CulturalFeaturedLatestNews

ପୂରୀ ରଥଯାତ୍ରା ପାଇଁ ରାମ ନବମୀରେ ଆରମ୍ଭ ହେଲା ରଥକାଠ ଚିରଟ

କଟକ (ସଂକେତ ଟିଭି): ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଆଜି ପବିତ୍ର ରାମ ନବମୀ ଅବସରରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ରଥକାଠ ଚିରଟ ଅନୁକୂଳ କରାଯାଇଛି । କଟକ ଖପୁରିଆ ସ୍ଥିତ ସରକାରୀ କରତ କଳରେ ସର୍ବ ପ୍ରଥମେ ରଥକାଠ ଅନୁକୂଳ କରାଯାଇଛି । ଏଥିପାଇଁ ସେଠାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ କରତ କଳରେ ପହଞ୍ଚିବା ପରେ ସ୍ୱତନ୍ତ୍ର ପୂଜାପାଠ ପରେ ରଥକାଠ ଅନୁକୂଳ କରାଯାଇଥିଲା ।

ପୁରୀ ବିଶ୍ୱନିୟନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହେଲା ପ୍ରସ୍ତୁତି । ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ଆଜ୍ଞାମାଳ ଆସିବା ପରେ କଟକ ଖପୁରିଆ ସ୍ଥିତ କରତ କଳରେ କାଠ ଚିରଟ ପକ୍ରିୟା ଆରମ୍ଭ ହୋଇଛି । ମନ୍ଦିରର ସେବାୟତମାନେ କାଠକୁ ପୂଜାର୍ଚ୍ଚନା କରିବା ପରେ ରଥକାଠ ଚିରା କାର୍ଯ୍ୟ ଆରମ୍ଭ ହୋଇଥିଲା । ଘଣ୍ଟଘଣ୍ଟା, ଶଙ୍ଖ, ହୁଳହୁଳି ଧ୍ବନୀରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ଆସନ୍ତା ଜୁଲାଇ ୧୬ରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜିଠୁ ବିଧିବଦ୍ଧ ଭାବରେ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ପବିତ୍ର ରାମନବମୀ ଅବସରରେ ଆଜି ମହାପ୍ରଭୁଙ୍କ ରଥ କାଠ ଚିରଟ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ପରମ୍ପରା ମୁତାବକ ୩ ଲମ୍ବ ବିଶିଷ୍ଟ ଧୌରା କାଠ ଚିରଟ କରାଯାଇଛି ବୋଲି ସେ କହିଛନ୍ତି । କାଠ ଚିରଟ ସମୟରେ ପୁରୀ ମନ୍ଦିର ପ୍ରଶାସନର ଅଧିକାରୀ ଓ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇ ଥିବା ମହାରଣା ସେବାୟତମାନେ ଉପସ୍ଥିତ ଥିଲେ ।

ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବାବେଳେ, ଗତବର୍ଷ ୪୭ ଖଣ୍ଡ କାଠ ବଳକା ଥିଲା । ତେବେ ଚଳିତବର୍ଷ ମୋଟ ୮୧୮ ଖଣ୍ଡ କାଠ ବନ ବିଭାଗ ପଠାଇବ । ଆଜି ପ୍ରାଥମିକ ପର୍ଯ୍ୟାୟରେ ୩ଟି ଫାସି କାଠ ଚିରଟ ହୋଇଛି । ରଥ ନିର୍ମାଣ ପାଇଁ ନୟାଗଡର ଦଶପଲ୍ଲା ସମେତ ବିଭିନ୍ନ ଜିଲ୍ଲାର ଜଙ୍ଗଲରୁ କାଠ ସଂଗ୍ରହ କରାଯାଇ କଟକ ଖପୁରିଆ ସ’ ମିଲ ଅଭିମୁଖେ ଆସିବ । ରଥ କାଠ ମଧ୍ୟରେ ଅସନ, ଧଉରା, ଫାସୀ ସମେତ ବହୁ ମୂଲ୍ୟବାନ କାଠ ଚିରଟ ହେବ । କାଠ ଗୁଡିକ ଏଠାରେ ପହଞ୍ଚିବା ପରେ ପର୍ଯ୍ୟାୟ କ୍ରମେ ସବୁ ଏହି କାଠକୁ ଆବଶ୍ୟକ ମୁତାବକ ସାଇଜରେ ମେସିନ ସାହାଯ୍ୟରେ ଚିରଟ ହେବ । ତେବେ ଖୁବଶୀଘ୍ର କାଠ ଚିରଟ ହୋଇ ପୁରୀ ଅଭିମୁଖେ ଯାତ୍ରା କରିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ।