EducationFeaturedLatestNews

ଚଳିତ ଶିକ୍ଷା ବର୍ଷରୁ ମେଡ଼ିକାଲ-ଇଞ୍ଜିନିୟରିଂରେ ନୂଆ ସଂରକ୍ଷଣ ନୀତି ଲାଗୁ

ଭୁବନେଶ୍ୱର (ସଂକେତ ଟିଭି): ଶିକ୍ଷା ବର୍ଷ ଆରମ୍ଭ ହୋଇସାରିଥିଲେ ମଧ୍ୟ ରାଜ୍ୟ ସରକାର କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ ସଂରକ୍ଷଣ ଲାଗୁ କରିବାକୁ ପଦକ୍ଷେପ ନେଉଛନ୍ତି। ଏନେଇ ଅନୁସୂଚିତ ଜନଜାତି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି।

ଓଡ଼ିଶାର ମେଡ଼ିକାଲ, ଇଞ୍ଜିନିଅରିଂ, ଅନ୍ୟାନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମରେ ନାମଲେଖା ପାଇଁ ସଂରକ୍ଷଣ ନୀତି ନେଇ ରାଜ୍ୟ କ୍ୟାବିନେଟ ବଡ଼ ନିଷ୍ପତ୍ତି ନେଇଛି। ଏ ନେଇ ମନ୍ତ୍ରୀ ଶ୍ରୀ ଗଣ୍ଡ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଚଳିତବର୍ଷରୁ ଏହି ସଂରକ୍ଷଣ ନୀତି ଲାଗୁହେବ।

ନୂଆ ବ୍ୟବସ୍ଥା ଅନୁଯାୟୀ, ରାଜ୍ୟର ଅନୁସୂଚିତ ଜନଜାତି (ଏସଟି) ଛାତ୍ରଛାତ୍ରୀମାନେ ୨୨.୫୦ ପ୍ରତିଶତ, ଅନୁସୂଚିତ ଜାତି (ଏସସି) ଛାତ୍ରଛାତ୍ରୀମାନେ ୧୬.୨୫ ପ୍ରତିଶତ ଏବଂ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆବର୍ଗ (ଏସଇବିସି) ଛାତ୍ରଛାତ୍ରୀମାନେ ୧୧.୨୫ ପ୍ରତିଶତ ସଂରକ୍ଷଣ ପାଇବେ।

ମନ୍ତ୍ରୀ ଶ୍ରୀ ଗଣ୍ଡ ଆହୁରି କହିଛନ୍ତି, “ଆମ ସରକାର ଆସିଲା ପରେ ଏସଟି, ଏସସି ଓ ଏସଇବିସିଙ୍କୁ ମେଡ଼ିକାଲ, ଇଞ୍ଜିନିୟରିଂ ଓ ଅନ୍ୟ ପ୍ରଯୁକ୍ତି ବିଦ୍ୟାରେ ନାମ ଲେଖାଇବା ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛୁ। ଚାକିରୀ ସହ ପାଠପଢ଼ାରେ ମଧ୍ୟ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ। ଏମାନଙ୍କ ସିଟ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ।”

ପୂର୍ବତନ ସରକାରଙ୍କୁ ସମାଲୋଚନା କରି ସେ କହିଥିଲେ, “ଗତ ସରକାର ସେମାନଙ୍କ ଅଧିକାର କ୍ଷୁର୍ଣ୍ଣ କରିଥିଲେ ଏବଂ ଏହାକୁ ଲାଗୁ କରିବାରେ ବିଫଳ ହୋଇଥିଲେ। ହେଲେ ଆମ ସରକାର ଏହାକୁ କାର୍ଯ୍ୟକାରୀ କରିବାରେ ସଫଳ ହୋଇଛନ୍ତି।” ଚଳିତ ବର୍ଷ ଏହି ସଂରକ୍ଷଣ ନୀତିକୁ ଲାଗୁ କରିବାକୁ ସରକାର ପ୍ରୟାସ ରଖିଥିବା ମଧ୍ୟ ସେ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ଦୀର୍ଘଦିନ ଧରି ବୈଷୟିକ, ବୃତ୍ତିଗତ, ମେଡ଼ିକାଲ ଓ ଆନୁସଙ୍ଗିକ ପାଠ୍ୟକ୍ରମରେ ଏସଟିଙ୍କ ପାଇଁ ମାତ୍ର ୧୨% ଏବଂ ଏସସିଙ୍କ ପାଇଁ ୮% ସଂରକ୍ଷଣ ଥିଲା। ଜନସଂଖ୍ୟା ଅନୁପାତରେ ଏସଟି ୨୨% ରୁ ଅଧିକ ଏବଂ ଏସସି ୧୭% ରୁ ଅଧିକ ଥିବାବେଳେ ଏହି ନୂଆ ବ୍ୟବସ୍ଥା ଅଧିକ ସୁଯୋଗ ଦେବ।

ଏହି ସଂରକ୍ଷଣ ବ୍ୟବସ୍ଥା ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, ଅନୁବନ୍ଧିତ କଲେଜ, ଆଇଟିଆଇ, ପଲିଟେକ୍ନିକ ସମେତ ଇଞ୍ଜିନିଅରିଂ, ଟେକ୍ନୋଲୋଜି, ମ୍ୟାନେଜମେଣ୍ଟ, ମେଡିସିନ, ଡେଣ୍ଟାଲ, ନର୍ସିଂ, ଫାର୍ମାସି, ପ୍ରାଣୀଚିକିତ୍ସା, ଆୟୁର୍ବେଦ, ହୋମିଓପ୍ୟାଥି, କୃଷି ଓ ଆର୍କିଟେକଚର ଆଦି ପାଠ୍ୟକ୍ରମରେ କାର୍ଯ୍ୟକାରୀ ହେବ।