ଗୋଟିଏ ନୁହେଁ, ଗଞ୍ଜାମରେ ହଜାରେ ରମେଶ ଜେନା ଆସିବେ : ଭକ୍ତ ଚରଣ ଦାସ
ଭୁବନେଶ୍ୱର (ସଂକେତ ଟିଭି): ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ନିଲମ୍ବନ ଘଟଣାକୁ ନେଇ ପ୍ରଦେଶ କଂଗ୍ରେସ ମୁଖ୍ୟ ଭକ୍ତ ଚରଣ ଦାସ ଆଜି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଶ୍ରୀ ଦାସ ସ୍ପଷ୍ଟ କରିଛନ୍ତି ଯେ, ରମେଶ ଜେନାଙ୍କ ନିଲମ୍ବନ ଆଦୌ ହଟିବ ନାହିଁ ଏବଂ ତାଙ୍କ ବିରୋଧରେ ବିଧାୟକ ପଦ ରଦ୍ଦ ପାଇଁ ଚାର୍ଜସିଟ୍ ପ୍ରସ୍ତୁତ କରାଯାଉଛି।
ପିସିସି ସଭାପତି ଭକ୍ତ ଚରଣ ଦାସ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ବ୍ୟକ୍ତି ବଡ଼ ନୁହେଁ, ଦଳ ବଡ଼। କଂଗ୍ରେସ ଦଳ କୌଣସି ଜଣେ ବ୍ୟକ୍ତିଙ୍କ ଉପରେ ନିର୍ଭରଶୀଳ ନୁହେଁ। “ବିନା ରମେଶ ଜେନାରେ ଗଞ୍ଜାମ ଓ ବିନା ଭକ୍ତ ଦାସରେ କଂଗ୍ରେସ ଚାଲିପାରିବ,” ଏପରି କହି ସେ ଦଳର ଶକ୍ତି ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି। ରମେଶ ଜେନା କେବଳ AICC ନୁହେଁ ବରଂ ଦଳୀୟ ଶୃଙ୍ଖଳାକୁ ବିରୋଧ କରୁଥିବାରୁ ତାଙ୍କ ନିଲମ୍ବନ ହଟାଇବାର କୌଣସି ସମ୍ଭାବନା ନାହିଁ ବୋଲି ସେ ମତ ରଖିଛନ୍ତି।
ରମେଶ ଜେନାଙ୍କ ରାଜନୈତିକ ଆଚରଣ ଉପରେ ପ୍ରଶ୍ନ ଉଠାଇ ଭକ୍ତ ଚରଣ ଦାସ କହିଛନ୍ତି ଯେ, ଜଣେ ନେତା ଯେତେବେଳେ ବିଜେଡିକୁ ବିରୋଧ କରନ୍ତି, ସେତେବେଳେ ବିଜେପିକୁ ଭୋଟ ଦେବା କେଉଁ ପ୍ରକାର ରାଜନୀତି? ରମେଶ କ୍ରସ ଭୋଟିଂ କରିବା ସମୟରେ ତାଙ୍କ ସମର୍ଥକମାନେ ତାଙ୍କୁ ବୁଝାଇବା ଆବଶ୍ୟକ ଥିଲା। AICC ତାଙ୍କୁ ନିଲମ୍ବନ କରିବା ପରେ ସେ ସିଧାସଳଖ କେନ୍ଦ୍ରୀୟ ନେତୃତ୍ୱଙ୍କୁ ବିରୋଧ କରୁଛନ୍ତି, ଯାହା କଦାପି ଗ୍ରହଣୀୟ ନୁହେଁ।
ରାଜ୍ୟ କଂଗ୍ରେସ ମୁଖ୍ୟ ଆହୁରି ମଧ୍ୟ କହିଛନ୍ତି ଯେ, ଗଞ୍ଜାମ ଜିଲ୍ଲାରେ ଦଳର ସଂଗଠନ ଦୁର୍ବଳ ହୋଇପଡ଼ିଥିବାରୁ ରମେଶ ଜେନା ଏଭଳି କାର୍ଯ୍ୟ କରିବାକୁ ସାହସ ପାଇଲେ। ଜିଲ୍ଲା ସଭାପତି ଭାବରେ ସଂଗଠନକୁ ମଜଭୁତ କରିବା ତାଙ୍କ ଦାୟିତ୍ୱ ଥିଲା। “ସଂଗଠନ ଥିଲେ ସେ ନିଶ୍ଚିନ୍ତ କ୍ରସ ଭୋଟିଂ କରିବାକୁ ଡରିଥାନ୍ତେ,” ଶ୍ରୀ ଦାସ ମତ ପୋଷଣ କରିଛନ୍ତି।
ଭକ୍ତ ଚରଣ ଦାସ ଏହି ଅବସରରେ ଏକ ବଡ଼ ବାର୍ତ୍ତା ଦେଇ କହିଛନ୍ତି ଯେ, କେବଳ ଜଣେ ରମେଶ ଜେନାଙ୍କୁ ନେଇ ଗଞ୍ଜାମ କଂଗ୍ରେସ ଅଟକି ରହିନାହିଁ। “ଗୋଟିଏ ରମେଶ ଜେନା ନୁହେଁ, ଗଞ୍ଜାମରେ ହଜାରେ ରମେଶ ଜେନା ଆସିବେ। ସମସ୍ତେ ଦେଖିବେ ଗଞ୍ଜାମରେ କଂଗ୍ରେସ କେମିତି ପୁଣିଥରେ ସଂଗଠିତ ଓ ମଜଭୁତ ହେବ,” ଏହା କହି ସେ ଆଗାମୀ ଦିନରେ ଦଳ ଗଠନ ଉପରେ ଗୁରୁତ୍ୱାରୋପ କରିଛନ୍ତି।
