FeaturedGeneralLatest

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମଥୁରା ଗସ୍ତ, ପ୍ରେମାନନ୍ଦ ମହାରାଜଙ୍କ ଠାରୁ ନେଲେ ଆଶୀର୍ବାଦ

ନୂଆଦିଲ୍ଲୀ (ସଂକେତ ଟିଭି): ମଥୁରା ଗସ୍ତରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପହଞ୍ଚିଛନ୍ତି। ଏହି ଅବସରରେ ସେ ବୃନ୍ଦାବନ ସ୍ଥିତ ରାଧା କେଳି କୁଞ୍ଜ ଆଶ୍ରମରେ ପହଞ୍ଚି ସନ୍ଥ ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟି ତାଙ୍କ ଆଶୀର୍ବାଦ ପ୍ରାପ୍ତ କରିଛନ୍ତି। ଆଶ୍ରମରେ ରାଷ୍ଟ୍ରପତି ପହଞ୍ଚିବା ପରେ ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟମାନେ ତାଙ୍କୁ ଭବ୍ୟ ସ୍ବାଗତ କରିଥିବା ଜଣାପଡିଛି। ଏଥିସହ ସେ ଏକାନ୍ତରେ ବସି ପ୍ରେମାନନ୍ଦ ମହାରାଜଙ୍କ ସହ ମଧ୍ୟ ବାର୍ତ୍ତାଳାପ କରିଛନ୍ତି।

ସୂଚନାନୁଯାୟୀ, ମଥୁରାରେ ରାଷ୍ଟ୍ରପତି ମୁର୍ମୁ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଆଜି ସକାଳୁ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହିତ ସେ ତାଙ୍କ ଦିନର ଆରମ୍ଭ କରିଥିଲେ। ରାଷ୍ଟ୍ରପତି ରାଧାକେଳି କୁଞ୍ଜରେ ଥିବା ଆଶ୍ରମରେ ପହଞ୍ଚି ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ପ୍ରବଚନ ମଧ୍ୟ ଶୁଣିଥିଲେ। ଏହାରି ମଧ୍ୟରେ ପ୍ରେମାନନ୍ଦ ମହାରାଜଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ ଏବଂ ହାତ ଯୋଡ଼ି ତାଙ୍କୁ ପ୍ରଣାମ କରିଥିଲେ ରାଷ୍ଟ୍ରପତି ମୁର୍ମୁ। ପ୍ରେମାନନ୍ଦ ଜୀ ମଧ୍ୟ ଖୁସି ମନରେ ‘ରାଧେ-ରାଧେ’ କହି ତାଙ୍କର ଶୁଭେଚ୍ଛା ଗ୍ରହଣ କରିଥିଲେ।

ଦୁଇ ଜଣ ବସି ଏକାନ୍ତରେ ଆଧ୍ୟାତ୍ମିକତା, ସେବା ଏବଂ ଜନ କଲ୍ୟାଣ ସମ୍ପର୍କରେ ଆଲୋଚନା କରିଥିଲେ। ରାଷ୍ଟ୍ରପତି ପ୍ରେମାନନ୍ଦ ମହାରାଜଙ୍କ ସରଳ ଜୀବନଯାପନ ଏବଂ ତାଙ୍କର ଆଧ୍ୟାତ୍ମିକ ଉପଦେଶ ପ୍ରତି ସମ୍ମାନ ପ୍ରକାଶ କରିଥିଲେ।

ଅନ୍ୟପଟେ ଗତକାଲି ରାଷ୍ଟ୍ରପତି ମୁର୍ମୁ ଅଯୋଧ୍ୟାର ରାମ ମନ୍ଦିର ପରିଦର୍ଶନ କରିଥିଲେ। ସେଠାରେ ଚାଲିଥିବା ସ୍ୱତନ୍ତ୍ର ଧାର୍ମିକ ସମାରୋହର ସାମିଲ ହୋଇ ୧୫୦ କିଲୋଗ୍ରାମ ସୁନାରେ ତିଆରି ଶ୍ରୀ ରାମ ଯନ୍ତ୍ର ସ୍ଥାପନ କରିଥିଲେ। ରାଷ୍ଟ୍ରପତି ମୁର୍ମୁଙ୍କ ସରକାରୀ ‘X’ ହ୍ୟାଣ୍ଡେଲରେ ଏକ ପୋଷ୍ଟରେ ଲେଖାଯାଇଛି ଯେ, “ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପବିତ୍ର ଅଯୋଧ୍ୟା ଧାମରେ ଶ୍ରୀ ରାମ ଜନ୍ମଭୂମି ମନ୍ଦିରରେ ପୂଜା କରିଥିଲେ। ପବିତ୍ର ଅଯୋଧ୍ୟା ଧାମରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ପରିଦର୍ଶନ କରିଥିଲେ। ଏହା ବ୍ୟତୀତ ସେ ରାମ ଲାଲ୍ଲାଙ୍କ ମନ୍ଦିରରେ ଦର୍ଶନ କରି ଆରତୀ କରିଥିଲେ ଏବଂ ସମସ୍ତଙ୍କ ସୁଖ ଏବଂ ସମୃଦ୍ଧି ପାଇଁ ପ୍ରଭୁ ରାମ ଲାଲ୍ଲାଙ୍କୁ ପ୍ରାର୍ଥନା ମଧ୍ୟ କରିଥିଲେ।”