ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡୁ ଓ ପୁଡୁଚେରୀରେ ନିର୍ବାଚନ ତାରିଖ ଘୋଷଣା
ନୂଆଦିଲ୍ଲୀ (ସଂକେତ ଟିଭି): ସବୁ କଳ୍ପନାଜଳ୍ପନାର ଘଟିଲା ଅନ୍ତ। ଆସିଲା ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ବିଧାନସଭା ନିର୍ବାଚନ ତାରିଖ। ରବିବାର ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଏହି ଚାରି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଭୋଟର ତାଲିକାରେ ବଡ଼ ଆକାରରେ ପରିବର୍ତ୍ତନ କାମ ପୂର୍ବରୁ ସରିଛି ଏବଂ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ ହୋଇସାରିଛି।
ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ ପଶ୍ଚିମବଙ୍ଗରେ ଏପ୍ରିଲ ୨୩ ଏବଂ ୨୯ରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବ। ସେହିଭଳି ଆସାମ, କେରଳ ଏବଂ ପୁଡୁଚେରୀରେ ଏପ୍ରିଲ ୯ ଏବଂ ତାମିଲନାଡୁରେ ଏପ୍ରିଲ ୨୩ରେ ମତଦାନ ହେବ। ତେବେ ସବୁ ୪ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟ ଗଣତି ମେ ୪ରେ ହେବ।
ନିର୍ବାଚନ ତାରିଖ ଘୋଷଣା କରି ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାର କହିଛନ୍ତି, ଏସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ ୮୨୪ ବିଧାନସଭା ସିଟ୍ ରହିଥିବା ବେଳେ ୧୭.୪ କୋଟି ମତଦାତା ଅଛନ୍ତି।
ସେହିଭଳି ଗୋଆ, ଗୁଜରାଟ, କର୍ଣ୍ଣାଟକ, ମହାରାଷ୍ଟ୍ର, ନାଗାଲ୍ୟାଣ୍ଡ ଏବଂ ତ୍ରିପୁରାରେ ଉପନିର୍ବାଚନ ଏପ୍ରିଲ ୯ ଏବଂ ୨୩ରେ ହେବ। ଏପ୍ରିଲ ୯ରେ ଗୋଆ, କର୍ଣ୍ଣାଟକ, ନାଗାଲ୍ୟାଣ୍ଡ ଏବଂ ତ୍ରିପୁରାରେ ଉପନିର୍ବାଚନ ହେବାକୁ ଥିବାବେଳେ ଏପ୍ରିଲ ୨୩ରେ ମହାରାଷ୍ଟ୍ର ଏବଂ ଗୁଜରାଟରେ ଉପନିର୍ବାଚନ ହେବ।
ପଶ୍ଚିମବଙ୍ଗରେ ଦ୍ଵିପର୍ଯ୍ୟାୟ ନିର୍ବାଚନ
ପଶ୍ଚିମବଙ୍ଗରେ ଏପ୍ରିଲ ୨୩ ଏବଂ ୨୯ରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ସେହିଭଳି ଭୋଟଗଣତି ମେ ୪ରେ ହେବ। ପଶ୍ଚିମବଙ୍ଗରେ ବିଧାନସଭା ଆସନ ସଂଖ୍ୟା ୨୯୪ ରହିଥିବା ବେଳେ, ପ୍ରଥମ ପର୍ଯ୍ୟାୟରେ ୧୫୨ଟି ଆସନ ପାଇଁ ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ୧୪୨ଟି ଆସନ ପାଇଁ ମତଦାନ ହେବ। ଏଠାରେ ତୃଣମୂଳ କଂଗ୍ରେସ (ଟିଏମସି) ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ ଜୋରଦାର ଫାଇଟ ଦେଖିବାକୁ ମିଳିବ। ମମତା ବାନାର୍ଜୀଙ୍କ ନେତୃତ୍ଵାଧୀନ ଟିଏମସି ୨୦୧୧ ମସିହାରୁ ରାଜ୍ୟରେ ଶାସନ କରିଆସୁଛି।
ଆସାମରେ ଏକକ ପର୍ଯ୍ୟାୟ ମତଦାନ
ଆସାମରେ ଗୋଟିଏ ପର୍ଯ୍ୟାୟରେ ଏପ୍ରିଲ ୯ରେ ହେବ ଭୋଟ। ଏଠାରେ ବର୍ତ୍ତମାନର ବିଜେପି ନେତୃତ୍ଵାଧୀନ ଏନଡିଏ ସରକାର ଏବଂ କଂଗ୍ରେସ, ୧୨୬ ବିଧାନସଭା ଆସନ ପାଇଁ ପ୍ରତିଦ୍ଵନ୍ଦ୍ଵିତା କରିବେ। ଭୋଟ ଗଣତି ମେ ୪ ତାରିଖରେ ହେବ।
କେରଳରେ ତ୍ରିମୁଖୀ ଲଢେ଼ଇ
କେରଳରେ ଏପ୍ରିଲ ୯ରେ ଭୋଟ ଗ୍ରହଣ ହେବ। ରାଜ୍ୟର ୧୪୦ଟି ବିଧାନସଭା ଆସନ ପାଇଁ LDF ଏବଂ UDF ମଧ୍ୟରେ ମୁଖ୍ୟ ଲଢ଼େଇ ହେବ। ବିଜେପି ନେତୃତ୍ଵାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ମଧ୍ୟ ପ୍ରାୟ ୧୦୦ଟି ଆସନ ଜିତିବା ଲକ୍ଷ୍ୟରେ ପ୍ରତିଦ୍ଵନ୍ଦ୍ଵିତା କରୁଛି ଏବଂ ଏହାର ସହଯୋଗୀ ଦଳ, ଭାରତ ଧର୍ମ ଜନ ସେନା (BDJS) ଏବଂ ଟ୍ଵେଣ୍ଟି୨୦ ମେଣ୍ଟ ଅନ୍ୟ ୪୦ଟି ଆସନରେ ପ୍ରତିଦ୍ଵନ୍ଦ୍ଵିତା କରୁଛନ୍ତି। ଏଠାରେ ମଧ୍ୟ ଭୋଟ୍ ଗଣତି ମେ ୪ ତାରିଖରେ ହେବ।
ତାମିଲନାଡୁ ଓ ପୁଡୁଚେରୀର ନିର୍ବାଚନ କାର୍ଯ୍ୟସୂଚୀ
ତାମିଲନାଡୁର ୨୩୪ଟି ବିଧାନସଭା ଆସନ ପାଇଁ ପ୍ରଚାର ଜୋରଦାର ହୋଇଛି ଏବଂ ଦଳଗୁଡ଼ିକ ସେମାନଙ୍କର ମେଣ୍ଟ ମଧ୍ୟରେ ଆସନ ବଣ୍ଟନ ବ୍ୟବସ୍ଥାକୁ ଚୂଡ଼ାନ୍ତ କରୁଛନ୍ତି। ତାମିଲନାଡୁରେ ଏପ୍ରିଲ ୨୩ରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ଏବଂ ମେ ୪ରେ ଗଣତି ହେବ।
ପୁଡୁଚେରୀ ଏହାର ଷୋଡ଼ଶ ବିଧାନସଭାର ସମସ୍ତ ୩୦ଟି ନିର୍ବାଚନମଣ୍ଡଳୀ ପାଇଁ ନିର୍ବାଚନ କରିବ। ଏଠାରେ କଂଗ୍ରେସ, ଡିଏମକେ ଏବଂ ସିପିଆଇ ସହିତ ମେଣ୍ଟ କରି ନିର୍ବାଚନ ଲଢ଼ୁଛି। ସେହିଭଳି ଦଳରେ ଅଖିଳ ଭାରତୀୟ ଏନଆର କଂଗ୍ରେସ, ବିଜେପି ଏବଂ ଏଆଇଏଡିଏମକେ ପ୍ରମୁଖ ଅଛନ୍ତି। ପୁଡୁଚେରୀରେ ଭୋଟିଂ ଏପ୍ରିଲ ୯ରେ ହେବ ଏବଂ ଭୋଟ ଗଣତି ମେ ୪ରେ ହେବ।
