ଏଲପିଜି ଉପଭୋକ୍ତାଙ୍କ ସିଲିଣ୍ଡର ବୁକିଂ ପାଇଁ ଲାଗୁ ହେଲା କଡା ନିୟମ
ନୂଆଦିଲ୍ଲୀ(ସଂକେତ ଟିଭି): ଏଲପିଜି ଉପଭୋକ୍ତାଙ୍କ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହୋଇଛି। ଏଥିରେ ସିଲିଣ୍ଡର ବୁକ୍ କରିବା ପୂର୍ବଅପେକ୍ଷା କଷ୍ଟକର ହୋଇଛି। ପୂର୍ବରୁ ଯେକୌଣସି ସମୟରେ ଗ୍ୟାସ୍ ସିଲିଣ୍ଡର ବୁକିଂ କରାଯାଇ ପାରୁଥିଲା, ହେଲେ ଏବେ ସେମିତି ହୋଇ ପାରିବ ନାହିଁ। ନୂଆ ପ୍ରଣାଳୀରେ ଗ୍ୟାସ୍ ଏଜେନ୍ସୀ ବୁକିଂ ସମୟ ଓ ଅନ୍ତରାଳକୁ ନେଇ କଡ଼ା ନିୟମ ଲାଗୁ କରିଛନ୍ତି। ଏଣୁ ଗ୍ୟାସ୍ ଉପଭୋକ୍ତାମାନେ ପୂର୍ବଅପେକ୍ଷା ଅଧିକ ସତର୍କ ରହିବାକୁ ହେବ।
ନୂଆ ନିୟମ ଅନୁସାରେ ଏବେ ଆଗଭଳି ଆଉ ୨୪ ଘଣ୍ଟା ବୁକିଂ କରି ହେବ ନାହିଁ। ଉପଭୋକ୍ତାଙ୍କୁ ନିର୍ଦ୍ଧାରିତ ବୁକିଂ ସମୟ ପାଳନ କରିବାକୁ ପଡ଼ିବ। ଏବେ ବୁକିଂ କେବଳ ସକାଳ ୫ଟାରୁ ୭ଟା ମଧ୍ୟରେ ହୋଇ ପାରିବ। ଏହା ପରେ ରାତି ୮ଟାରୁ ୧୨ଟା ମଧ୍ୟରେ କଲ୍ ଅଥବା ମେସେଜ୍ ଜରିଆରେ ବୁକିଂ କରି ହେବ। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସକାଳ ୭ଟା ପରେ ଓ ରାତି ୮ଟା ପୂର୍ବରୁ ଆଉ ବୁକିଂ ହୋଇ ପାରିବ ନାହିଁ। ଏଣୁ ଯଦି ଆପଣଙ୍କ ଗ୍ୟାସ୍ ସିଲିଣ୍ଡର ଶେଷ ହୋଇଯାଇଛି, ତେବେ ଏଥିପାଇଁ ଆପଣଙ୍କୁ ପୂର୍ବରୁ ଯୋଜନା କରିବାକୁ ପଡ଼ିବ।
ଏହା ଛଡ଼ା, ଆପଣ ଯଦି ସହରାଞ୍ଚଳରେ ରହୁଛନ୍ତି, ଗୋଟିଏ ବୁକିଂର ୨୫ ଦିନ ପରେ ଦ୍ୱିତୀୟ ବୁକିଂ ହୋଇ ପାରିବ। ଗ୍ରାମାଞ୍ଚଳ ପାଇଁ ଏହି ସୀମା ୪୫ ଦିନ ରହିଛି। ମଝିରେ କେହି ଗ୍ୟାସ୍ ନେଇ ପାରିବେ ନାହିଁ। ୨୫ ଅଥବା ୪୫ ଦିନ ପୂର୍ବରୁ ନୂଆ ବୁକିଂକୁ ସିଷ୍ଟମ ସ୍ୱୀକାର କରିବ ନାହିଁ। ଏପରି ନିୟମ କରିବାର ଉଦ୍ଦେଶ୍ୟ ଗ୍ୟାସ୍ ଉପଲବ୍ଧତାକୁ ସନ୍ତୁଳିତ ରଖିବା ଓ ଅନାବଶ୍ୟକ ବୁକିଂକୁ ଅଟକାଇବା।
ଏହି ନୂଆ ନିୟମ ଲାଗୁ ହେବା ଦ୍ୱାରା ଉପଭୋକ୍ତାଙ୍କୁ ସେମାନଙ୍କ ଆବଶ୍ୟକତା ଓ ସମୟକୁ ପରିଚାଳନା କରିବାକୁ ପଡ଼ିବ। ଗ୍ୟାସ୍ ଯୋଗାଣରେ କୌଣସି ପ୍ରକାର ଅସୁବିଧା ଯେପରି ନ ହୁଏ, ସେଥିପାଇଁ ସଠିକ୍ ସମୟରେ ବୁକିଂ ଓ ବ୍ୟବଧାନ ପାଳନ କରିବା ଏବେ ଅତ୍ୟନ୍ତ ଜରୁରୀ ହୋଇ ପଡ଼ିଛି।
ଯଦି ଆପଣ ଅନଲାଇନରେ ଏଲପିଜି ବୁକିଂ କରୁଛନ୍ତି, ତେବେ ବିତରଣକାରୀଙ୍କ ଅଧିକୃତ ୱେବସାଇଟକୁ ଯାଆନ୍ତୁ ଅଥବା ମୋବାଇଲ୍ ଆପ୍ ଖୋଲନ୍ତୁ। ନିଜର ପଞ୍ଜୀକୃତ ମୋବାଇଲ୍ ନମ୍ବର ଅଥବା ଏଲପିଜି ଆଇଡି ବ୍ୟବହାର କରି ଲଗ୍ ଇନ୍ କରନ୍ତୁ। ସିଲିଣ୍ଡର ରିଫିଲ୍ ପାଇଁ ବୁକିଂ ବିକଳ୍ପ ବାଛନ୍ତୁ। ଏଥିରେ ନିଜର ବୁକିଂ ସମ୍ପର୍କିତ ସୂଚନା ଦିଅନ୍ତୁ ଓ ଅନୁରୋଧ ସବମିଟ୍ କରନ୍ତୁ। ଆପଣଙ୍କୁ ବୁକିଂ ନମ୍ବର ସହିତ ଏକ ପୁଷ୍ଟିକରଣ ମେସେଜ୍ ମିଳିବ। ଏହି ଆପ୍ ବା ୱେବସାଇଟରେ ନିଜର ସିଲିଣ୍ଡର ଡେଲିଭରୀ ସ୍ଥିତି ଜାଣିବା ପାଇଁ ବୁକିଂ ନମ୍ବର ବ୍ୟବହାର କରନ୍ତୁ। ସିଲିଣ୍ଡର ଡେଲିଭରୀ ପାଇଁ ବାହାରିବା ପରେ ଓଟିପି ସତ୍ୟାପନ ପାଇଁ ନିଜ ଫୋନ୍ ପାଖରେ ରଖନ୍ତୁ।
