ବିନା ହେଲମେଟରେ ବାଇକ୍ ଚଲାଇଲେ ସ୍ବାସ୍ଥ୍ୟମନ୍ତ୍ରୀ, ବହିଷ୍କାର ଦାବି କଲା ବିଜେଡି
ଭୁବନେଶ୍ୱର (ସଂକେତ ଟିଭି): ରାମ ନବମୀ ଶୋଭାଯାତ୍ରାରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବିନା ହେଲମେଟରେ ମଟର ସାଇକେଲ ଚଳାଉଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଜୁ ଜନତା ଦଳ (ବିଜେଡି) ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏହି ଆଚରଣ ଓ ଉଚ୍ଚାରଣକୁ ନେଇ ବିଜେଡି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ଏବଂ ମୁକେଶ ମହାଲିଙ୍ଗଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବାକୁ ଦାବି କରିଛି।
ରାଜ୍ୟର ସାଧାରଣ ଜନତା ମଧ୍ୟ ଏହି କାର୍ଯ୍ୟକୁ ନାପସନ୍ଦ କରିଥିବା ବେଳେ, ବିଜେଡି ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, “ମନ୍ତ୍ରୀ ମୁକେଶ ମହାଲିଙ୍ଗ ଲଗାତର ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରି ଆସୁଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ରହସ୍ୟମୟ ନିରବତା ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।”
ଡ଼ ଲେନିନ ମହାନ୍ତି ଆହୁରି କହିଛନ୍ତି, “ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ଲୋଇସିଙ୍ଗା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ମନ୍ତ୍ରୀ ମୁକେଶ ମହାଲିଙ୍ଗ ଅନୁସୂଚିତ ଜାତି ବର୍ଗର ନୁହଁନ୍ତି ବୋଲି ଜାଲ୍ ପ୍ରମାଣପତ୍ର ଦେଇ ଏହା ହାସଲ କରିଛନ୍ତି। ଏଭଳି ଗୁରୁତର ଅଭିଯୋଗ ଥିବା ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ଦେବା ରାଜ୍ୟ ସରକାରଙ୍କ ନୀତି ଉପରେ ସଙ୍ଗୀନ ପ୍ରଶ୍ନ ଛିଡ଼ା କରିଛି।”
ସେ ପୂର୍ବ ଘଟଣାଗୁଡ଼ିକୁ ମଧ୍ୟ ଉଲ୍ଲେଖ କରି କହିଛନ୍ତି ଯେ, SCB ଅଗ୍ନିକାଣ୍ଡରେ ୧୩ ଜଣଙ୍କ ମୃତ୍ୟୁ ପରେ ମନ୍ତ୍ରୀ ନୈତିକ ଦାୟିତ୍ୱ ନେବାକୁ ଇସ୍ତଫା ଦେବା ଉଚିତ୍ ଥିଲା। ଏତଦ୍ବ୍ୟତୀତ, ପୂର୍ବରୁ ସେ ବିଧାନସଭାରେ ଅଶ୍ରାବ୍ୟ ଭାଷା ପ୍ରୟୋଗ କରିଥିଲେ ଏବଂ SCB ଅଗ୍ନିକାଣ୍ଡ ସମୟରେ ପାରାଦ୍ବୀପରେ ମଉଜ ମଜଲିସରେ ବ୍ୟସ୍ତ ଥିଲେ। ଏସବୁ ସତ୍ତ୍ୱେ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ବିଜେଡି ତୀବ୍ର ଅସନ୍ତୋଷ ପ୍ରକାଶ କରିଛି।
