FeaturedLatestNewsPolitics

୨୫ ବର୍ଷ ଶାସନ ନେଇ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ, କଂଗ୍ରେସ କହିଲା ୨ ବର୍ଷରେ ଆଣ୍ଠେଇ ପଡ଼ିଲେଣି

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ରାଜନୀତିରେ ନୂଆ ଝଡ଼ ସୃଷ୍ଟି ହୋଇଛି। ଏହି ଝଡ଼ ଅନ୍ୟ କୌଣସି ପ୍ରସଙ୍ଗକୁ ନେଇ ନୁହେଁ, ବରଂ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଥିବା ‘୨୫ ବର୍ଷ’ ଶାସନ ବିଷୟକ ମନ୍ତବ୍ୟକୁ ନେଇ ରାଜନୈତିକ ମାହୋଲ ସରଗରମ ହୋଇ ଉଠିଛି।

ଏହି ମନ୍ତବ୍ୟକୁ ନେଇ ବିଜେପି ବିଧାୟକ ଅଶୋକ ମହାନ୍ତି ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆଗାମୀ ଦିନରେ ଅନ୍ୟ ଦଳର ବଡ଼ ବଡ଼ ନେତାମାନେ ବିଜେପିରେ ସାମିଲ ହେବେ। ସେ ଦୃଢ଼ୋକ୍ତି ଦେଇ କହିଛନ୍ତି, “ଆମ ସରକାର ୨୫ ବର୍ଷ ଶାସନ କରିବେ, ଏଥିରେ କୌଣସି ସନ୍ଦେହ ନାହିଁ।” ଶ୍ରୀ ମହାନ୍ତି ଆହୁରି କହିଛନ୍ତି ଯେ, ଏହି ସରକାର ସ୍ୱଚ୍ଛତା ସହିତ ଲୋକଙ୍କ ନିକଟରେ ପହଞ୍ଚିଛନ୍ତି ଏବଂ ଗତ ୨ ବର୍ଷ ମଧ୍ୟରେ ହୋଇଥିବା ବିଭିନ୍ନ ନିର୍ବାଚନ ଏହାର ପ୍ରମାଣ। ଆସନ୍ତା ପଞ୍ଚାୟତ ନିର୍ବାଚନରେ ମଧ୍ୟ ଏହାର ଫଳ ଦେଖିବାକୁ ମିଳିବ ବୋଲି ସେ ଦାବି କରିଛନ୍ତି।

ବିଜେପି ବିଧାୟକ ଶ୍ରୀ ମହାନ୍ତି ପୁଣି କହିଛନ୍ତି ଯେ, ବିକଶିତ ଓଡ଼ିଶା ଗଠନ ପାଇଁ ସରକାର ଆବଶ୍ୟକ ଯୋଜନା ପ୍ରସ୍ତୁତ କରିଛନ୍ତି ଏବଂ ୨୦୩୬ ମସିହା ସୁଦ୍ଧା ଏହାକୁ ସାକାର କରିବେ। ବିରୋଧୀମାନେ ଆଜି ପର୍ଯ୍ୟନ୍ତ ଦୁର୍ନୀତି ବିରୋଧରେ ଗୋଟିଏ ପ୍ରଶ୍ନ ମଧ୍ୟ ଉଠାଇ ପାରିନାହାନ୍ତି ବୋଲି ସେ କଟାକ୍ଷ କରିଛନ୍ତି। ଗତ ୨ ବର୍ଷ ମଧ୍ୟରେ ଅନ୍ୟ ଦଳରୁ ବିଜେପିକୁ ଅନେକ ନେତା ଆସିଥିବା ଏବଂ ଆଗାମୀ ଦିନରେ ଆହୁରି ଅନେକ ବଡ଼ ନେତା ଆସିବେ ବୋଲି ସେ ଦାବି କରି ବିଜେପିକୁ ‘ସମୁଦ୍ର’ ସହ ତୁଳନା କରିଛନ୍ତି।

ଅନ୍ୟପକ୍ଷରେ, ଏହି ମନ୍ତବ୍ୟକୁ ବିରୋଧ କରି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି ଯେ, ଯେଉଁ ସରକାର ୨ ବର୍ଷରେ ଆଣ୍ଠେଇ ପଡ଼ିଲେଣି, ସେମାନେ ୨୫ ବର୍ଷ କଣ ଶାସନ କରିବେ? ମୁଖ୍ୟମନ୍ତ୍ରୀଙ୍କ ଏପରି ମନ୍ତବ୍ୟ ଉଚିତ ନୁହେଁ ବୋଲି ସେ କହିଛନ୍ତି। ଶ୍ରୀ କାଡାମ ଅଭିଯୋଗ କରି କହିଛନ୍ତି ଯେ, କ୍ଷମତା ଲୋଭରେ ଲୋକେ ବିଜେପିରେ ଯୋଗ ଦେଉଛନ୍ତି, କିନ୍ତୁ କଂଗ୍ରେସରୁ କେହି ବିଜେପିକୁ ଯିବେ ନାହିଁ। ସେ ଆହୁରି କହିଛନ୍ତି ଯେ, ଦୁର୍ନୀତିରେ ଲିପ୍ତ ନେତାମାନେ ନିଜକୁ ବଞ୍ଚାଇବା ପାଇଁ ବିଜେପିରେ ଯୋଗ ଦେଉଛନ୍ତି। ଓଡ଼ିଶାବାସୀଙ୍କ ଆଶାକୁ ଏହି ସରକାର ଧୂଳିସାତ କରିଦେଇଛନ୍ତି ବୋଲି ସେ କଟୁ ଟିପ୍ପଣୀ କରିଛନ୍ତି।

Leave a Reply

Your email address will not be published. Required fields are marked *