୨୩ ସହଯୋଗୀଙ୍କ ସହ ୨ ମୋଷ୍ଟ ୱାଣ୍ଟେଡ ମାଓନେତା ଶୁକ୍ରୁ ଓ ପାପା ରାଓଙ୍କ ଆତ୍ମସମର୍ପଣ
ଭୁବନେଶ୍ୱର (ସଂକେତ ଟିଭି): ମାଓବାଦ ବିରୋଧୀ ଅଭିଯାନରେ ବଡ଼ ସଫଳତା ମିଳିଛି। ଦୁଇ ମୋଷ୍ଟ ୱାଣ୍ଟେଡ ମାଓନେତା ଶୁକ୍ରୁ ଓ ପାପା ରାଓଙ୍କ ସମେତ ୨୩ ଜଣ ସହଯୋଗୀ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି। ଏହି ଆତ୍ମସମର୍ପଣ ଘଟଣା ରାଜ୍ୟର ଆଣ୍ଟି ନକ୍ସଲ ଅପରେସନ ପାଇଁ ଏକ ମାଇଲଖୁଣ୍ଟ ଭାବେ ପରିଗଣିତ ହେଉଛି।
ମୋଷ୍ଟ ୱାଣ୍ଟେଡ ମାଓନେତା ଶୁକ୍ରୁ ଏବଂ ତାଙ୍କର ୫ ସହଯୋଗୀ ଆଣ୍ଟି ନକ୍ସଲ ଅପରେସନ ଏଡିଜି ସଞ୍ଜୀବ ପଣ୍ଡାଙ୍କ ଉପସ୍ଥିତିରେ ପୁଲବାଣୀଠାରେ ଆତ୍ମସମର୍ପଣ କରିଛନ୍ତି। ୪୯ ବର୍ଷୀୟ ଶୁକ୍ରୁ ରାଜ୍ୟ କମିଟିର ସଦସ୍ୟ ଥିଲେ ଏବଂ ତାଙ୍କ ମୁଣ୍ଡରେ ୫୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ କୁରୁବ ଗାଁରେ ତାଙ୍କର ଘର। ସେ ଗତ ୨୦ ବର୍ଷ ଧରି ମାଓ ସଂଗଠନ ସହ ଜଡ଼ିତ ଥିଲେ ଏବଂ ମାତ୍ର ୨୫ ବର୍ଷ ବୟସରେ ଘର ଛାଡ଼ି ଏହି ସଂଗଠନରେ ଯୋଗ ଦେଇଥିଲେ।
ଶୁକ୍ରୁ ପ୍ରଥମେ ଛତିଶଗଡ଼ର କଣ୍ଟା ଏରିଆ କମିଟିରେ ଯୋଗ ଦେଇଥିଲେ। ସେ ଛତିଶଗଡ଼ର ତାଡ଼ମେଟଲାରେ ୭୬ ଯବାନ ସହିଦ ଘଟଣା ଏବଂ ରାନୀବଗଲି ସୁରକ୍ଷାକର୍ମୀ କ୍ୟାମ୍ପ ଆକ୍ରମଣରେ ୫୦ ସହିଦ ଘଟଣାରେ ସମ୍ପୃକ୍ତ ଥିଲେ। ଶୁକ୍ରୁଙ୍କ ସ୍ତ୍ରୀ ରୁକ୍ମଣୀ ମଧ୍ୟ ସଂଗଠନରେ ACM କ୍ୟାଡ଼ର ଭାବରେ କାର୍ଯ୍ୟ କରୁଥିଲେ। ଉଲ୍ଲେଖଯୋଗ୍ୟ, ୨୦୨୦ ମସିହାରେ ରୁକ୍ମଣୀଙ୍କୁ ପୋଲିସ ଏନକାଉଣ୍ଟରରେ ନିପାତ କରିଥିଲା।
ଅନ୍ୟପଟେ, ଟପ ମାଓବାଦୀ ପାପା ରାଓ ମଧ୍ୟ ୧୮ ହାର୍ଡକୋର ମାଓବାଦୀଙ୍କ ସହ ଆତ୍ମସମର୍ପଣ କରିଛନ୍ତି। ଛତିଶଗଡ଼ର ଜଗଦଲପୁର ଲାଲବାଗରେ ଛତିଶଗଡ଼ ଗୃହମନ୍ତ୍ରୀ ବିଜୟ ଶର୍ମା ଏବଂ ବସ୍ତର ଆଇଜି ପି. ସୁନ୍ଦରରାଜଙ୍କ ଉପସ୍ଥିତିରେ ସେ ଆତ୍ମସମର୍ପଣ କରିଛନ୍ତି। ପାପା ରାଓ ଏବଂ ତାଙ୍କ ସହଯୋଗୀମାନେ ବହୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ପୋଲିସ ନିକଟରେ ସରେଣ୍ଡର କରିଛନ୍ତି। ସେମାନଙ୍କ ଠାରୁ AK-47, SLR, INSAS ରାଇଫଲ୍, 303 ରାଇଫଲ୍ ଏବଂ ଗୋଟିଏ BGL ଲଞ୍ଚର୍ ଜବତ କରାଯାଇଛି।
