FeaturedHealthLatestNews

କଟକ ଏସସିବି ମେଡିକାଲରେ ଭୟାବହ ଅଗ୍ନିକାଣ୍ଡ: ୧୦ ରୋଗୀଙ୍କ ମୃତ୍ୟୁ

କଟକ(ସଂକେତ ଟିଭି): ରାଜ୍ୟର ସବୁଠାରୁ ବଡ଼ ଚିକିତ୍ସା ମହାବିଦ୍ୟାଳୟ କଟକ ଏସସିବି ମେଡିକାଲରେ ଏକ ଅଶୁଭ ସୋମବାର ଦେଖାଦେଇଛି। ଏଠାକାର ଟ୍ରମା କେୟାର ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୦ ଜଣ ନୀରିହ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହି ଅଗ୍ନିକାଣ୍ଡରେ ଅନେକ ଲୋକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

ରବିବାର ବିଳମ୍ବିତ ରାତିରେ ହଠାତ୍ ଟ୍ରମା କେୟାର ସେଣ୍ଟରରେ ନିଆଁ ଲାଗିଥିଲା। ମୁହୂର୍ତ୍ତକ ଭିତରେ ନିଆଁ ଚାରିଆଡ଼େ ବ୍ୟାପିଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାର ପ୍ରୟାସ ଆରମ୍ଭ କରିଥିଲେ। ଦୀର୍ଘ ସମୟର ପରିଶ୍ରମ ପରେ ଅଗ୍ନିକାଣ୍ଡ ଭିତରୁ କିଛି ଲୋକଙ୍କୁ ଉଦ୍ଧାର କରାଯାଇଥିଲା, କିନ୍ତୁ ସେତେବେଳକୁ ୧୦ ଜଣଙ୍କର ମୃତ୍ୟୁ ଘଟିସାରିଥିଲା। ସମସ୍ତ ଗୁରୁତରଙ୍କୁ ଏସସିବି ମେଡିକାଲରୁ ଉଦ୍ଧାର କରି ନିକଟସ୍ଥ କ୍ୟାପିଟାଲ ହସ୍ପିଟାଲ ସମେତ ବିଭିନ୍ନ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥାଇପାରେ।

ଏହି ଦୁଃଖଦ ଘଟଣା ସମ୍ପର୍କରେ ଜାଣିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବରିଷ୍ଠ ଅଧିକାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ତଦାରଖ କରିଥିଲେ। ସେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଭେଟି ସମବେଦନା ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆହତମାନଙ୍କ ପାଇଁ ଉନ୍ନତ ଚିକିତ୍ସା ଯୋଗାଇଦେବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ମୃତକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ (ସିଏମ୍ଆର୍ଏଫ୍) ରୁ ୨୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି, “ଏସସିବି ମେଡିକାଲ ଟ୍ରମା କେୟାର ଆଇସିୟୁରେ ଘଟିଥିବା ଦୁଃଖଦ ଅଗ୍ନିକାଣ୍ଡରେ ମୁଁ ଗଭୀର ଦୁଃଖିତ। ମୁଁ ଏହାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି। ଅନ୍ୟ ରୋଗୀମାନଙ୍କୁ ତୁରନ୍ତ ଉପଯୁକ୍ତ ସ୍ଥାନକୁ ସ୍ଥାନାନ୍ତରିତ କରି ଚିକିତ୍ସା ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।”

ଏହି ଅଗ୍ନିକାଣ୍ଡ ଘଟଣାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି। ସେ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇବା ସହ ଗୁରୁତରଙ୍କ ଆରୋଗ୍ୟ କାମନା କରିଛନ୍ତି। ନବୀନ ପଟ୍ଟନାୟକ କଟକ ମେୟର ଏବଂ ଟାଙ୍ଗୀ ଚୌଦ୍ୱାର ବିଧାୟକଙ୍କୁ ଘଟଣାସ୍ଥଳରେ ପହଞ୍ଚି ସହାୟତା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ, ସେ ନିଜେ ମଧ୍ୟ ଏସସିବି ମେଡିକାଲ ଯାଇ ଆହତଙ୍କୁ ଭେଟିଛନ୍ତି। ପୋଲିସ କମିଶନର ଏହି ଅଭାବନୀୟ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି।