୨ୟ ପର୍ଯ୍ୟାୟ ରତ୍ନଭଣ୍ଡାର ଗଣତି ଆସନ୍ତା ୮, ୯ ଓ ୧୦ ତାରିଖରେ
ଭୁବନେଶ୍ୱର (ସଂକେତ ଟିଭି): ଖୁବଶୀଘ୍ର ଶ୍ରୀମନ୍ଦିରର ବାହାର ରତ୍ନଭଣ୍ଡାରର ୨ୟ ପର୍ଯ୍ୟାୟ ଗଣତିମଣତି ହେବ। ଆସନ୍ତା ୮, ୯ ଏବଂ ୧୦ ତାରିଖରେ ଏହି ଗଣତି କରାଯିବ ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ, ଗତ ୨୫ ତାରିଖରେ ପ୍ରଥମ ପର୍ଯ୍ୟାୟ ଗଣତି ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା। ଏବେ ଏପ୍ରିଲ ମାସରେ ତିନି ଦିନ ଧରି ଦ୍ୱିତୀୟ ପର୍ଯ୍ୟାୟ ଗଣତି କରାଯିବ। ଏଥିପାଇଁ ଏପ୍ରିଲ ୮, ୯ ଏବଂ ୧୦ ତାରିଖ ଧାର୍ଯ୍ୟ କରାଯାଇଛି।
ଗଣତି ଦିନ ମହାପ୍ରଭୁଙ୍କ ଦର୍ଶନ କିମ୍ବା ନୀତିକାନ୍ତିରେ କୌଣସି ପ୍ରକାର ବାଧା ନହେବା ନେଇ ଆଲୋଚନା ସରିଛି। ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି। ଏହି ପ୍ରସ୍ତୁତି ପରେ ଭିତର ରତ୍ନଭଣ୍ଡାରର ଗଣତି କରାଯିବ। ସବୁ କାମ ନିର୍ଦ୍ଧାରିତ ସମୟରେ ସରିବ ବୋଲି ଆଶା କରାଯାଉଛି।
ସେହିପରି ଆଗାମୀ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ସୁରୁଖୁରୁରେ କରିବା ପାଇଁ ୬ ମାସ ଆଗରୁ ପ୍ରସ୍ତୁତି ବୈଠକ ବସିଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବାରମ୍ବାର ବୈଠକ ବସୁଛି। ବଡ଼ଦାଣ୍ଡକୁ ଅଧିକ ଗାଡ଼ି ପ୍ରବେଶ ନକରିବା ଉପରେ ଗୁରୁତ୍ୱ ଦିଆଯାଉଛି। ରଥଦାଣ୍ଡକୁ ସଂଲଗ୍ନ ରାସ୍ତାଗୁଡ଼ିକର ପ୍ରସ୍ତୁତିକରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି।
