ମାଲକାନଗିରି ଜଙ୍ଗଲରୁ ବିରାଟ ମାଓ ଡମ୍ପ ଠାବ: ବିପୁଳ ମାଓ ସାମଗ୍ରୀ ଜବତ
ମାଲକାନଗିରି(ସଂକେତ ଟିଭି): ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କିରିମିଟି ଜଙ୍ଗଲରେ ବଡ଼ ମାଓ ଡମ୍ପ ଠାବ କରିଛନ୍ତି ସୁରକ୍ଷାକର୍ମୀ। ଏସଓଜି ଓ ଡିଭିଏଫ ବାହିନୀର ମିଳିତ କମ୍ବିଂ ଅପରେସନ ବେଳେ ସିଲାକୋଟା ଓ କିରିମିଟି ଜଙ୍ଗଲ ଅଞ୍ଚଳରୁ ଏହି ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଛି।
ଜବତ ସାମଗ୍ରୀ ମଧ୍ୟରେ ୩ (ତିନୋଟି) ଦେଶୀ ବନ୍ଧୁକ, ୪ (ଚାରୋଟି) ଲ୍ୟାଣ୍ଡମାଇନ, ୨ (ଦୁଇଟି) କ୍ଳେମର ମାଇନ, ବିସ୍ଫୋରକ ଡେଟୋନେଟର, ନକ୍ସଲ ପୋଷାକ ଓ ବିଭିନ୍ନ ପ୍ରଚାର ପତ୍ର ରହିଛି। ଏହି ସବୁ ସାମଗ୍ରୀ ଜଙ୍ଗଲ ଭିତରେ ଲୁଚାଇ ରଖାଯାଇଥିଲା।
ମାଲକାନଗିରି ଏସପି ପ୍ରକାଶ କରିଛନ୍ତି ଯେ, ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଆଧାରରେ ଏହି ମାଓ ଡମ୍ପ ଠାବ କରାଯାଇପାରିଛି। ସୁରକ୍ଷାକର୍ମୀଙ୍କ ସୂଚନା ଅନୁସାରେ, ସିଲାକୋଟା ଓ କିରିମିଟି ଜଙ୍ଗଲ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ନେଇ ଅପରେସନ ଜାରି ରହିଥିଲା। ଏହି ଅପରେସନ ସମୟରେ ହିଁ ଏହି ବିରାଟ ଅସ୍ତ୍ରଶସ୍ତ୍ର ଭଣ୍ଡାର ଠାବ ହୋଇଥିଲା।
ସୂଚନାଯୋଗ୍ୟ ଯେ, ଏହି ଅଞ୍ଚଳରେ ମାଓବାଦୀଙ୍କ ସକ୍ରିୟତା ଯୋଗୁଁ ସୁରକ୍ଷା ବାହିନୀର ତଲାସୀ ଅଭିଯାନ ଜୋରଦାର ରହିଛି। ଜବତ ହୋଇଥିବା ସାମଗ୍ରୀ ଗୁଡ଼ିକ ପୁଲିସ ହାଜତରେ ରଖାଯାଇଛି ଓ ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି।
