CrimeFeaturedLatestNews

ରାୟଗଡ଼ାରେ ବହୁ ବିସ୍ଫୋରକ ସହ ମାଓ ସାମଗ୍ରୀ ଜବତ

ରାୟଗଡ଼ା (ସଂକେତ ଟିଭି): ରାୟଗଡ଼ା ଜିଲ୍ଲାର ବିଭିନ୍ନ ଜଙ୍ଗଲରୁ ଡିଭିଏଫ୍‌ (ଡିଷ୍ଟ୍ରିକ୍ଟ ଭଲଣ୍ଟିଅର ଫୋର୍ସ) ସୁରକ୍ଷାକର୍ମୀଙ୍କ ଦ୍ଵାରା ବିପୁଳ ପରିମାଣର ବିସ୍ଫୋରକ ଏବଂ ମାଓବାଦୀମାନେ ବ୍ୟବହାର କରୁଥିବା ସାମଗ୍ରୀ ଜବତ କରାଯାଇଥିବା ନେଇ ଆଜି ରାୟଗଡ଼ା ଆରକ୍ଷୀ ଅଧୀକ୍ଷକ ସ୍ଵାଥୀ ଏସ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି।

ସ୍ଥାନୀୟ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ଶ୍ରୀ କୁମାର ସୂଚନା ଦେଇ କହିଛନ୍ତି ଯେ, ଗତ ଫେବୃଆରୀ ମାସରେ ନିଖିଲ ଇନ୍ଦୁଙ୍କ ସମେତ ୧୫ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ। ଏହାପରେ ସୁରକ୍ଷାକର୍ମୀମାନେ ରାୟଗଡ଼ା-କନ୍ଧମାଳ ସୀମାନ୍ତ ଅଞ୍ଚଳରେ ରହିଥିବା ମୁନିଗୁଡ଼ା ଓ ଆମ୍ବଦଳା ଥାନା ଅନ୍ତର୍ଗତ ପାଜିଗାରେଗା ଗ୍ରାମ ନିକଟସ୍ଥ ଜଙ୍ଗଲ, ଆମ୍ବ୍ରିଖୋଲ ଗ୍ରାମ ଏବଂ ପତ୍ରାଣୀ ଗ୍ରାମର ଜଙ୍ଗଲରେ ଏହି ବିପୁଳ ବିସ୍ଫୋରକ ଓ ସାମଗ୍ରୀ ଜବତ କରିଥିଲେ।

ଡିଭିଏଫ୍‌ ଦ୍ଵାରା ଜବତ ହୋଇଥିବା ବିସ୍ଫୋରକ ଓ ସାମଗ୍ରୀ ମଧ୍ୟରେ ୪୧୫ ଟି ଡିଟୋନେଟର, ୮ ବଣ୍ଡଲ କୋର୍ଡେକ୍ସ, ୩ଟି ବ୍ୟାଗରେ ୨୯ କେଜି ଉଚ୍ଚ ବିସ୍ଫୋରକ ସାମଗ୍ରୀ, ୨ଟି ସିଙ୍ଗଲ ସଟ ଗନ୍, ଗୋଟିଏ ବିଜିଏଲ (BGL) ବନ୍ଧୁକ, ଗୋଟିଏ ଲାପଟପ, ଚାର୍ଜର, ୨ଟି ଇଲେକ୍ଟ୍ରିକ୍ ୱାଇର ବଣ୍ଡଲ, ଲାଲ କପଡ଼ା ଓ ପ୍ଲାଷ୍ଟିକ କଣ୍ଟେନର ରହିଛି।

ରାୟଗଡ଼ା ଜିଲ୍ଲା ମାଓମୁକ୍ତ ହୋଇଛି କି ନାହିଁ ବୋଲି ଗଣମାଧ୍ୟମର ପ୍ରଶ୍ନରେ ଜିଲ୍ଲା ପୁଲିସ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଏସପି ଶ୍ରୀ କୁମାର କହିଛନ୍ତି ଯେ, ରାୟଗଡ଼ା ଜିଲ୍ଲାରେ ମାଓବାଦୀଙ୍କ ଗତିବିଧି ବିଶେଷ ନାହିଁ। ଏନେଇ ଏଡିଜି ନକ୍ସଲଙ୍କୁ ସୂଚନା ଦିଆଯାଇଛି। ଜିଲ୍ଲାରେ ମାତ୍ର ହାତଗଣତି ସଂଖ୍ୟାରେ ନକ୍ସଲ ରହିଥିବା ସେ ଉଲ୍ଲେଖ କରିଛନ୍ତି।

କାଶିପୁର ବ୍ଲକର ସର୍ବେଶ ମାଝି ଓରଫ ମଙ୍ଗୁରଙ୍କ ସ୍ଥିତି ସମ୍ପର୍କରେ ପଚରାଯିବାରୁ, ଏସପି ସ୍ଵାଥୀ ଏସ କୁମାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ, ବର୍ତ୍ତମାନ ସେ କନ୍ଧମାଳ-ଗଞ୍ଜାମ ସୀମାନ୍ତ ଅଞ୍ଚଳରେ ଗତିବିଧି କରୁଛନ୍ତି।