CrimeFeaturedLatestNews

ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫ

ବାରିପଦା (ସଂକେତ ଟିଭି): ମୟୂରଭଞ୍ଜରେ ପୁଣି ଥରେ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ପ୍ରଧାନ ଶିକ୍ଷକଙ୍କ ନାମରେ ଯୌନ ଉତ୍ପୀଡ଼ନ ଅଭିଯୋଗ ହୋଇଛି। ବାଙ୍ଗିରିପୋଷି ବ୍ଲକ ଅଞ୍ଚଳର ଏକ ସ୍କୁଲ ଘଟଣା ମନରୁ ନ ଲିଭୁଣୁ ଆଉ ଜଣେ ପ୍ରଧାନ ଶିକ୍ଷକଙ୍କ କଳା କାରନାମା ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୨୫ ତାରିଖରେ ଶୁକୃଳି ବ୍ଲକ ଘାଗି ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀକୃଷ୍ଣ ପାତ୍ର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ କାର୍ଯ୍ୟାଳୟର କବାଟ ଝରକା ବନ୍ଦ କରିବାକୁ ଡାକିଥିଲେ। ଛାତ୍ରୀ ଜଣଙ୍କୁ କାର୍ଯ୍ୟାଳୟ ଭିତରେ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି।

ପୀଡ଼ିତା ଛାତ୍ରୀ ଜଣଙ୍କ ଘଟଣା ବିଷୟରେ ହଷ୍ଟେଲର ଦୁଇ ଜଣ ମାଟ୍ରନଙ୍କୁ କହିବା ପରେ ବି ସେମାନେ ଏହାକୁ ଚାପିଦେବାକୁ ଉଦ୍ୟମ କରିଥିଲେ। ତେବେ ସୋମବାର ଫୋନ ଯୋଗେ ପୀଡ଼ିତା ଛାତ୍ରୀ ତାଙ୍କ ଅଭିଭାବକଙ୍କୁ ସବୁ କଥା କହିବା ପରେ ପ୍ରଧାନ ଶିକ୍ଷକଙ୍କ କଳା କାରନାମା ସାମ୍ନାକୁ ଆସିଛି।

ଏ ଘଟଣାକୁ ନେଇ ରରୁଆଁ ଥାନାରେ ପ୍ରଧାନ ଶିକ୍ଷକ ଶ୍ରୀକୃଷ୍ଣ ପାତ୍ରଙ୍କ ନାଁରେ ପୀଡ଼ିତା ଛାତ୍ରୀଙ୍କ ବାପା ଏକ ଲିଖିତ ଅଭିଯୋଗ କରିଛନ୍ତି। ପ୍ରଧାନ ଶିକ୍ଷକ ଫେରାର ଥିବା ବେଳେ ପୋଲିସ ବିଦ୍ୟାଳୟକୁ ଯାଇ ଅଧିକ ତଦନ୍ତ କରି BNS ଧାରା ୨୦୬/୭୫, ୭୭, ୭୮ ଏବଂ RWL ଧାରା ୮, ୧୦, ୧୨ ଓ ପୋକ୍ସୋ ଆକ୍ଟ ଅନୁଯାୟୀ ମାମଲା ରୁଜ୍ଜୁ କରିଥିଲା।

ସମ୍ପୃକ୍ତ ଫେରାର ପ୍ରଧାନ ଶିକ୍ଷକ ଶ୍ରୀକୃଷ୍ଣ ପାତ୍ରଙ୍କୁ ତାଙ୍କ ବାରିପଦା ସ୍ଥିତ ବାସଭବନରୁ ସୋମବାର ବିଳମ୍ବିତ ରାତିରେ ଗିରଫ କରାଯାଇଛି ବୋଲି ରାଇରଙ୍ଗପୁର SP ସୁରେଶ ପାତ୍ର ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *