ବିଧାୟକ ଦରମା ବୃଦ୍ଧି ବିଲ୍ ପ୍ରତ୍ୟାହାର, ମଉଳିଲା ଆଶା
ଭୁବନେଶ୍ୱର (ସଂକେତ ଟିଭି): ବିଧାୟକ ତଥା ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି ନେଇ ଥିବା ଆଶା ଏବେ ମଉଳି ଯାଇଛି। ସରକାର ଦରମା ବୃଦ୍ଧି ବିଲ୍କୁ ପ୍ରତ୍ୟାହୃତ କରିଛନ୍ତି। ବିଧାନସଭା ସଚିବ ଏହି ବିଲ୍ ପ୍ରତ୍ୟାହାର ପାଇଁ ନୋଟିସ୍ ଆଣିବା ସହ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ବିଧାନସଭାର ଗତ ଅଧିବେଶନରେ ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ବିନା ବିରୋଧରେ ଏହି ବିଲ୍ ପାସ୍ ମଧ୍ୟ ହୋଇଥିଲା। ନୂଆ ବ୍ୟବସ୍ଥା ଅନୁସାରେ, ବିଧାୟକମାନେ ଦରମା ଓ ଭତ୍ତା ବାବଦକୁ ମାସିକ ୩ ଲକ୍ଷ ଟଙ୍କା ପାଇବାର ବ୍ୟବସ୍ଥା ଥିଲା। ପୂର୍ବରୁ ସେମାନେ ମାସିକ ଲକ୍ଷେ ଟଙ୍କା ପାଉଥିଲେ।
ବିଧାନସଭାରେ ବିଧାୟକଙ୍କ ଦରମା, ଭତ୍ତା ଓ ପେନସନ ସଂଶୋଧନ ବିଲ୍-୨୦୨୫ ପାରିତ ହେବା ପରେ ବିଧାୟକ ଓ ମନ୍ତ୍ରୀମାନେ ଏହି ନୂଆ ଦରମା ପାଇବାର ଥିଲା। ବିଧାୟକଙ୍କ ମାସିକ ମୂଳ ଦରମା ୩୫ ହଜାର ଟଙ୍କାରୁ ବୃଦ୍ଧି ପାଇ ୯୬ ହଜାର ଟଙ୍କା ହୋଇଥିଲା। ନିର୍ବାଚନ ମଣ୍ଡଳୀ ଗସ୍ତ ଖର୍ଚ୍ଚ ବାବଦକୁ ୨୦ ହଜାର ଟଙ୍କା ବଦଳରେ ୭୫ ହଜାର ଟଙ୍କା ମିଳିବାର ବ୍ୟବସ୍ଥା ଥିଲା।
ସେହିପରି କମିଟି ବୈଠକ ଭତ୍ତା ୧୫୦୦ ଟଙ୍କା ବଦଳରେ ୩ ହଜାର ଟଙ୍କା, ରାଜ୍ୟ ବାହାରେ ବୈଠକ ପାଇଁ ଦୈନିକ ୨ ହଜାର ଟଙ୍କା ବଦଳରେ ୧୦ ହଜାର ଟଙ୍କା, ମାସିକ ଯାନବାହାନ ଭତ୍ତା ୧୫ ହଜାର ବଦଳରେ ୫୦ ହଜାର ଟଙ୍କା, ବିଜୁଳି ବିଲ୍ ବାବଦକୁ ୫ ହଜାର ବଦଳରେ ୨୦ ହଜାର ଟଙ୍କା ଏବଂ ଚିକିତ୍ସା ଖର୍ଚ୍ଚ ବାବଦକୁ ୫ ହଜାର ବଦଳରେ ୩୫ ହଜାର ଟଙ୍କା ମିଳିବାର ଥିଲା। ଏହିସବୁ ମିଶି ବିଧାୟକମାନେ ମାସିକ ୩ ଲକ୍ଷ ଟଙ୍କା ପାଇବାର ଥିଲେ। ତେବେ ଏବେ ସରକାର ଏହି ବିଲ୍କୁ ପ୍ରତ୍ୟାହୃତ କରିଦେବାରୁ ବିଧାୟକ, ମନ୍ତ୍ରୀ, ବାଚସ୍ପତି ଏବଂ ଉପବାଚସ୍ପତିଙ୍କ ଦରମା ବୃଦ୍ଧି ହେବା ଆଉ ସମ୍ଭବ ହୋଇନାହିଁ।
