FeaturedLatestNews

ଗୋରୁ ଗାଡି ଅଟକାଇବାକୁ ଯାଇ ପ୍ରାଣ ଗଲା: ଏସକର୍ଟ ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ

ବାଲେଶ୍ବର (ସଂକେତ ଟିଭି): ଗୋରୁ ଗାଡ଼ି ଅଟକାଇବା ବେଳେ ଗଲା ଜୀବନ। ଗୋରୁ ଚାଲାଣ ବେଳେ ଯୁବକଙ୍କ ମୃତ୍ୟୁ ଘଟିଛି। ବାଲେଶ୍ବର ଜିଲ୍ଲା ବାହାନଗା ନିକଟରେ ଏସକର୍ଟ ଗାଡି ଧକ୍କାରେ ଗୋସୁରକ୍ଷା ବାହିନୀର ଜଣେ ସଦସ୍ୟ ମୃତ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଘଟଣାର ତଦନ୍ତ କରୁଛି ପୋଲିସ୍।

ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଗୋରୁ ଚାଲାଣ ହେଉଥିବା ଖବର ପାଇ କିଛି ଯୁବକ ଗାଡ଼ିକୁ ଅଟକାଇବା ପାଇଁ ପିଛା କରିଥିଲେ। ଗାଡ଼ିଟି ଦ୍ରୁତ ଗତିରେ ଯାଉଥିବା ବେଳେ ପଂଚଲିଙ୍ଗେଶ୍ୱର ଅଂଚଳର କୃପାସିନ୍ଧୁ ବେହେରା ଓ ଲମ୍ବୋଧର ମହାପାତ୍ର ଏକ ବାଇକରେ ଗାଡ଼ିକୁ ପିଛା କରିଥିଲେ। ଗୋରୁ ବୋଝେଇ ଗାଡ଼ିକୁ ସୁରକ୍ଷା ଦେଉଥିବା ଅନ୍ୟ ଏକ ଗାଡ଼ି ଖନ୍ତାପଡା ନିକଟରେ ବାଇକରେ ଥିବା ୨ ଜଣ ଯୁବକଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଖନ୍ତାପଡା ପୁଲିସ୍ ଗାଡ଼ିକୁ ଜବତ କରିଛି।

ଦୁର୍ଘଟଣାର ଶିକାର ହୋଇଥିବା ଯୁବକ ଦୁଇଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର କୃପାସିନ୍ଧୁଙ୍କୁ ମୃତ ଘୋଷଣା କରିଥିଲେ। ଲମ୍ବୋଦରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବାଲେଶ୍ୱର ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୃତ ଗୋସୁରକ୍ଷା କର୍ମୀ କୃପାସିନ୍ଧୁ ବେହେରାଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ସରକାରଙ୍କ ପକ୍ଷରୁ ଏହି ସହାୟତା ଘୋଷଣା କରାଯାଇଥିଲେ ମଧ୍ୟ ଗୋସୁରକ୍ଷା କର୍ମୀମାନେ କ୍ଷୁବ୍ଧ ହୋଇ ଉଠିଛନ୍ତି।

ସେମାନେ ଖନ୍ତାପଡ଼ା ଥାନାରେ ଶବ ରଖି ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ପ୍ରତିବାଦ କରିଥିଲେ। ଏହି ପ୍ରତିବାଦ କାର୍ଯ୍ୟକ୍ରମ ଅଧୀନରେ ଗୋସେବକମାନେ ଜାତୀୟ ରାଜପଥ ଅବରୋଧ କରିଥିଲେ । ଫଳରେ ଉକ୍ତ ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ପ୍ରଶାସନ ପକ୍ଷରୁ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ ସୁଦ୍ଧା ସେମାନେ ଆନ୍ଦୋଳନ ଜାରୀ ରଖିଥିଲେ । ଫଳରେ ପୋଲିସ ଆନ୍ଦୋଳନକାରୀଙ୍କୁ ଘଉଡାଇ ରାସ୍ତା ଅବରୋଧ ହଟାଇଥିବା ଜଣାପଡିଛି।