CrimeFeaturedLatestNews

ଟ୍ରେଡିଂ ପ୍ଲାଟଫର୍ମରେ ୧୨.୩୩ କୋଟି ଠକେଇ, ପଶ୍ଚିମବଙ୍ଗରୁ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର (ସଂକେତ ଟିଭି): ଟ୍ରେଡିଂ ପ୍ଲାଟଫର୍ମରେ ବହୁଗୁଣ ଲାଭ ଦେବା ଆଳରେ ୧୨.୩୩ କୋଟି ଟଙ୍କା ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ ପଶ୍ଚିମବଙ୍ଗରୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଏନେଇ ଆଜି (ବୁଧବାର) କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରେସ ରିଲିଜ୍ ଜରିଆରେ ସୂଚନା ଦିଆଯାଇଛି।

ଗିରଫ ଅଭିଯୁକ୍ତ ହେଲା କଲିକତାର ରାହୁଲ ଜୟସ୍ୱାଲ (୩୬)। ତାଙ୍କ ଠାରୁ ମୋବାଇଲ, ସିମ୍ କାର୍ଡ ଓ ଅନ୍ୟାନ୍ୟ ଡିଜିଟାଲ ଡିଭାଇସ ଆଦି ଜବତ ହୋଇଛି। ଗିରଫ ପରେ ଅଭିଯୁକ୍ତଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା। ତେବେ ରାହୁଲଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଆଣୁଛି କ୍ରାଇମବ୍ରାଞ୍ଚ। କଟକ JMFC-3 କୋର୍ଟରେ ଅଭିଯୁକ୍ତ ରାହୁଲଙ୍କୁ ହାଜର କରାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି। ଅଭିଯୁକ୍ତ ରାହୁଲ ଏମବିଏ ଗ୍ରାଜୁଏଟ ହୋଇଥିବା ବେଳେ ଏବେ ନିଜେ ବ୍ୟବସାୟ କରୁଛନ୍ତି।

ଏହି ମାମଲାରେ ଠକେଇର ଶିକାର ହୋଇଥିବା ଅଭିଯୋଗକାରୀ ଜଣକ ଅଧିକ ଲାଭ ପାଇବାକୁ ସାଇବର ଅପରାଧୀଙ୍କ ଜାଲରେ ଫସିଯାଇଥିଲେ। ସାଇବର ଠକ ଗ୍ୟାଙ୍ଗ ୨୦୨୫ ଜୁଲାଇ ୩୧ରେ ତାଙ୍କୁ ହ୍ୱାଟ୍ସଆପ୍ ମାଧ୍ୟମରେ ଯୋଗାଯୋଗ କରିଥିଲେ। ସେମାନଙ୍କ ଦ୍ବାରା ସେୟାର ମାର୍କେଟରେ ଟଙ୍କା ଲଗାଇଲେ ବହୁଗୁଣ ଲାଭ ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଫଳରେ ଅଭିଯୋଗକାରୀ ଠକଙ୍କ କଥାରେ ପଡ଼ି ଟଙ୍କା ନିବେଶ କରିବାକୁ ରାଜି ହୋଇଯାଇଥିଲେ।

ସାଇବର ଠକଙ୍କ କଥାରେ ପଡ଼ି ଅଭିଯୋଗକାରୀ ୨୦୨୫ ଅଗଷ୍ଟ ୧୨ରୁ ସେପ୍ଟେମ୍ବର ୨ ମଧ୍ୟରେ ୧୨ କୋଟି ୩୩ ଲକ୍ଷ ୫୫ ହଜାର ଟଙ୍କା ନିବେଶ ପାଇଁ ଦେଇ ଦେଇଥିଲେ। ଠକଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଭିନ୍ନ ପର୍ଯ୍ୟାୟରେ ୫୨ଟି ଟ୍ରାଞ୍ଜାକ୍ସନରେ ସେ ୯ଟି ଆକାଉଣ୍ଟରେ ଟଙ୍କା ଟ୍ରାନ୍ସଫର୍ କରିଥିଲେ। ଏହାପରେ ଟ୍ରେଡିଂ ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଚାହିଁଥିଲେ। ହେଲେ ରିସ୍କ୍ କଣ୍ଟ୍ରୋଲ୍ ଟିମ୍ ବିଭିନ୍ନ ବାହାନା କରି ଟଙ୍କା ଛାଡ଼ିବାକୁ ମନା କରିଥିଲା। ପରେ ସେ ଠକେଇରେ ପଡ଼ିଥିବା ଜାଣିବାକୁ ପାଇଥିଲେ।

ଠକେଇର ଶିକାର ଅଭିଯୋଗକାରୀ ଜଣକ କ୍ରାଇମବ୍ରାଞ୍ଚର ଦ୍ୱାରସ୍ଥ ହୋଇଥିଲେ। ୨୦୨୫ ସେପ୍ଟେମ୍ବର ୬ରେ ଏନେଇ କ୍ରାଇମବ୍ରାଞ୍ଚ ସାଇବର ଥାନା ମାମଲା (ନଂ.୨୮/୨୦୨୫) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ୪ କୋଟି ୧୫ ଲକ୍ଷ ୫୦ ହଜାର ଟଙ୍କା ଅଭିଯୁକ୍ତ ରାହୁଲଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଥିବା ଜଣାପଡ଼ିଥିଲା। ଏହି ମାମଲାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାକୁ କ୍ରାଇମବ୍ରାଞ୍ଚ ପ୍ରୟାସ ଜାରି ରଖିଛି।