୁ ଅସଦାଚରଣ ଉଦ୍ୟମ କରିବାରୁ ତାଙ୍କ ସମ୍ପର୍କୀୟ ଓ ଗ୍ରାମବାସୀମାନେ ଉତ୍ତ୍ୟକ୍ତ ହୋଇ ଏଭଳି ଲଙ୍କାକାଣ୍ଡ ସୃଷ୍ଟି କରିଥିଲେ। ପରବର୍ତ୍ତୀ ସମୟରେ ଏହି ବିକ୍ଷୋଭ ପୁଲିସ୍ ଓ ଜନତାଙ୍କ ମଧ୍ୟରେ ଭୟଙ୍କର ଖଣ୍ଡଯୁଦ୍ଧର ରୂପ ନେଇଥିଲା। ଆକ୍ରୋଶ ଚରମସୀମାରେ ପହଞ୍ଚିବା ପରେ ବିକ୍ଷୋଭକାରୀମାନେ ପୁଲିସ୍ ଉପରେ ଠେଙ୍ଗା ବାଡ଼ି ଓ ଢେଲାମାଡ଼ କରି ୧୨ ଜଣଙ୍କୁ ଗୁରୁତର ଭାବେ ଆହତ କରିଦେଇଥିଲେ। ହାତରେ ଲାଠି ଓ ଦେହରେ ସୁରକ୍ଷା ଜ୍ୟାକେଟ୍ ଥାଇ ମଧ୍ୟ ପୁଲିସ୍ ନାକେଦମ୍ ହୋଇଯାଇଥିଲା।
ପ୍ରାପ୍ତ ସୂଚନା ଅନୁଯାୟୀ, ବିଶୋଇ ଥାନା ଅନ୍ତର୍ଗତ ମହୁଭଣ୍ଡାର ନିକଟସ୍ଥ ବାଉତିବେଡ଼ା ଗ୍ରାମର ମେଘ୍ରାୟ ବାସ୍କେଙ୍କ ନାବାଳିକା ଝିଅ ବାହାପର୍ବ ଅବସରରେ ନିଜ ମାମୁଁ ଘର ସନାପୋଷି ଗ୍ରାମର ପଡ଼ାଗ୍ରାମ ଇଚାଘୁଟୁକୁ ଆସିଥିଲେ। ଗୁରୁବାର ଅପରାହ୍ନ ପ୍ରାୟ ୫ଟା ସମୟରେ ସେ ବିଞ୍ଝୁଆ ଗ୍ରାମସ୍ଥିତ ଜନସେବା କେନ୍ଦ୍ରରୁ ଆଧାର ଯୋଗେ ଟଙ୍କା କାଢ଼ି ଫେରୁଥିଲେ। ଏହି ସମୟରେ ଗାଁ ମୁଣ୍ଡରେ ଥିବା ସ୍କୁଲ ନିକଟରେ ବିଞ୍ଝୁଆ ଗ୍ରାମର ସଂଖ୍ୟାଲଘୁ ସମ୍ପ୍ରଦାୟର ସେକ୍ ଇସମାଇଲଙ୍କ ପୁଅ ସେକ୍ ଛୋଟୁ ନାବାଳିକାଟିକୁ ଅସଦାଚରଣ କରିଥିଲା। ନାବାଳିକା ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଦୌଡ଼ି ଆସିବାରୁ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲା। ଖବର ପାଇ ଉତ୍ତ୍ୟକ୍ତ ଗ୍ରାମବାସୀ ଅଭିଯୁକ୍ତଙ୍କ ଘରେ ପହଞ୍ଚି ଗଣ୍ଡଗୋଳ ଆରମ୍ଭ କରିଦେଇଥିଲେ।
ଘଟଣାସ୍ଥଳରେ ରାତିସାରା ଉତ୍ତେଜନା ଲାଗି ରହିଥିଲା। ରାଇରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଯଦୁନାଥ ଜେନା ଓ ଏସଡିପିଓ ବିରେନ୍ଦ୍ର କୁମାର ସେନାପତିଙ୍କ ସମେତ ବହୁ ସଂଖ୍ୟକ ପୁଲିସ୍ ବଳ ସେଠାରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରିଥିଲେ। ତେବେ ଶୁକ୍ରବାର ସକାଳ ସୁଦ୍ଧା କୌଣସି ସମାଧାନ ହୋଇପାରି ନ ଥିଲା। ଫଳରେ ଉତ୍ତ୍ୟକ୍ତ ଗ୍ରାମବାସୀ ବହଳଦା ମୁର୍ମୁ ଛକଠାରେ ୨୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଥିବା ସୂଚନା ଦେଇଥିଲେ ମଧ୍ୟ ବିକ୍ଷୋଭକାରୀମାନେ ଅଭିଯୁକ୍ତକୁ ଘଟଣାସ୍ଥଳରେ ହାଜର କରାଇବା ଦାବିରେ ଅଟଳ ଥିଲେ।
ଏହାପରେ ପୁଲିସ୍ ଭିଡ଼କୁ ହଟାଇବା ପାଇଁ ଲାଠିଚାଳନା କରିବାରୁ ପରିସ୍ଥିତି ହିଂସାତ୍ମକ ରୂପ ନେଇଥିଲା। ଉତ୍ତ୍ୟକ୍ତ ଲୋକେ ସଙ୍ଘବଦ୍ଧ ଭାବେ ପୁଲିସ୍ ବଳ ଉପରେ ଢେଲାମାଡ଼ ଓ ଠେଙ୍ଗାରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଜଣେ ଅଧିକାରୀଙ୍କ ସମେତ ମୋଟ ୧୨ ଜଣ ପୁଲିସ୍ କର୍ମଚାରୀ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଏହାସହ ଉତ୍ତ୍ୟକ୍ତ ଜନତା ବହଳଦା ତହସିଲଦାରଙ୍କ ଗାଡ଼ିକୁ ଭଙ୍ଗାରୁଜା କରି ଓଲଟାଇ ଦେଇଥିଲେ। ପରିସ୍ଥିତି ଏତେ ଭୟଙ୍କର ଥିଲା ଯେ ଲୋକେ ପୁଲିସ୍କୁ ଗୋଡ଼ାଇ ଗୋଡ଼ାଇ ପିଟୁଥିବାର ଦୃଶ୍ୟ ସମସ୍ତଙ୍କୁ ଭୟଭୀତ କରିଦେଇଥିଲା।
ପୁଲିସ୍ ବଳ ଛତ୍ରଭଙ୍ଗ ଦେଇଥିଲେ ମଧ୍ୟ ପରେ ମୟୂରଭଞ୍ଜ ଅତିରିକ୍ତ ଏସପି ଦୀପକ କୁମାର ଗୋଚ୍ଛାୟତ ଘଟଣାସ୍ଥଳରେ ପହଞ୍ଚି ଅଧିକ ୨ ପ୍ଲାଟୁନ୍ ପୁଲିସ୍ ବଳ ଡକାଇଥିଲେ। ପରେ ବିଜେଡିର ପୂର୍ବତନ ସଭାପତି କାଶିନାଥ ହେମ୍ବ୍ରମ ପୁଲିସ୍ ଅଧିକାରୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା କରି ସମାଧାନର ବାଟ ବାହାର କରିଥିଲେ। ଏହି ଘଟଣାରେ ପୀଡ଼ିତା ନାବାଳିକାଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା ଏବଂ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଲୋଚନା ପରେ ବିକ୍ଷୋଭକାରୀମାନେ ରାସ୍ତା ଅବରୋଧ ହଟାଇ ନେଇଥିଲେ।
ଏହାପରେ ପୁଲିସ୍ ବିଞ୍ଝୁଆ ଗ୍ରାମରେ ଫ୍ଲାଗମାର୍ଚ୍ଚ କରିବା ସହ ପୁଲିସ୍ ଉପରେ ଆକ୍ରମଣ, ରାସ୍ତା ଅବରୋଧ ଏବଂ ରାଜସ୍ୱ ଅଧିକାରୀଙ୍କ ଗାଡ଼ି ଭଙ୍ଗାରୁଜା ଅଭିଯୋଗରେ ୩୮ ଜଣଙ୍କୁ ଗିରଫ କରିଛି। ଏନେଇ ବହଳଦା ଥାନାରେ ୪୦/୨୦୨୪ ନମ୍ବରରେ ମାମଲା ରୁଜୁ କରାଯାଇଛି।
