FeaturedLatestNewsPolitics

ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟସଭା ନିର୍ବାଚନ ପରେ ଦଳରେ ଦେଖା ଦେଇଥିବା ଆଭ୍ୟନ୍ତରୀଣ କନ୍ଦଳ ମଧ୍ୟରେ ବିଜେଡିରେ ମିଶିଛନ୍ତି ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି। ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ବି ବିଜେଡିରେ ସାମିଲ୍ ହୋଇଛନ୍ତି। ବୁଧବାର ସକାଳେ ଶଙ୍ଖ ଭବନ ଆସି ବିଜେଡିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ, ପ୍ରତାପ ଜେନା ଓ ଦେବୀ ମିଶ୍ରଙ୍କ ଉପସ୍ଥିତିରେ ସେମାନେ ଦଳରେ ସାମିଲ ହୋଇଛନ୍ତି। ପରେ ସେମାନେ ନବୀନ ନିବାସ ଯାଇ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ ।

ଏହି ଦୁଇ ନେତା ଅତୀତରେ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ। ତେବେ ଏହି ଦୁଇ ନେତା ବିଜେଡିରେ ସାମିଲ ହେବା ଦ୍ଵାରା ବାଲେଶ୍ଵର ଜିଲ୍ଲାର ରାଜନୀତିରେ ନୂଆ ସମୀକରଣ ହେବାକୁ ଯାଉଛି। ଦୁଇ ନେତାଙ୍କ ଆଗମନ ବାଲେଶ୍ଵର ବିଜେଡିକୁ ମଜବୁତ କରିବାରେ ସହାୟକ ହୋଇପାରେ।

ସେମାନେ ସେହି ସମୟରେ ବିଜେଡିକୁ ଫେରିଛନ୍ତି ଯେଉଁ ସମୟରେ ବାଲେଶ୍ଵରର ନେତା ରବୀନ୍ଦ୍ର ଜେନା କିଛି ଦିନ ତଳେ ବିଜେଡି ଛାଡ଼ି ବିଜେପିରେ ମିଶିଛନ୍ତି। ତାଙ୍କ ପତ୍ନୀ ତଥା ବସ୍ତା ବିଧାୟକ ସୁବାସିନୀ ଜେନା ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରି ବିଜେଡିରୁ ନିଲମ୍ବିତ ହୋଇଛନ୍ତି।

ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ୨୦୧୯ରେ ବିଜେଡି ଛାଡ଼ି ବିଜେପିରେ ସାମିଲ ହେବା ସହ ବସ୍ତା ଆସନରୁ ନିର୍ବାଚନ ଲଢ଼ିଥିଲେ ମଧ୍ୟ ପରାଜିତ ହୋଇଥିଲେ। ଅବଶ୍ୟ ସେ ଏହା ପୂର୍ବରୁ ୫ ଥର ବସ୍ତାରୁ ବିଧାୟକ ହୋଇଥିଲେ। ବିଜେଡିର ଜଣେ ଟାଣୁଆ ନେତା ଭାବରେ ସେ ଖୁବ୍ ପରିଚିତ ଥିଲେ।

ହେଲେ ବଧୂ ନିର୍ଯାତନା ମାମଲାରେ ଛନ୍ଦି ହେବା ଯୋଗୁ ବିଜେଡିରୁ ନିଲମ୍ବିତ ହୋଇଥିଲେ। ପରବର୍ତ୍ତୀ ସମୟରେ ଦଳୀୟ ଟିକେଟ ନମିଳିବାରୁ ବିଜେପିରେ ଯୋଗ ଦେଇ ନିର୍ବାଚନ ଲଢ଼ିଥିଲେ ରଘୁନାଥ ମହାନ୍ତି। ମାତ୍ର ୨୦୨୪ ନିର୍ବାଚନ ପୂର୍ବରୁ ସେ ବିଜେପି ଛାଡ଼ିଥିଲେ।

ଜୀବନ ପ୍ରଦୀପ ଦାସ ପ୍ରଥମେ ୨୦୦୦ ମସିହାରେ ବିଜେପି ଟିକେଟରେ ବାଲେଶ୍ୱର ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ହେଲେ ୨୦୦୯ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେଡିରେ ଯୋଗ ଦେଇ ସାମିଲ ହୋଇଥିଲେ ଏବଂ ଟିକେଟ ପାଇ ବାଲେଶ୍ବର ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ୨୦୧୪ରେ ମଧ୍ୟ ବିଜେଡି ଟିକେଟରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ହେଲେ ୨୦୧୯ରେ ସେ ପରାଜୟର ସାମ୍ନା କରିଥିଲେ। ପରେ ବିଜେପି ପ୍ରାର୍ଥୀ ମଦନ ମୋହନ ଦତ୍ତଙ୍କ ଦେହାନ୍ତ ପରେ ସେଠାରେ ଉପନିର୍ବାଚନ ହୋଇଥିଲା। ହେଲେ ବିଜେଡି ଉପନିର୍ବାଚନ ପାଇଁ ପ୍ରଦୀପଙ୍କୁ ପୁନଃ ଟିକେଟ ଦେଇନଥିଲା। ଅଭିଯୋଗ ହୋଇଥିଲା ଯେ, ସେ ଦଳ ବିରୋଧୀ ଆଭିମୁଖ୍ୟ ଆପଣାଇ ବିଜେପି ପ୍ରାର୍ଥୀଙ୍କୁ ସହଯୋଗ କରିଥିଥିଲେ। ଯାହାକୁ ନେଇ ବିଜେଡି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲା।

୨୦୨୦ ନଭେମ୍ବର ମାସରେ ତାଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଥିଲା। ନିଲମ୍ବନ ହେବା ପର ଦିନ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ୨୦୨୧ ଜାନୁଆରୀ ମାସରେ ସେ ପୁଣି ବିଜେପିରେ ଯୋଗ ଦେଇଥିଲେ। ହେଲେ ଏବେ ୫ ବର୍ଷ ପରେ ସେ ବିଜେପିରୁ ପୁଣି ଇସ୍ତଫା ଦେଇ ବିଜେଡିରେ ଫେରିଛନ୍ତି।