FeaturedGeneralLatest

ଏଲପିଜି ସିଲିଣ୍ଡର କଳାବଜାରୀ ବିରୋଧରେ କେନ୍ଦ୍ରର କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ(ସଂକେତ ଟିଭି): ପଶ୍ଚିମ ଏସିଆ ସଙ୍କଟ ମଧ୍ୟରେ ଘରୋଇ ରୋଷେଇ ଗ୍ୟାସ (ଏଲପିଜି) ଯୋଗାଣକୁ ସୁରୁଖୁରୁରେ ଚାଲୁ ରଖିବା ଏବଂ ଅବୈଧ ମହଜୁଦ ଏବଂ କଳାବଜାରୀ ରୋକିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ସତର୍କତା ତୀବ୍ର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଆନ୍ତଃମନ୍ତ୍ରାଳୟ ପ୍ରେସ୍ ବ୍ରିଫିଂରେ ଏହି ସୂଚନା ଦେଇଛନ୍ତି।

ଶ୍ରୀମତୀ ଶର୍ମା କହିଛନ୍ତି ଯେ ଦେଶରେ ଏଲପିଜି ଯୋଗାଣ ସ୍ୱାଭାବିକ ଅଛି। ଗତକାଲି ସୁଦ୍ଧା ୫୬ ଲକ୍ଷ ବୁକିଂ ହୋଇଥିବା ବେଳେ ୫୫ ଲକ୍ଷ ସିଲିଣ୍ଡର ଯୋଗାଇ ଦିଆଯାଇଛି। “ଏଲପିଜି ଯୋଗାଣ ସ୍ତର ସମାନ ରହିଛି, ତେଣୁ ବଣ୍ଟନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଆବଶ୍ୟକ। ଏଥିପାଇଁ ରାଜ୍ୟ ସରକାରଙ୍କୁ ଆବଶ୍ୟକୀୟ କାର୍ଯ୍ୟ କରିବାକୁ କୁହାଯାଇଛି। ଘରୋଇ ବ୍ୟବହାର ଆମର ପ୍ରାଥମିକତା,” ବୋଲି ସେ କହିଛନ୍ତି।

ବାଣିଜ୍ୟିକ ଏଲପିଜି କ୍ଷେତ୍ରରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅତିରିକ୍ତ ୧୦ ପ୍ରତିଶତ (10%) ଆବଣ୍ଟନ ପ୍ରଦାନ କରାଯାଇଛି। ଯଦି ସେମାନେ ଗ୍ରାହକମାନଙ୍କୁ ଏଲପିଜିରୁ ପାଇପ୍ ପ୍ରାକୃତିକ ଗ୍ୟାସ୍ (ପିଏନଜି)କୁ ପରିବର୍ତ୍ତନ କରିବାରେ ସାହାଯ୍ୟ କରିପାରିବେ, ତେବେ ଏହି ଅତିରିକ୍ତ ଆବଣ୍ଟନ ସେମାନଙ୍କୁ ପ୍ରଦାନ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଶ୍ରୀମତୀ ଶର୍ମା କହିଛନ୍ତି ଯେ ଆତଙ୍କିତ ବୁକିଂରେ ହ୍ରାସ ଘଟିଲେବି ବିତରକ କାର୍ଯ୍ୟାଳୟଗୁଡ଼ିକରେ ଲୋକଙ୍କ ଧାଡ଼ି ଲାଗି ରହିଛି। ସେ ନାଗରିକମାନଙ୍କୁ ଅନଲାଇନରେ ବୁକିଂ କରି ଘରେ ଡେଲିଭରି ପାଇଁ ଅପେକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି। ଏପର୍ଯ୍ୟନ୍ତ ୯୫ ପ୍ରତିଶତ ଅନଲାଇନ୍ ବୁକିଂ ହୋଇଥିବା ବେଳେ ୮୩ ପ୍ରତିଶତ ରିଫିଲ୍ ଡେଲିଭରି ହୋଇସାରିଥିବା ତଥ୍ୟ ଦେଇଛନ୍ତି।

ରାଜ୍ୟ ସରକାରଙ୍କୁ କଳାବଜାରୀ ଏବଂ ଅବୈଧ ମହଜୁଦକାରୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି। ଏହି ଦିଗରେ ଗତକାଲି ଦେଶବ୍ୟାପୀ ମୋଟ୍ ୬,୦୦୦ ଚଢ଼ାଉ କରାଯାଇଥିଲା। ଉତ୍ତରପ୍ରଦେଶରେ ୧,୧୦୦ ଚଢ଼ାଉ କରାଯାଇ ୧,୦୦୦ ସିଲିଣ୍ଡର ଜବତ କରାଯାଇଥିବା ବେଳେ ମଧ୍ୟପ୍ରଦେଶରେ ୧,୬୩୨ ଚଢ଼ାଉ କରାଯାଇ ୨୫୦ ସିଲିଣ୍ଡର ଜବତ କରାଯାଇଛି।

ସେହିପରି, ବୈଦେଶିକ ମନ୍ତ୍ରଣାଳୟ (ଏମଇଏ) ଅତିରିକ୍ତ ସଚିବ (ଗଲ୍ଫ) ଆସିମ ଆର୍ ମହାଜନ ଶୁକ୍ରବାର ଦିନ କହିଛନ୍ତି ଯେ ୧୨ ମାର୍ଚ୍ଚରେ ଇରାକର ବାସରା ନିକଟରେ ହୋଇଥିବା ରକେଟ୍ ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବା ତୈଳ ଟ୍ୟାଙ୍କର MT ସେଫସିଆ ବିଷ୍ଣୁରେ ଥିବା ୧୫୦ ଜଣ ଭାରତୀୟ କ୍ରୁ ସଦସ୍ୟ ଇରାକ ଛାଡ଼ି ସାରିଛନ୍ତି ଏବଂ ଖୁବ୍ ଶୀଘ୍ର ଭାରତ ଫେରିବେ। ଏହି ଆକ୍ରମଣରେ ମୃତ୍ୟୁବରଣ କରିଥିବା ଭାରତୀୟ ଇଞ୍ଜିନିୟରଙ୍କ ପାର୍ଥିବ ଶରୀର ଫେରାଇ ଆଣିବା ପାଇଁ ମଧ୍ୟ ପ୍ରୟାସ ଜାରି ରହିଛି।

ଉପସାଗର ଅଞ୍ଚଳରେ ଫସି ରହିଥିବା ଭାରତୀୟ ନାଗରିକଙ୍କ ପାଇଁ ୨୪x୭ ହେଲ୍ପଲାଇନ୍ କାର୍ଯ୍ୟ କରୁଥିବା ବେଳେ ବିମାନ ପରିଚାଳନାରେ ମଧ୍ୟ ଉନ୍ନତି ଘଟାଯାଉଛି ବୋଲି ଶ୍ରୀ ମହାଜନ ସୂଚନା ଦେଇଛନ୍ତି।