CulturalFeaturedLatestNews

ପଖାଳକୁ ବିଶ୍ବ ମାନ୍ୟତା: ଗିନିଜ ବିଶ୍ବ ରେକର୍ଡରେ ସ୍ଥାନ ପାଇଲା ଓଡ଼ିଶା

ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶାର ପାରମ୍ପରିକ ଖାଦ୍ୟ ପଖାଳକୁ ମିଳିଛି ଅନ୍ତର୍ଜାତୀୟ ମାନ୍ୟତା। ଗୋଟିଏ ପାତ୍ରରେ ୧୧ ଶହ ୭୪ କେଜି (୧୧୭୪ କେଜି) ପଖାଳ ପ୍ରସ୍ତୁତ କରି ଓଡ଼ିଶା ବିଶ୍ବ ରେକର୍ଡ ସୃଷ୍ଟି କରିଛି। ଏହି ଐତିହାସିକ ସଫଳତା ପାଇଁ ଓଡ଼ିଶା ପଖାଳ ଗିନିଜ୍ ବିଶ୍ବ ରେକର୍ଡରେ ସ୍ଥାନ ପାଇଛି।

ଏହି ବିରଳ ସଫଳତାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାମାଜିକ ଗଣମାଧ୍ୟମ ‘X’ (ଟ୍ଵିଟର)ରେ ପୋଷ୍ଟ କରି ଆନନ୍ଦ ପ୍ରକାଶ କରିଛନ୍ତି। ପ୍ରତି ଓଡ଼ିଆଙ୍କ ପାଇଁ ଏହା ଗର୍ବର ମୁହୂର୍ତ୍ତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆମର ଖାଦ୍ୟ ପରମ୍ପରା ‘ଲୋକାଲ’ରୁ ‘ଗ୍ଲୋବାଲ’ ହୋଇଛି ଏବଂ ବିଶ୍ବସ୍ତରରେ ଓଡ଼ିଶାକୁ ପଖାଳ ଏକ ସ୍ବତନ୍ତ୍ର ପରିଚୟ ଦେଇଛି ବୋଲି ସେ ମତ ପ୍ରକାଶ କରିଛନ୍ତି।

ଓଡ଼ିଆଙ୍କ ପରିଚୟ ସହ ପଖାଳ ଓତପ୍ରୋତ ଭାବରେ ଜଡ଼ିତ। ଗାଁ ହେଉ କି ସହର, ପଖାଳର ବାସ୍ନା ସବୁବେଳେ ନିଆରା। ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥ ମଧ୍ୟ ପଖାଳ ପ୍ରିୟ। ଏହି ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ବ ପଖାଳ ଦିବସ’ ଭାବରେ ପାଳନ କରାଯାଉଛି।

କଥାରେ ଅଛି, ‘ଝୁରି ହେଉଛି ଦିନକାଳ, ମନ ଖୋଜୁଛି ସେକାଳ ପଖାଳ’। ଓଡ଼ିଆ ଜନଜୀବନ ସହ ପଖାଳର ସମ୍ପର୍କ ବହୁ ପୁରୁଣା। ସାରା ବିଶ୍ବରେ ଥିବା ଓଡ଼ିଆମାନେ ଏହି ଦିବସକୁ ଭକ୍ତି ଓ ଉତ୍ସାହ ସହକାରେ ପାଳନ କରିଥାନ୍ତି। ଏକଦା ଗରୀବଙ୍କ ସହଜ ଖାଦ୍ୟ ଭାବରେ ପରିଚିତ ଥିବା ପଖାଳ ଆଜି ମାଟିପିଣ୍ଡାରୁ ଯାଇ ପଞ୍ଚତାରକା ହୋଟେଲର ଡାଇନିଂ ଟେବୁଲରେ ଶୋଭା ପାଉଛି।