ଓଡ଼ିଶାର ୩ ରାଜ୍ୟସଭା ସାଂସଦ ନେଲେ ଶପଥ
ନୂଆଦିଲ୍ଲୀ (ସଂକେତ ଟିଭି): ରାଜ୍ୟସଭାରେ ଓଡ଼ିଶାର ନବନିର୍ବାଚିତ ସାଂସଦମାନେ ଶପଥ ଗ୍ରହଣ କରିଛନ୍ତି। ଖୁସିର ବିଷୟ ଯେ, ଓଡ଼ିଶାର ୩ ଜଣ ସାଂସଦ ଓଡ଼ିଆ ଭାଷାରେ ଶପଥ ନେଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ସି.ପି. ରାଧାକ୍ରିଷ୍ଣନ୍ ସଂସଦ ଭବନରେ ଏହି ଶପଥ ପାଠ କରାଇଛନ୍ତି।
ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ କୁମାର ରାୟ ନିଜ ନିଜ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ଅନ୍ୟ ଜଣେ ନିର୍ବାଚିତ ସାଂସଦ ସୁଜିତ କୁମାର ଶପଥ ନେଇନାହାଁନ୍ତି। କାରଣ ଅସ୍ପଷ୍ଟ ରହିଛି।
୨୦୨୬ ମାର୍ଚ୍ଚ ୧୬ରେ ଓଡ଼ିଶାର ୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ବିଜେପିରୁ ମନମୋହନ ସାମଲ ଓ ସୁଜିତ କୁମାର, ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ଏବଂ ବିଜେଡିରୁ ସନ୍ତୃପ୍ତ ମିଶ୍ର ବିଜୟୀ ହୋଇଥିଲେ।
ପ୍ରଥମ ପସନ୍ଦ ଭୋଟ୍ରେ ମନମୋହନ, ସୁଜିତ ଓ ସନ୍ତୃପ୍ତ ଜିତିଥିବା ବେଳେ ଦ୍ବିତୀୟ ପସନ୍ଦର ଭୋଟ୍ ସହାୟତାରେ ଦିଲ୍ଲୀପ ରାୟ ବିଜୟୀ ହୋଇଥିଲେ। କ୍ରସ୍-ଭୋଟିଂ ଯୋଗୁଁ ଏହି ବିଜୟ ସମ୍ଭବ ହୋଇଥିଲା। ୮ ଜଣ ବିଜେଡି ବିଧାୟକ ଓ ୩ ଜଣ କଂଗ୍ରେସ ବିଧାୟକ ଦିଲ୍ଲୀପଙ୍କୁ ଭୋଟ୍ ଦେଇଥିଲେ।
ବିଜେଡି, କଂଗ୍ରେସ ଓ ସିପିଏମ୍ର ମିଳିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତା ପରାଜୟ ସ୍ୱୀକାର କରିଥିଲେ। ଏହି ଫଳାଫଳ ମିଳିତ ବିରୋଧୀ ଦଳପାଇଁ ବଡ଼ ଧକ୍କା ସାବ୍ୟସ୍ତ ହୋଇଛି।
