କ୍ରସ ଭୋଟିଂ କରିଥିବା ଛଅ ବିଧାୟକଙ୍କୁ ସସପେଣ୍ଡ କଲେ ନବୀନ
ଭୁବନେଶ୍ୱର (ସଂକେତ ଟିଭି): ବିଜେଡି ସୁପ୍ରିମୋ ତଥା ଦଳ ସଭାପତି ନବୀନ ପଟ୍ଟନାୟକ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ବିଧାୟକମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ରାଜ୍ୟସଭା ନିର୍ବାଚନରେ ଦଳୀୟ ହ୍ଵିପ୍ ଅବମାନନା କରି କ୍ରସ ଭୋଟିଂ କରିଥିବା ଛଅ ଜଣ ବିଧାୟକଙ୍କୁ ଶନିବାର ଦଳରୁ ସସପେଣ୍ଡ କରାଯାଇଛି। ବିଜେଡିର ରାଜନୈତିକ ବ୍ୟାପାର କମିଟି (ପିଏସି)ର ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ସସପେଣ୍ଡ ହୋଇଥିବା ବିଧାୟକମାନେ ହେଲେ: ସୌରଭିକ ବିଶ୍ଵାଳ, ଦେବୀରଞ୍ଜନ ତ୍ରିପାଠୀ, ସୁବାସିନୀ ଜେନା, ନବ କିଶୋର ମଲ୍ଲିକ, ରମାକାନ୍ତ ଭୋଇ ଏବଂ ଚକ୍ରମଣି କହଁର। ଏହି କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ନବୀନ ପଟ୍ଟନାୟକ ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି ଯେ, ଦଳ ବିରୋଧୀ କାର୍ଯ୍ୟକୁ ଆଦୌ ବରଦାସ୍ତ କରାଯିବ ନାହିଁ। ପିଏସି ବୈଠକ ପରେ ବିଜେଡି ବିଧାୟକ ଦଳର ନେତ୍ରୀ ପ୍ରମିଳା ମଲ୍ଲିକ ଏହି ସୂଚନା ଦେଇଛନ୍ତି।
ଏହା ପୂର୍ବରୁ, କ୍ରସ ଭୋଟିଂ ଅଭିଯୋଗର ସମ୍ମୁଖୀନ ହୋଇଥିବା ଏହି ଛଅ ବିଧାୟକ ଦଳ ପକ୍ଷରୁ ପ୍ରଦାନ କରାଯାଇଥିବା କାରଣ ଦର୍ଶାଅ ନୋଟିସର ଜବାବ ରଖିଥିଲେ। ଶନିବାର ନବୀନ ନିବାସରେ ଅନୁଷ୍ଠିତ ରାଜନୈତିକ ବ୍ୟାପାର କମିଟିର ବୈଠକରେ ଏହି ଜବାବଗୁଡ଼ିକ ଉପରେ ବିସ୍ତୃତ ତର୍ଜମା କରାଯାଇଥିଲା। ଏହାପରେ କମିଟି ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ଏକ ରିପୋର୍ଟ ପ୍ରଦାନ କରିଥିଲା।
ରିପୋର୍ଟ ଆଧାରରେ ନବୀନ ପଟ୍ଟନାୟକ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ବିଧାୟକମାନଙ୍କୁ ଦଳରୁ ନିଲମ୍ବିତ କରିବା ସହିତ ଆସନ୍ତା କାର୍ଯ୍ୟାନୁଷ୍ଠାନ ସ୍ଵରୂପ ସେମାନଙ୍କର ସଭ୍ୟ ପଦ ରଦ୍ଦ କରିବା ପାଇଁ ବିଧାନସଭା ବାଚସ୍ପତିଙ୍କୁ ଚିଠି ଲେଖାଯିବ ବୋଲି ପ୍ରମିଳା ମଲ୍ଲିକ ସ୍ପଷ୍ଟ କରିଛନ୍ତି। ନବୀନଙ୍କ ଏହି କଠୋର ନିଷ୍ପତ୍ତି ପରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ତୀବ୍ର ହୋଇଉଠିଛି।

