FeaturedLatestNews

୨୦୨୬-୨୭ ପାଇଁ ବିଦ୍ୟୁତ୍ ଦର ରହିବ ଅପରିବର୍ତ୍ତିତ : ଓଇଆରସି

ଭୁବନେଶ୍ୱର (ସଂକେତ ଟିଭି): ବର୍ତ୍ତମାନ ପଶ୍ଚିମ ଏସିଆ ଯୁଦ୍ଧରେ ସମଗ୍ର ବିଶ୍ବରେ ଶକ୍ତିସଙ୍କଟ ଦେଖାଦେଇଥିବା ବେଳେ ଓଡ଼ିଶାର ବିଦ୍ୟୁତ୍ ଉପଭୋକ୍ତାଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ୨୦୨୬-୨୭ ଆର୍ଥିକ ବର୍ଷରେ ବିଦ୍ୟୁତ୍ ଦର ଅପରିବର୍ତ୍ତିତ ରହିବ ବୋଲି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆର୍ସି) କହିଛି।

ଏନେଇ ଆଜି ଜାରି ହୋଇଥିବା ଚିଠିରେ ଦର୍ଶାଯାଇଛି ଯେ, ଓଇଆର୍ସିର ଏହି ନିଷ୍ପତ୍ତି ୧ ଏପ୍ରିଲ୍ ଠାରୁ ଆୟୋଗଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ବଳବତ୍ତର ରହିବ। ଓଇଆର୍ସି (ବାଣିଜ୍ୟିକ ପରିଚାଳନା) ନିୟାମକ, ୨୦୦୪ର ରେଗୁଲେସନ୍ ୫୭ ବଳରେ ଜାରି ହୋଇଥିବା ଖୁଚୁରା (ରିଟେଲ୍) ବିଦ୍ୟୁତ ଦର ଅନୁସାରେ, ବିଭିନ୍ନ ଶ୍ରେଣୀର ଉପଭୋକ୍ତାଙ୍କ ପାଇଁ ଦର ନିର୍ଦ୍ଧାରଣ କରାଯାଇଛି।

କୁଟୀର ଜ୍ୟୋତି ଯୋଜନାରେ (୩୦ ୟୁନିଟ୍ କିମ୍ବା ଏହାଠାରୁ କମ୍) ବିଦ୍ୟୁତ୍ ବ୍ୟବହାର ନିମନ୍ତେ ୭୦ ଟଙ୍କା ଦେୟ ରହିଛି। ମାସକୁ ୫୦ ୟୁନିଟ୍ କିମ୍ବା କମ୍ ବିଦ୍ୟୁତ୍ ବ୍ୟବହାର (ଘରୋଇ) ନିମନ୍ତେ ୨୯୦ ଟଙ୍କା, ୫୦ରୁ ୨୦୦ ୟୁନିଟ୍ ମଧ୍ୟରେ ୪୭୦ ଟଙ୍କା, ୨୦୦ରୁ ୪୦୦ ୟୁନିଟ୍ ମଧ୍ୟରେ ୫୭୦ ଟଙ୍କା ଓ ୪୦୦ ୟୁନିଟ୍ ରୁ ଅଧିକ ବିଦ୍ୟୁତ୍ ବ୍ୟବହାର ନିମନ୍ତେ ୬୧୦ ଟଙ୍କା ଦେୟ ରହିଛି। ଏଥିପାଇଁ ପ୍ରଥମ କିଲୋୱାଟ୍ ନିମନ୍ତେ ୨୦ ଟଙ୍କା ସ୍ଥାୟୀ ଦେୟ ଓ ପରବର୍ତ୍ତୀ କିଲୋୱାଟ୍ ନିମନ୍ତେ ଅତିରିକ୍ତ ୨୦ ଟଙ୍କା ଦେୟ ଦେବାକୁ ପଡ଼ିବ। ଏହାସହିତ ରିହାତି ୧୦ ଟଙ୍କା ରହିଛି।

ସେହିଭଳି, ଜୁଲାଇ ୧ ତାରିଖରୁ, ୧୦ କିଲୋୱାଟ୍ ରୁ ଅଧିକ ସିଡି ବ୍ୟବହାର କରୁଥିବା ସ୍ମାର୍ଟ ମିଟର ଓ ଏଏମ୍ଆର୍ ମିଟର ବ୍ୟବହାରକାରୀଙ୍କ ନିମନ୍ତେ ନୂତନ ଦିବସ ସମୟ (ଟାଇମ୍ ଅଫ୍ ଡେ) ଦେୟ ଜାରି କରାଯାଇଛି। ନୂତନ ନିୟମାନୁସାରେ, ପୂର୍ବାହ୍ଣ ୮ଟାରୁ ଅପରାହ୍ଣ ୪ଟାକୁ ସୋଲାର୍ ଆୱାର୍ସ, ଅପରାହ୍ଣ ୪ଟାରୁ ୬ଟା ସାଧାରଣ ସମୟ (ନର୍ମାଲ୍ ଆୱାର୍ସ), ଅପରାହ୍ଣ ୬ଟାରୁ ମଧ୍ୟରାତ୍ରୀ ଯାଏଁ ସର୍ବାଧିକ ସମୟ (ପିକ୍ ଆୱାର୍ସ), ରାତି ୧୨ଟାରୁ ପରବର୍ତ୍ତୀ ଦିନ ସକାଳ ୮ଟା ଯାଏଁ ସାଧାରଣ ସମୟ (ନର୍ମାଲ୍ ଆୱାର୍ସ) ରହିଛି।