FeaturedLatestNews

ଡେବ୍ରିଗଡ଼ରେ ସ୍ଥାପିତ ହେବ ବାଇସନ ଜାତୀୟ ଉଦ୍ୟାନ

ଭୁବନେଶ୍ୱର (ସଂକେତ ଟିଭି): ଖୁବ ଶୀଘ୍ର ଡେବ୍ରିଗଡ଼ରେ ବାଇସନ ଜାତୀୟ ଉଦ୍ୟାନ ସ୍ଥାପନ କରାଯିବ। ଏନେଇ ବିଚାର ବିମର୍ଷ ଚାଲିଥିବା ରାଜ୍ୟ ଜଙ୍ଗଲ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ଅବଗତ କରାଯାଇଥିବା ବେଳେ ଶିମିଳିପାଳରେ କଳା ବାଘ ସଫାରୀ ପାଇଁ ମଧ୍ୟ ପ୍ରସ୍ତୁତି ଜୋରଦାର୍ ରୂପ ନେଇଛି।

ଡେବ୍ରିଗଡ଼କୁ ଜାତୀୟ ଉଦ୍ୟାନ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିବା କହିଛନ୍ତି ଜଙ୍ଗଲ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ। ଏହି ପ୍ରସଙ୍ଗରେ ଓଡ଼ିଶାର ବରିଷ୍ଠ ପ୍ରାଣୀ ବୈଜ୍ଞାନିକମାନେ ଏବଂ ବିଭାଗର ଅଧିକାରୀମାନେ ସର୍ଭେ କରୁଛନ୍ତି। ଭାରତର ଏକ ବୃହତ୍ତମ ବାଇସନ ଜାତୀୟ ଉଦ୍ୟାନ ସୃଷ୍ଟି କରିବା ଲକ୍ଷ ରହିଥିବା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, “କଳା ବାଘ ସଫାରୀକୁ ନେଇ କେନ୍ଦ୍ର ଗ୍ରୀନ୍ ସିଗନାଲ୍ ଦେଇସାରିଛି। ଏପଟେ ବିଭିନ୍ନ ପ୍ରକାରର ୧୭ଟି ପଏଣ୍ଟ ଉପରେ ଆଲୋଚନା ଚାଲିଛି। ଏହି ପଏଣ୍ଟ ଅନୁସାରେ କାମ କରିବାକୁ ପଡ଼ିବ। ତେବେ ଏହା ପରେ ଆମର ସୋଭାଗ୍ୟ ଆମେ ମୟୂରଭଞ୍ଜରେ ଏକ ବିରଳ କଳା ବାଘ ସଫାରୀ କରିପାରିବୁ।”

ଡେବ୍ରିଗଡ଼ରେ ଜାନୁଆରୀରେ କରାଯାଇଥିବା ଗଣନାରେ ୮୫୦ଟି ବାଇସନ ବା ଗୟଳ ରହିଥିବା ଜଣାପଡ଼ିଛି। ବର୍ଷକ ମଧ୍ୟରେ ପାଖାପାଖି ୧୫୦ରୁ ୧୮୦ଟି ଗୟଳ ବୃଦ୍ଧି ପାଉଥିବା ମଧ୍ୟ ତଥ୍ୟରୁ ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଡେବ୍ରିଗଡ଼ ଓଡ଼ିଶାର ବରଗଡ଼ ଜିଲ୍ଲାରେ ଅବସ୍ଥିତ ଏକ ସଂରକ୍ଷିତ ଅଭୟାରଣ୍ୟ। ଏହାର କ୍ଷେତ୍ରଫଳ ପ୍ରାୟ ୩୫୪ ବର୍ଗ କିଲୋମିଟର। ହୀରାକୁଦ ଜଳଭଣ୍ଡାର ଏହାର ପୂର୍ବ ସୀମା ହୋଇଥିବା ବେଳେ ପ୍ରକୃତିପ୍ରେମୀଙ୍କ ପାଇଁ ଏହା ଏକ ମନୋରମ ପର୍ଯ୍ୟଟନ ସ୍ଥଳୀ। ଏହା ବରଗଡ଼ ଜିଲ୍ଲାରେ ଥିଲେ ମଧ୍ୟ ସମ୍ବଲପୁର ଏବଂ ବୁର୍ଲା ସହର ଏହାର ନିକଟରେ ଅବସ୍ଥିତ।

ଡେବ୍ରିଗଡ଼ ଅଭୟାରଣ୍ୟରେ ଚୌଶିଂଗା ହରିଣ, ଭାରତୀୟ ଗୟଳ, ସମ୍ବର, କଲରାପତରିଆ ବାଘ, ନୀଳ ଗାଈ ଭଳି ଅନେକ ପ୍ରଜାତିର ପଶୁ ଦେଖିବାକୁ ମିଳନ୍ତି। ଓଡ଼ିଶା ବନ ନିଗମ ପକ୍ଷରୁ ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ଏହି ଅଭୟାରଣ୍ୟ ମଧ୍ୟରେ ବିଭିନ୍ନ ପ୍ରକାରର ଆବାସ ସ୍ଥଳୀ ସ୍ଥାପନ କରାଯାଇଛି। ସେଗୁଡ଼ିକ ହେଲା: ଜଙ୍ଗଲ ବିଶ୍ରାମ ଗୃହ-ଦେଚୁଆଁ, ଜଙ୍ଗଲ ବିଶ୍ରାମ କୁଟୀର-ଧୋଡ୍ରୋକୁସୁମ, ପରିବେଶ ପର୍ଯ୍ୟଟନ କୁଟୀର ତଥା ହଷ୍ଟେଲ-ବାରଖଣ୍ଡିଆ। ବାରଖଣ୍ଡିଆରେ ଭୋଜନ ବ୍ୟବସ୍ଥା ରହିଥିବା ବେଳେ ଅନ୍ୟ ସ୍ଥାନଗୁଡ଼ିକରେ ପର୍ଯ୍ୟଟକମାନେ ନିଜେ ରୋଷେଇ କରିବାର ସୁବିଧା ରହିଛି।

ଏହି ଦୁର୍ଲଭ ପ୍ରାୟ ପ୍ରଜାତିର ପ୍ରାଣୀଙ୍କୁ ସୁରକ୍ଷା ଦେବାରେ ଦେବ୍ରିଗଡ଼ ଅଭୟାରଣ୍ୟ ସାରା ଦେଶରେ ପ୍ରମୁଖ ଭୂମିକା ନିର୍ବାହ କରୁଛି। ଏହାକୁ ସ୍କେଡ୍ୟୁଲ-୧ ସ୍ପିସିଜ୍ କୁହାଯାଉଥିବା ବେଳେ ବର୍ତ୍ତମାନ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଦେବ୍ରିଗଡ଼ ଅଭୟାରଣ୍ୟକୁ ‘ଲ୍ୟାଣ୍ଡ ଅଫ୍ ଇଣ୍ଡିଆନ୍ ବାଇସନ୍ସ’ ବୋଲି କହୁଛନ୍ତି। ଦେଶର ଅନ୍ୟ ଅଭୟାରଣ୍ୟ ତୁଳନାରେ ଡେବ୍ରିଗଡ଼ ଅଭୟାରଣ୍ୟ ଗୟଳମାନଙ୍କ ପାଇଁ ଅଧିକ ସୁରକ୍ଷିତ ବୋଲି ଚର୍ଚ୍ଚା ହେଉଛି। ସମ୍ବଲପୁର ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ସୂଚନା ଅନୁଯାୟୀ, ଏହି ଅଭୟାରଣ୍ୟର ସଫାରୀ ଜୋନ୍ରେ ୧୦୦ରୁ ୧୫୦ଟି ଗୟଳଙ୍କୁ ପର୍ଯ୍ୟଟକମାନେ ଦେଖିପାରୁଛନ୍ତି, ଯାହା ପୂର୍ବ ଭାରତର ଅନ୍ୟ କୌଣସି ଅଭୟାରଣ୍ୟରେ ଦେଖିବାକୁ ମିଳେ ନାହିଁ। ଫଳରେ ଡେବ୍ରିଗଡ଼କୁ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି।