FeaturedLatestNews

ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ରେ ମୈଥିଳୀ ଭୁଏଙ୍କ ପ୍ରେରଣାଦାୟକ କାହାଣୀ

ନୂଆଦିଲ୍ଲୀ(ସଂକେତ ଟିଭି): ଜଙ୍ଗଲ ସଂରକ୍ଷଣ ସହିତ ଜୀବିକାର ନୂଆ ବାଟ ଖୋଜିଛନ୍ତି ଓଡ଼ିଶାର ଜଣେ ମହିଳା। ତାଙ୍କର ଏହି ପ୍ରେରଣାଦାୟକ କାହାଣୀକୁ ଦେଶବାସୀଙ୍କ ସାମ୍ନାରେ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଡେବ୍ରିଗଡ଼ ଅଞ୍ଚଳର ଧୋଡ୍ରାକୁସୁମ ଗାଁର ମୈଥିଳୀ ଭୁଏଙ୍କ ସଫଳତାର କାହାଣୀକୁ ନିଜର ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ।

ଦିନେ ମୈଥିଳୀଙ୍କ ଜୀବନ ଜଙ୍ଗଲ ଉପରେ ନିର୍ଭରଶୀଳ ଥିଲା। ପରିବାରର ଆବଶ୍ୟକତା ପୂରଣ ପାଇଁ ସେ ଜଙ୍ଗଲରୁ କାଠ ସଂଗ୍ରହ କରୁଥିଲେ। ଏଥିସହ ମହୁଆ ଫୁଲ, କେନ୍ଦୁପତ୍ର, ବାଉଁଶ ଡାଳ ଓ ଅନ୍ୟାନ୍ୟ ବନଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ଚଳାଉଥିଲେ। ଜଙ୍ଗଲ ହିଁ ମୈଥିଳୀଙ୍କ ପରିବାର ସମେତ ଅଞ୍ଚଳର ଅନେକ ଲୋକଙ୍କ ଜୀବନର ଏକ ବଡ଼ ଆଧାର ଥିଲା।

ହେଲେ ସମୟ ସହ ମୈଥିଳୀଙ୍କ ଜଙ୍ଗଲ ସହ ସମ୍ପର୍କରେ ଆସିଲା ବଡ଼ ପରିବର୍ତ୍ତନ। ମୈଥିଳୀ ଡେବ୍ରିଗଡ଼ ଇକୋ-ଟୁରିଜିମ୍ ସହ ଯୋଡ଼ି ହେବା ପରେ ତାଙ୍କ ଜୀବନରେ ନୂଆ ଦିଗ ଆସିଥିଲା। ଜଙ୍ଗଲରୁ କେବଳ ବନଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରିବା ପରିବର୍ତ୍ତେ ଜଙ୍ଗଲକୁ ସୁରକ୍ଷା ଦେବା ମଧ୍ୟ ତାଙ୍କ ଜୀବନର ଏକ ଉଦ୍ଦେଶ୍ୟ ପାଲଟିଗଲା।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ମୈଥିଳୀଙ୍କ ପାଇଁ ଜଙ୍ଗଲ ସଂରକ୍ଷଣ ଏବେ କେବଳ ପରିବେଶ ସୁରକ୍ଷାର ବିଷୟ ହୋଇ ରହିନାହିଁ, ବରଂ ଏହା ତାଙ୍କ ଜୀବିକା ନିର୍ବାହର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ମଧ୍ୟ ପାଲଟିଛି।

ମୈଥିଳୀଙ୍କ ଏହି ପରିବର୍ତ୍ତନ ଡେବ୍ରିଗଡ଼ ଅଞ୍ଚଳର ଅନ୍ୟ ମହିଳାଙ୍କୁ ମଧ୍ୟ ପ୍ରେରଣା ଦେଇଛି। ଆଜି ୬୦ରୁ ଅଧିକ ମହିଳା ସକ୍ରିୟ ଭାବେ ଜଙ୍ଗଲ ସଂରକ୍ଷଣ କାର୍ଯ୍ୟରେ ସାମିଲ ହୋଇଛନ୍ତି। କେତେକ ମହିଳା ବନ୍ୟପ୍ରାଣୀଙ୍କ ସୁରକ୍ଷାର ଦାୟିତ୍ୱ ନେଇଥିବା ବେଳେ, ଆଉ କିଛି ମହିଳା ଘାସଭୂମି ବିକାଶ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଅନ୍ୟ କେତେକ ମହିଳା ଡେବ୍ରିଗଡ଼ର ପରିବେଶ ପର୍ଯ୍ୟଟନ କାର୍ଯ୍ୟକଳାପରେ ମଧ୍ୟ ଯୋଗଦାନ ଦେଉଛନ୍ତି।

ଏଭଳି ଭାବେ ମୈଥିଳୀଙ୍କ ବ୍ୟକ୍ତିଗତ ପରିବର୍ତ୍ତନ ଏବେ ଏକ ସାମୂହିକ ଅଭିଯାନର ରୂପ ନେଇଛି। ଜଙ୍ଗଲକୁ ସୁରକ୍ଷା ଦେଇ ଜୀବିକା ଅର୍ଜନ କରିବାର ଏହି ମଡେଲ୍ ଅନ୍ୟମାନଙ୍କ ପାଇଁ ମଧ୍ୟ ପ୍ରେରଣାର ଉତ୍ସ ପାଲଟିଛି। ଓଡ଼ିଶାର ଡେବ୍ରିଗଡ଼ରୁ ଆସିଥିବା ମୈଥିଳୀ ଭୁଏଙ୍କ ଏହି କାହାଣୀକୁ ‘ମନ୍ କି ବାତ୍’ରେ ସ୍ଥାନ ଦେଇ ପ୍ରଧାନମନ୍ତ୍ରୀ ଜଙ୍ଗଲ ସଂରକ୍ଷଣ, ମହିଳା ସଶକ୍ତୀକରଣ ଓ ପରିବେଶ ପର୍ଯ୍ୟଟନର ଏକ ସୁନ୍ଦର ଉଦାହରଣକୁ ଦେଶ ସାମ୍ନାରେ ରଖିଛନ୍ତି।

Leave a Reply

Your email address will not be published. Required fields are marked *