FeaturedLatestNews

ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପରେ ପଡ଼ିଲା ପୂର୍ଣ୍ଣଚ୍ଛେଦ

ଭୁବନେଶ୍ୱର (ସଂକେତ ଟିଭି): ଭୁବନେଶ୍ବରରେ ମେଟ୍ରୋ ରେଳ ପ୍ରକଳ୍ପରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ରାଜ୍ୟ ସରକାର ଏହି ପ୍ରକଳ୍ପକୁ ସମ୍ପୂର୍ଣ୍ଣ ବନ୍ଦ କରି ଦେଇଛନ୍ତି। ଏହା ଆଶାଜନକ ଲାଭ ଦେବ ନାହିଁ ଏବଂ ଆଶାନୁରୂପ ଯାତ୍ରୀ ସଂଖ୍ୟା ମିଳିବ ନାହିଁ ବୋଲି ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। ଏହି ପ୍ରକଳ୍ପ ନେଇ ଦିଲ୍ଲୀ ମେଟ୍ରୋ ରେଲ୍ ନିଗମ ସହ ହୋଇଥିବା ଚୁକ୍ତିକୁ ମଧ୍ୟ ବାତିଲ୍ କରି ଦିଆଯାଇଛି।

ମେଟ୍ରୋ ରେଳ ପ୍ରକଳ୍ପ ନେଇ ସ୍ୱତନ୍ତ୍ର ଭାବେ ଗଠିତ ଭୁବନେଶ୍ବର ମେଟ୍ରୋ ରେଳ ନିଗମକୁ ନୋଡାଲ୍ ଏଜେନ୍ସି ନିଯୁକ୍ତ କରାଯାଇଛି। ଇଣ୍ଟର-ମିନିଷ୍ଟ୍ରିଆଲ କମିଟି (ଆଇଏମ୍ସି)ର ସୁପାରିସ୍ କ୍ରମେ ଏହି ନିଷ୍ପତ୍ତି ନିଆଯାଇଥିବା ରାଜ୍ୟ ସରକାର କହିଛନ୍ତି। ପ୍ରକଳ୍ପ ବନ୍ଦ କରିବା ପରିବର୍ତ୍ତେ, ରାଜ୍ୟ କ୍ୟାବିନେଟ୍ ଭୁବନେଶ୍ବର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ କରିଡର (ଇକୋନୋମିକ୍ କରିଡର) ଉପରେ ଗୁରୁତ୍ୱ ଦେଇଛନ୍ତି। ଏସୀୟ ବିକାଶ ବ୍ୟାଙ୍କ (ଏଡିବି)କୁ ଏହି ଦିଗରେ ବୈଷୟିକ ସହାୟତା ଦେବା ପାଇଁ ନିଯୁକ୍ତି ଦିଆଯାଇଛି।

ତେବେ ୨୦୨୫ ଡିସେମ୍ବର ପୂର୍ବରୁ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ନେଇ ହୋଇଥିବା ୨୭୩.୫୧ କୋଟି ଟଙ୍କାର ଖର୍ଚ୍ଚକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି। ବିଜେଡି ସରକାରଙ୍କ ଅମଳରେ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନବନ୍ଦରଠାରୁ ତ୍ରିଶୂଳିଆ ପର୍ଯ୍ୟନ୍ତ ପ୍ରାୟ ୨୬ କିଲୋମିଟର ରାସ୍ତାରେ ମେଟ୍ରୋ ଚଳାଇବାକୁ ଘୋଷଣା କରାଯାଇଥିଲା।

ବିଭିନ୍ନ ସଂସ୍ଥାକୁ ଟେଣ୍ଡର ମାଧ୍ୟମରେ କାମ ଆବଣ୍ଟନ ମଧ୍ୟ କରାଯାଇଥିଲା। ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଏଲିଭେଟେଡ୍ କରିଡର (ଉଚ୍ଚ ରାସ୍ତା) କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଦିଲ୍ଲୀ ମେଟ୍ରୋ ରେଳ ନିଗମ ଏହି ପ୍ରକଳ୍ପର ଡିଜାଇନ୍ ପ୍ରସ୍ତୁତି ଏବଂ ନିର୍ମାଣ ତଦାରଖ କାର୍ଯ୍ୟ ନେଇଥିଲା, ଏବଂ ଏହାର ଟେଣ୍ଡର ମଧ୍ୟ ଆହ୍ବାନ କରିଥିଲା।