୨୬୧୨ କୋଟି ଟଙ୍କାର ଜଳ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟସ୍ତରୀୟ ବିଶ୍ୱ ଜଳ ଦିବସ ୨୦୨୬ କାର୍ଯ୍ୟକ୍ରମର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ସେ ପ୍ରାୟ ୨୨୯୨ କୋଟି ଟଙ୍କାର ୧୭ଟି ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ ପ୍ରାୟ ୩୨୦ କୋଟି ଟଙ୍କାର ୧୨୪ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି। ମୋଟ ୨୬୧୨ କୋଟି ଟଙ୍କାର ଏହି ବହୁମୂଲ୍ୟ ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ଦେଇଛନ୍ତି ଯେ କୌଣସି ଚାଷଜମି ଜଳାଭାବର ଶିକାର ହେବ ନାହିଁ। ପ୍ରତି ଘରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାର ସଂକଳ୍ପ ମଧ୍ୟ ସରକାର ନେଇଛନ୍ତି।
ଜଳର ପ୍ରତି ବୁନ୍ଦାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜଳର ଗୋଟିଏ ବୁନ୍ଦା ମଧ୍ୟ ବିଶ୍ୱର ଅନେକ ଲୋକଙ୍କ ପାଇଁ ଦୁର୍ମୂଲ୍ୟ। ତେଣୁ ବୁନ୍ଦାଏ ବି ପାଣି ନଷ୍ଟ ନ କରିବାକୁ ସେ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି। ବିଶ୍ୱ ଜଳ ଦିବସର ଏହି ବାର୍ତ୍ତା ପ୍ରତିଟି ଘରେ ପହଞ୍ଚିବା ଆବଶ୍ୟକ ବୋଲି କହିବା ସହ ପିଲାମାନଙ୍କୁ ସ୍କୁଲରୁ ହିଁ ପାଣି ବଞ୍ଚେଇବାର ଶିକ୍ଷା ଦେବାକୁ ପଡ଼ିବ। ସେମାନେ ହିଁ ଆଗାମୀ ଦିନର ଜଳ ସୈନିକ ହେବେ। ବର୍ଷା ପାଣିକୁ ସଞ୍ଚୟ କରି ମାଟିକୁ ସଜଳ ରଖିବା ଆବଶ୍ୟକ ବୋଲି ସେ କହିଛନ୍ତି।
ଜଳ ଶକ୍ତି ଅଭିଯାନ ମାଧ୍ୟମରେ ଜଳ ସଂରକ୍ଷଣକୁ ଜାତୀୟ ପ୍ରାଥମିକତା ଭାବେ ଗ୍ରହଣ କରାଯାଉଛି। ‘Catch the Rain’ କାର୍ଯ୍ୟକ୍ରମ ଅଧୀନରେ ମହିଳାମାନଙ୍କୁ ଜଳ ଗୁଣବତ୍ତା ପରୀକ୍ଷା ଏବଂ ପରିଚାଳନା ପାଇଁ ପ୍ରଶିକ୍ଷଣ ଦିଆଯାଉଛି। ଏହା ଫଳରେ ଜଳ ସେବା କ୍ଷେତ୍ରରେ କୌଣସି ବର୍ଗ ପଛରେ ପଡ଼ିବେ ନାହିଁ ଏବଂ ସମସ୍ତଙ୍କ ପାଇଁ ସୁଲଭ ଜଳ ଉପଲବ୍ଧ ହେବ। ଜଳ ପରିଚାଳନାରେ ଲିଙ୍ଗଗତ ବୈଷମ୍ୟ ଦୂର କରିବା ସହିତ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ସରକାରଙ୍କ ଲକ୍ଷ୍ୟ। ଏଥିପାଇଁ ମହିଳା ଏବଂ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ‘ଜଳସାଥୀ’ ଭାବେ ନିୟୋଜିତ କରାଯାଇଛି। ଚଳିତ ବର୍ଷର ବିଶ୍ୱ ଜଳ ଦିବସର ବିଷୟବସ୍ତୁ ‘ଜଳ ଏବଂ ଲିଙ୍ଗଗତ ସମାନତା’ (Water and Gender)କୁ ଆଧାର କରି ସମସ୍ତ ରାଜ୍ୟବାସୀଙ୍କୁ ଜଳ ସୁରକ୍ଷା ପାଇଁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।
ରାଜ୍ୟର ବିଭିନ୍ନ ଜଳଭିତ୍ତିକ ଯୋଜନା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, “ଆମ ସରକାର ମିଶନ୍ ପାୱାର୍ ଅଧୀନରେ ପ୍ରତିଟି ଅପହଞ୍ଚ ଗାଁ ଏବଂ ପଛୁଆ ଅଞ୍ଚଳକୁ ବିଶୁଦ୍ଧ ଜଳ ଯୋଗାଇବା ପାଇଁ କାର୍ଯ୍ୟ କରୁଛି। କୃଷି କ୍ଷେତ୍ରରେ ପ୍ରତି ବୁନ୍ଦା ଜଳରେ ଅଧିକ ଫସଲ ନୀତିକୁ ପ୍ରୋତ୍ସାହିତ କରାଯାଉଛି। ‘ଏକ୍ ପେଡ୍ ମା’ କେ ନାମ୍’ ଅଭିଯାନ ମାଧ୍ୟମରେ ବୃକ୍ଷ ରୋପଣରେ ଦେଶରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ଭାବେ ସ୍ଥାନ ପାଇଛି।”
ସେ ଆହୁରି ଯୋଡ଼ିଛନ୍ତି ଯେ ଆଗାମୀ ଦିନରେ ଜଳକୁ ନେଇ କୌଣସି ବିବାଦ ନ ହେବା ପାଇଁ ରାଜ୍ୟ ସନ୍ତୁଳିତ ଜଳ ନୀତି ପ୍ରସ୍ତୁତ କରିଛି। ଆଗାମୀ ଦିନରେ ଓଡ଼ିଶାର ଜଳ ସେଚନ ସୁବିଧା ପାଇଁ ଶସ୍ୟର ସାନ୍ଦ୍ରତା (Crop Intensity)କୁ ୨୦୩୬ ସୁଦ୍ଧା ୨୨୦ ପ୍ରତିଶତ ଏବଂ ୨୦୪୭ ସୁଦ୍ଧା ୨୫୦ ପ୍ରତିଶତକୁ ବୃଦ୍ଧି କରିବା ଲକ୍ଷ୍ୟ ରହିଛି।
ଏହି ଅବସରରେ ଲୋକସେବା ଭବନ କନଭେନସନ ସେଣ୍ଟରଠାରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀ ‘ପ୍ରତିବିମ୍ବ’ ମଧ୍ୟ ମୁଖ୍ୟମନ୍ତ୍ରୀ ପରିଦର୍ଶନ କରିଛନ୍ତି। ଏହା ସହିତ ରାଜୀବ ଭବନଠାରେ ଶିଶୁ ଯତ୍ନ କେନ୍ଦ୍ର ‘କଳିକା’ର ଉଦ୍ଘାଟନ କରିବା ସହ ଏଆଇ (AI) ଚାଳିତ ନାଗରିକ ମତାମତ ବ୍ୟବସ୍ଥା ‘ବିନ୍ଦୁ ଚାଟବୋଟ’ର ପ୍ରୟୋଗିକ ଶୁଭାରମ୍ଭ କରିଛନ୍ତି। ଜଳ ସମ୍ପଦ ବିଭାଗ ପକ୍ଷରୁ କେନ୍ଦ୍ରୀୟ ଜଳ ଆୟୋଗଙ୍କ ସହ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ସହ ଏକ କଫି ଟେବୁଲ ବୁକ୍ ‘ସୁଜଳା’ ଏବଂ ନଦୀ ମାନଚିତ୍ର ବହିର ଉନ୍ମୋଚନ ମଧ୍ୟ କରାଯାଇଛି।
ଜଳ ହେଉଛି ଜୀବନର ମୂଳଦୁଆ। ଏହାର ସୁରକ୍ଷା ତଥା ସୁପରିଚାଳନା ସମସ୍ତଙ୍କର ପରମ କର୍ତ୍ତବ୍ୟ ବୋଲି କହି ସରକାର “ସବକା ସାଥ, ସବକା ବିକାଶ, ସବକା ପ୍ରୟାସ” ମନ୍ତ୍ରକୁ ପାଥେୟ କରି ସମାଜର ଶେଷ ପାହାଚରେ ଥିବା ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ବିଶୁଦ୍ଧ ଜଳ ପହଞ୍ଚାଇବାକୁ ସଂକଳ୍ପବଦ୍ଧ। ଜଳବାୟୁ ପରିବର୍ତ୍ତନର ଆହ୍ବାନ ମଧ୍ୟରେ ଜଳ ସଂରକ୍ଷଣକୁ ଜନଆନ୍ଦୋଳନରେ ପରିଣତ କରି ସମସ୍ତଙ୍କ ପାଇଁ ସୁଲଭ ଓ ନିରାପଦ ଜଳ ସେବା ସୁନିଶ୍ଚିତ କରିବା ମୁଖ୍ୟ ଲକ୍ଷ୍ୟ। ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ଯେ ଏହି ପ୍ରକଳ୍ପଗୁଡ଼ିକ “ସମୃଦ୍ଧ ଓ ବିକଶିତ ଓଡ଼ିଶା” ଗଠନ ଦିଗରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବା ସହ ଚାଷୀକୂଳର ଆର୍ଥିକ ଉନ୍ନତିରେ ସହାୟକ ହେବ।
