FeaturedLatestNews

ବାରିପଦା ଝିଅ କୁଳସୁମ୍ ନିଗାର ନେପାଳ ଟ୍ରାକିଙ୍ଗରେ ନିଖୋଜ

ବାରିପଦା(ସଂକେତ ଟିଭି):ନେପାଳର ପ୍ରଳୟଙ୍କାରୀ ବନ୍ୟା ପରେ ବାରିପଦା ପୌରପାଳିକାର ୨୩ ନମ୍ବର ୱାର୍ଡ ଅଞ୍ଚଳର ୨୧ ବର୍ଷୀୟା ଯୁବତୀ କୁଲସୁମ୍ ନିଗାର ନିଖୋଜ ହୋଇଯାଇଛନ୍ତି। ନେପାଳର ପୋଖରା ଅଞ୍ଚଳକୁ ଟ୍ରେକିଂ ପାଇଁ ଯାଇଥିବା କୁଲସୁମଙ୍କ ସହ ଗତ ୨୫ ତାରିଖରୁ ପରିବାରର କୌଣସି ଯୋଗାଯୋଗ ହୋଇପାରୁନାହିଁ। ଏହି ଘଟଣା ପରେ ପରିବାର ଲୋକଙ୍କ ମଧ୍ୟରେ ଗଭୀର ଚିନ୍ତା ଓ ଆତଙ୍କ ଖେଳିଯାଇଛି।

ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତ ୨୧ ତାରିଖ ଦିନ କୁଲସୁମ୍ ବାରିପଦାରୁ ବସ୍ ଯୋଗେ କୋଲକାତା ଯାଇଥିଲେ। ସେଠାରେ ସେ ଭୁବନେଶ୍ୱରରୁ ଆସିଥିବା ତାଙ୍କ ସାଙ୍ଗ ଦୀପିକା ଏକ୍କାଙ୍କ ସହ ମିଳିତ ହୋଇଥିଲେ। ପରେ ଉଭୟ ମିଥିଳା ଏକ୍ସପ୍ରେସ୍ ଟ୍ରେନ୍ ଯୋଗେ ବିହାରର ରକ୍ସୋଲ ଷ୍ଟେସନରେ ପହଞ୍ଚିଥିଲେ। ରକ୍ସୋଲରୁ ସେମାନେ ୧୨ ଜଣିଆ ଏକ ଟିମ୍ ସହ ଟ୍ୟାକ୍ସି ଯୋଗେ ନେପାଳର ପୋଖରା ଅଭିମୁଖେ ଯାତ୍ରା କରିଥିଲେ।

୨୨ ତାରିଖ ଦିନ କୁଲସୁମ୍ ନେପାଳରେ ପହଞ୍ଚିବା ପରେ, ଦିନ ୧୦ ଟା ବେଳେ ତାଙ୍କ ଦ୍ୱାରା କରେନ୍ସି ଏକ୍ସଚେଞ୍ଜ କରାଯାଇଥିଲା। ସେହି ଦିନ ସକାଳ ୧୧ ଟା ସମୟରେ ଶେଷ ଥର ପାଇଁ ସେ ନିଜ ଘରକୁ ଫୋନ୍ କରି ଯୋଗାଯୋଗ କରିଥିଲେ। ଏହି ସମୟରେ ସେ ପରିବାରକୁ ଜଣାଇଥିଲେ ଯେ, ସେ ଟ୍ରାକିଙ୍ଗ୍ ପାଇଁ ବାହାରୁଛନ୍ତି। ତେବେ ଟ୍ରାକିଙ୍ଗ୍ ଅଞ୍ଚଳରେ ମୋବାଇଲ୍ ନେଟୱାର୍କ ଉପଲବ୍ଧ ନଥିବାରୁ ଫେରିବା ପରେ ସେ ପୁଣି ଯୋଗାଯୋଗ କରିବେ ବୋଲି କହିଥିଲେ।

ମାତ୍ର ୨୫ ତାରିଖ ପରଠାରୁ ତାଙ୍କ ସହ କୌଣସି ପ୍ରକାର ଯୋଗାଯୋଗ ସମ୍ଭବ ହୋଇପାରିନାହିଁ। ଏପଟେ ନେପାଳରେ ସାମ୍ପ୍ରତିକ ପ୍ରଳୟଙ୍କାରୀ ବନ୍ୟା ସମ୍ପର୍କରେ ଖବର ପାଇବା ପରେ ପରିବାରର ଚିନ୍ତା ଆହୁରି ବଢ଼ିଯାଇଛି। କୁଲସୁମଙ୍କ ବଡ଼ ଭଉଣୀ ତରନମ୍ ନିଗାର ବାରମ୍ବାର ଫୋନ୍ କରିଥିଲେ ମଧ୍ୟ ତାଙ୍କ ମୋବାଇଲ୍ ସୁଇଚ୍ ଅଫ୍ ରହୁଛି।

କୁଲସୁମଙ୍କ ସୁରକ୍ଷାକୁ ନେଇ ଆଶଙ୍କା ପ୍ରକାଶ କରି ପରିବାର ଲୋକେ ତାଙ୍କୁ ଶୀଘ୍ର ଉଦ୍ଧାର କରିବା ପାଇଁ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି। ନେପାଳ ପ୍ରଶାସନ ସହ ଯୋଗାଯୋଗ କରି ନିଖୋଜ କୁଲସୁମଙ୍କୁ ଖୋଜି ବାହାର କରି ସୁରକ୍ଷିତ ଭାବେ ଘରକୁ ଫେରାଇ ଆଣିବା ପାଇଁ ପରିବାର ପକ୍ଷରୁ ଦାବି କରାଯାଇଛି। କୁଲସୁମ୍ କେଉଁଠି ଅଛନ୍ତି ଏବଂ ତାଙ୍କ ସୁରକ୍ଷା କେମିତି, ସେନେଇ ପରିବାର ଏକ ଗଭୀର ଅନିଶ୍ଚିତତା ଭିତରେ ରହିଛନ୍ତି।

Leave a Reply

Your email address will not be published. Required fields are marked *