ମେ ୩୧ ରେ ବି.ଏଡ଼ ଓ ଜୁନ ୩ରେ ଏମ.ଏଡ଼ ପାଠ୍ୟକ୍ରମ ପାଇଁ ହେବ ପ୍ରବେଶିକା ପରୀକ୍ଷା
ଭୁବନେଶ୍ୱର (ସଂକେତ ଟିଭି): ଆସନ୍ତା ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ଦୁଇ ବର୍ଷିଆ ବି.ଏଡ୍, ଏମ.ଏଡ୍ ଓ ବି.ଏଚ୍.ଏଡ୍ ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପାଠ୍ୟକ୍ରମଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଚୟନ ପ୍ରବେଶିକା ପରୀକ୍ଷା ମାଧ୍ୟମରେ କରାଯିବ।
ଆଗ୍ରହୀ ଛାତ୍ରଛାତ୍ରୀମାନେ ମାର୍ଚ୍ଚ ୨୩ (୨୦୨୬)ରୁ ଏପ୍ରିଲ ୬ (୨୦୨୬) ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲରେ କମନ ଆପ୍ଲିକେସନ ଫର୍ମ (CAF) ପୂରଣ କରିପାରିବେ। ଆବେଦନକାରୀଙ୍କ ସମସ୍ତ ତଥ୍ୟ ଏପ୍ରିଲ ୧୩ ତାରିଖରେ ଓଡ଼ିଶା ଉଚ୍ଚଶିକ୍ଷା ଆବେଦନ ପରିଚାଳନା କେନ୍ଦ୍ର (OHEADC) ପକ୍ଷରୁ ପରୀକ୍ଷା ପରିଚାଳନା କରୁଥିବା ଷ୍ଟେଟ ସିଲେକ୍ସନ ବୋର୍ଡ଼ (SSB) କୁ ପ୍ରଦାନ କରାଯିବ।
ପ୍ରବେଶିକା ପରୀକ୍ଷାର ସୂଚୀ ସମ୍ପର୍କରେ ମଧ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମେ’ ୨୭ ତାରିଖରେ ପରୀକ୍ଷା ପାଇଁ ଆଡ଼ମିଟ୍ କାର୍ଡ଼ ଉପଲବ୍ଧ ହେବ। ତେବେ ମେ’ ୩୧ ତାରିଖରେ ବି.ଏଡ୍ ପାଠ୍ୟକ୍ରମ ପାଇଁ ଏବଂ ଜୁନ୍ ୩ ତାରିଖରେ ଏମ.ଏଡ୍ ଏବଂ ବି.ଏଚ୍.ଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ।
ସୂଚନାଯୋଗ୍ୟ, ଯୁକ୍ତ ଦୁଇ ପରେ ବି.ଏଡ୍ ପାଠ୍ୟକ୍ରମରେ ନାମ ଲେଖାଇ ହେବ। ରାଜ୍ୟରେ ୮ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ସହ ନିକଟସ୍ଥ ମହାବିଦ୍ୟାଳୟଗୁଡ଼ିକର ୨୦୨୫ ମସିହାରେ ଏମଓୟୁ ସ୍ୱାକ୍ଷରିତ ହୋଇଛି। ୧୬ଟି ଅନୁଷ୍ଠାନ ମଧ୍ୟରୁ ୮ଟିରେ ଏହି ବୁଝାମଣା ସ୍ୱାକ୍ଷର କରାଯାଇଛି। ଏହି ଅନୁଷ୍ଠାନଗୁଡ଼ିକରେ ୪ ବର୍ଷର ନୂଆ ଇଣ୍ଟିଗ୍ରେଟେଡ୍ ଟିଚର୍ ଏଜୁକେସନ୍ ପ୍ରୋଗ୍ରାମ (ITEP) ପାଠ୍ୟକ୍ରମ ପଢ଼ାଯିବ। ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଏହି ପାଠ୍ୟକ୍ରମ ୫ ବର୍ଷ ବଦଳରେ ୪ ବର୍ଷରେ ସମାପ୍ତ ହେବ।
ସାମ୍ସ ତଥ୍ୟ ଅନୁସାରେ, ରାଜ୍ୟରେ ଦୁଇ ବର୍ଷିଆ ବି.ଏଡ୍, ଏମ.ଏଡ୍, ବି.ଏଚ୍.ଏଡ୍ ପାଇଁ ୩୧ଟି କଲେଜ ରହିଛି। ଏହି ସବୁ କଲେଜରେ ସମୁଦାୟ ୨,୭୫୦ଟି ସିଟ୍ ରହିଛି।
