ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ସ୍ଥଗିତ: ରାଜ୍ୟ ସରକାର
ଭୁବନେଶ୍ୱର (ସଂକେତ ଟିଭି): ରାଜଧାନୀ ଭୁବନେଶ୍ବର ଓ କଟକ ସହରାଞ୍ଚଳର ପରିବହନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବାକୁ ଥିବା ମେଟ୍ରୋ ପ୍ରକଳ୍ପ ବର୍ତ୍ତମାନ ପାଇଁ ସ୍ଥଗିତ ରହିଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏନେଇ ସୂଚନା ଦେଇ କହିଛନ୍ତି ଯେ ପ୍ରକଳ୍ପର ବୈଷୟିକ ଦିଗଗୁଡ଼ିକର ପୁନଃଅନୁଧ୍ୟାନ ପାଇଁ ଏହାକୁ ସ୍ଥଗିତ ରଖାଯାଇଛି।
ଜାତୀୟ ମେଟ୍ରୋ ରେଳ ନୀତି ସହ ଅନୁପାଳନ, ଆଶାଠାରୁ କମ୍ ଯାତ୍ରୀ ସଂଖ୍ୟା ଏବଂ ପ୍ରକଳ୍ପର ବୈଷୟିକ ଦିଗଗୁଡ଼ିକର ପୁନଃ-ଅନୁଧ୍ୟାନ କରିବା ଉଦ୍ଦେଶ୍ୟରେ ବର୍ତ୍ତମାନ ସରକାର ଏହି ପ୍ରକଳ୍ପକୁ ପରୀକ୍ଷାଧୀନ ଭାବେ ସ୍ଥଗିତ ରଖିଛନ୍ତି। ଏହି ସମସ୍ତ ବିଷୟରେ ସୁପାରିଶ ପ୍ରଦାନ ପାଇଁ ଏକ ଆନ୍ତଃ-ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି।
ସେହିପରି, ରାଜ୍ୟ ସରକାରଙ୍କ ଦ୍ବାରା “Sustainable Urban Mobility Transition Plan for Odisha” ଶୀର୍ଷକ ଏକ ପ୍ରକଳ୍ପ ମଧ୍ୟ କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନା ଓଡ଼ିଶାରେ ମେଟ୍ରୋ ରେଳ ସମେତ ସାମଗ୍ରିକ ସହରୀ ପରିବହନ ବ୍ୟବସ୍ଥାକୁ ଚୂଡ଼ାନ୍ତ ରୂପ ଦେବାରେ ସହାୟକ ହେବ। ଆନ୍ତଃ-ମନ୍ତ୍ରୀସ୍ତରୀୟ କମିଟିର ସୁପାରିଶ ଏବଂ ଏହି ସହରୀ ପରିବହନ ଯୋଜନାର ରିପୋର୍ଟକୁ ବିସ୍ତୃତ ଅନୁଧ୍ୟାନ କରିବା ପରେ, ସରକାର ଆଗାମୀ ଦିନରେ ଏହି ପ୍ରକଳ୍ପ ସମ୍ପର୍କରେ ଅନ୍ତିମ ସିଦ୍ଧାନ୍ତ ଗ୍ରହଣ କରିବେ।
ଉଲ୍ଲେଖଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ ମେଟ୍ରୋ ପ୍ରକଳ୍ପଟି ଭୁବନେଶ୍ବର ବିମାନବନ୍ଦରରୁ କଟକର ତ୍ରିଶୁଳିଆ ପର୍ଯ୍ୟନ୍ତ ନିର୍ମାଣ କରାଯିବାକୁ ପ୍ରସ୍ତାବ ରହିଥିଲା। ଏହି ପ୍ରସ୍ତାବିତ ରୁଟ୍ ପାଇଁ ପ୍ରାୟ ୬ ହଜାର ୨୫୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା।
