CulturalFeaturedLatestNews

ପୁରୀ ରଥଯାତ୍ରା : ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ପୁରୀ(ସଂକେତ ଟିଭି): ରଥଯାତ୍ରା ଉତ୍ସବର ପବିତ୍ର ମୁହୂର୍ତ୍ତରେ ଆଜି ଏକ ଅଭୂତପୂର୍ବ ଘଟଣା ଘଟିଛି। ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ତିନି ଠାକୁରଙ୍କୁ ନେଇ ଜନ୍ମବେଦୀ ଅଭିମୁଖେ ତିନି ରଥ – ତାଳଧ୍ବଜ, ଦର୍ପଦଳନ ଓ ନନ୍ଦିଘୋଷ। ଘର୍ଘର ନାଦ କରି ଭକ୍ତଙ୍କ ଗହଣରେ ଗଡ଼ୁଛି ତିନି ରଥ।

ହରିବୋଲ, ହୁଳହୁଳି, ଘଣ୍ଟଘଣ୍ଟା ଓ ଜୟ ଜଗନ୍ନାଥ ଧ୍ଵନୀରେ ପ୍ରକମ୍ପିତ ପରିବେଶ। ଆଗରେ ତାଳଧ୍ବଜ ରଥରେ ଯାଉଛନ୍ତି ବଡ଼ ଠାକୁର ବଳଭଦ୍ର। ମଝିରେ ଦର୍ପଦଳନ ରଥରେ ବିଜେ ହୋଇ ବଡ଼ ଭାଇଙ୍କ ପଛେପଛେ ଯାଉଛନ୍ତି ଭଉଣୀ ସୁଭଦ୍ରା। ପଛରେ ଗହଳି ଲଗାଇ ଆସୁଛନ୍ତି କାଳିଆ ସାଆନ୍ତ। ବିଳମ୍ବରେ ଟଣା ହୋଇଥିଲା ଜଗତର ନାଥ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେହି ବିଶ୍ଵମୋହିନୀ ‘ପହଣ୍ଡି ବିଜେ’ ସମ୍ପୂର୍ଣ୍ଣ ରୂପେ ବିନା ‘ଟାହିଆ’ (ପାରମ୍ପରିକ ଫୁଲ ମୁକୁଟ) ରେ ଅନୁଷ୍ଠିତ ହୋଇଛି। କାଳିଆ ସାଆନ୍ତ ଆଜି ବିନା ଟାହିଆରେ ବଡ଼ଦାଣ୍ଡକୁ ଓହ୍ଲାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସାଧାରଣତଃ ପହଣ୍ଡି ସମୟରେ ପ୍ରବଳ ଭିଡ଼ କିମ୍ବା ମହାପ୍ରଭୁଙ୍କ ଝୁଲଣ ଗତି ଯୋଗୁଁ ଟାହିଆ ଭାଙ୍ଗିଯିବାର ନଜିର ରହିଛି। ମାତ୍ର ଆଜିର ଘଟଣା ସମ୍ପୂର୍ଣ୍ଣ ଭିନ୍ନ ଥିଲା। ସୂଚନା ଅନୁଯାୟୀ, ଆଜି ପହଣ୍ଡିର ପ୍ରାରମ୍ଭିକ ଓ ଗୁରୁତ୍ଵପୂର୍ଣ୍ଣ ପର୍ଯ୍ୟାୟରେ ମହାପ୍ରଭୁଙ୍କ ମସ୍ତକରେ ସେହି ପବିତ୍ର ଟାହିଆ ଶୋଭା ପାଉନଥିଲା, ଅର୍ଥାତ୍ ଏହା ସେଠାରେ ଉପଲବ୍ଧ ହିଁ ନଥିଲା।

ବିନା ଟାହିଆରେ ମହାପ୍ରଭୁଙ୍କ ଏହି ଅଳଙ୍କାରବିହୀନ ରୂପ ଦେଖି ବରିଷ୍ଠ ସେବାୟତ, ଜଗନ୍ନାଥ ସଂସ୍କୃତି ଗବେଷକ ଏବଂ ଭକ୍ତମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏତେ ବଡ଼ ସେବା ଓ ନୀତିକାନ୍ତିରେ ଏଭଳି ସମନ୍ଵୟର ଅଭାବ ଏବଂ ପ୍ରଶାସନିକ ବିଭ୍ରାଟ କେମିତି ହେଲା, ସେ ନେଇ ଏବେ ଚାରିଆଡ଼େ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

‘ଟାହିଆ’ କେବଳ ଏକ ସାଧାରଣ ସାଜସଜ୍ଜା ବା ଡେକୋରେଟିଭ୍ ଜିନିଷ ନୁହେଁ। ଶ୍ରୀଜଗନ୍ନାଥ ସଂସ୍କୃତି ଓ ରଥଯାତ୍ରା ପରମ୍ପରାରେ ଏହାର ଏକ ଗଭୀର ଆଧ୍ୟାତ୍ମିକ, ତାତ୍ତ୍ଵିକ ଏବଂ ରୀତିନୀତିଗତ ଗୁରୁତ୍ଵ ରହିଛି। ଏହାକୁ ‘ଇଚ୍ଛାଧୀନ’ ବା ‘ଅନାବଶ୍ୟକ’ କୁହାଯାଇପାରିବ ନାହିଁ।

ଧାଡ଼ି ପହଣ୍ଡି ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ର ବାଟରେ କେବଳ ଚାଲନ୍ତି ନାହିଁ, ବରଂ ଏକ ସ୍ଵତନ୍ତ୍ର ଛନ୍ଦରେ ଝୁଲି ଝୁଲି ଆଗକୁ ବଢ଼ନ୍ତି। ଏହାକୁ ‘ପହଣ୍ଡି ଗତି’ କୁହାଯାଏ। ଏହି ଭାରୀ ଓ ବିଶାଳ ଟାହିଆଟି ସେହି ଝୁଲଣ ଗତି ସହିତ ତାଳ ଦେଇ ଆଗପଛ ହୋଇ ଦୋଳନ ହୋଇଥାଏ। ଏହା ଦେଖିବାକୁ ଅତ୍ୟନ୍ତ ମନୋରମ ଲାଗେ। ଟାହିଆ ବିନା ପହଣ୍ଡିର ସେହି ପାରମ୍ପରିକ ଗୌରବ ଓ ଆଧ୍ୟାତ୍ମିକ ଛନ୍ଦ ଅଧୁରା ରହିଯାଏ।

ଟାହିଆ ତିଆରି କରିବା ଏକ ପବିତ୍ର ଓ ବଂଶାନୁକ୍ରମିକ ସେବା। ପୁରୀର ରାଘବ ଦାସ ମଠର କାରିଗରମାନେ ଅକ୍ଷୟ ତୃତୀୟାରୁ ସମ୍ପୂର୍ଣ୍ଣ ପ୍ରାକୃତିକ ସାମଗ୍ରୀ ଯଥା: ବାଉଁଶ, ବେତ, ସୋଲ ଏବଂ ବିଭିନ୍ନ ପ୍ରକାର ସୁଗନ୍ଧିତ ଧଳା ଫୁଲ ବ୍ୟବହାର କରି ଏହାକୁ ପ୍ରସ୍ତୁତ କରନ୍ତି।

ଏହାର ପରିମାପ ମଧ୍ୟ ଶାସ୍ତ୍ରାନୁମୋଦିତ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟାହିଆ ପାଇଁ ୩୭ ଟି ବାଉଁଶ କାଠି, ବଳଭଦ୍ରଙ୍କ ପାଇଁ ୩୩ଟି ଏବଂ ଦେବୀ ସୁଭଦ୍ରାଙ୍କ ପାଇଁ ୧୨ଟି ବାଉଁଶ କାଠିର ବ୍ୟବହାର କରାଯାଏ। ତେଣୁ ଏହାକୁ ନ ଲଗାଇବା ଦ୍ୱାରା ରଥଯାତ୍ରାର ଏକ ନିର୍ଦ୍ଦିଷ୍ଟ ନୀତି ଶୃଙ୍ଖଳା ଭଙ୍ଗ ହୋଇଥାଏ।

ଜଗନ୍ନାଥ ମହାପ୍ରଭୁଙ୍କ ଟାହିଆ ଖୋଲାଯିବା ପ୍ରସଙ୍ଗ ନେଇ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ଟାହିଆ ଅଧିକ ଓଜନିଆ ହୋଇଯାଇଥିଲା। ତେଣୁ ଏହାକୁ ଖୋଲି ଦିଆଯାଇଥିଲା ବୋଲି ସେ କହିଛନ୍ତି। ବର୍ଷା ଯୋଗୁଁ ଟାହିଆ ଓଜନ ଆହୁରି ବଢ଼ି ଯାଇଥିଲା। ବର୍ଷାରେ ତୁଳସୀ ଭିଜି ଯିବାରୁ ଅଧିକ ଓଜନିଆ ହୋଇଯାଇଥିଲା।

ଟାହିଆ ଖୋଲା ନଯାଇଥିଲେ ମହାପ୍ରଭୁଙ୍କ ଅଙ୍ଗ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ଥିଲା ବୋଲି ଯୁବ ଦଇତାପତି କିର୍ତ୍ତି ପ୍ରକାଶ ଦାସମହାପାତ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ତେଣୁ ପହଣ୍ଡିବେଳେ ମହାପ୍ରଭୁଙ୍କ ଟାହିଆ ଖୋଲା ଯାଇଥିଲା ବୋଲି କୁହାଯାଇଛି।