CrimeFeaturedLatestNews

ଝାରସୁଗୁଡ଼ାରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ବଣ୍ଟି ପ୍ରସାଦ ଆହତ

ଝାରସୁଗୁଡ଼ା (ସଂକେତ ଟିଭି): ଝାରସୁଗୁଡ଼ା ଜିଲ୍ଲାର ଓରିଏଣ୍ଟ ଥାନା ଅନ୍ତର୍ଗତ ଆମଦରହ ଜଙ୍ଗଲ ନିକଟରେ ଆଜି (ସୋମବାର) ଭୋର୍ ସମୟରେ ପୋଲିସ ଏବଂ ଦୁର୍ଦ୍ଦାନ୍ତ ଅପରାଧୀ ବଣ୍ଟି ପ୍ରସାଦ ମଧ୍ୟରେ ଗୁଳି ବିନିମୟ ଘଟିଛି। ପୋଲିସର ପାଲଟା ଗୁଳି ଚାଳନାରେ ହନୁମାନ ନଗର ଅଞ୍ଚଳର କୁଖ୍ୟାତ ଅପରାଧୀ ବଣ୍ଟି ପ୍ରସାଦର ବାମ ଗୋଡ଼ରେ ଗୁଳି ବାଜିଛି। ପୋଲିସ ଏନକାଉଣ୍ଟରରେ ସେ ଗୁରୁତର ଆହତ ହୋଇଛି। ପୋଲିସ ତାକୁ କାବୁ କରିବା ସହିତ ତୁରନ୍ତ ଚିକିତ୍ସା ପାଇଁ ଖଳିଆକାନୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା।

ପୋଲିସ ସୂଚନା ମୁତାବକ, ଓରିଏଣ୍ଟ ଥାନା କେସ୍ ନଂ ୨୪୯/୨୦୨୬ (ଦଫା ୩୦୮(୫) ବିଏନଏସ ଏବଂ ୨୫(୧-ବି)/୨୭(୧) ଆର୍ମସ ଆକ୍ଟ) ମାମଲାରେ ପୁଲିସ ବଣ୍ଟିକୁ ଧରିବା ପାଇଁ ଖୋଜୁଥିଲା। ଆଜି ପ୍ରାତଃ ପ୍ରାୟ ୬ଟା ସମୟରେ ବଣ୍ଟି ଆମଦରା ଜଙ୍ଗଲ ନିକଟରେ ଲୁଚି ରହିଥିବା ସୂଚନା ପାଇ ଓରିଏଣ୍ଟ ଥାନା ପୋଲିସର ଏକ ସ୍ୱତନ୍ତ୍ର ଟିମ୍ କମ୍ବିଂ ଅପରେସନ ଆରମ୍ଭ କରିଥିଲା।

ପୋଲିସ ଘେରାବନ୍ଦୀ କରୁଥିବା ଦେଖି ଧରାପଡ଼ିବା ଭୟରେ ବଣ୍ଟି ପୋଲିସ ଉପରକୁ ଅତର୍କିତ ଭାବେ ଗୁଳି ଚଳାଇଥିଲା। ପୋଲିସ କର୍ମଚାରୀମାନେ ଅଳ୍ପକେ ବର୍ତ୍ତିଯିବା ସହ ଆତ୍ମରକ୍ଷା ପାଇଁ ନିୟନ୍ତ୍ରିତ ପାଲଟା ଗୁଳିଚାଳନା କରିଥିଲେ। ଏଥିରେ ବଣ୍ଟିର ବାମ ଗୋଡ଼ରେ ଗୁଳି ବାଜିବାରୁ ସେ ତଳେ ଖସିପଡ଼ିଥିଲା ଏବଂ ପୋଲିସ ତାକୁ କାବୁ କରିନେଇଥିଲା।

ଘଟଣା ପରେ ଝାରସୁଗୁଡ଼ା ଏସପି ଗୁଣ୍ଡାଲା ରେଡ୍ଡି ରାଘବେନ୍ଦ୍ର କହିଛି, “ଜିଲ୍ଲାରେ ଆଇନଶୃଙ୍ଖଳା ବଜାୟ ରଖିବା ଓ ଅପରାଧୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆମର ପ୍ରାଥମିକତା। ଅପରାଧୀ ବଣ୍ଟି ପ୍ରସାଦ ପୋଲିସ ଟିମ୍ ଉପରକୁ ସିଧାସଳଖ ଗୁଳି ଚଳାଇ ଫେରାର ହେବାକୁ ଚେଷ୍ଟା କରୁଥିଲା। ଆତ୍ମରକ୍ଷା ଉଦ୍ଦେଶ୍ୟରେ ପୋଲିସ ବାଧ୍ୟ ହୋଇ ନିୟନ୍ତ୍ରିତ ପାଲଟା ଗୁଳିଚାଳନା କରିଛି। ଝାରସୁଗୁଡ଼ାରେ ସଙ୍ଗଠିତ ଅପରାଧ ଏବଂ ବେଆଇନ ମାରଣାସ୍ତ୍ର କାରବାର ବିରୋଧରେ ଆମର ଜିରୋ ଟଲରାନ୍ସ ନୀତି ରହିଛି। ଆଇନକୁ ହାତକୁ ନେଉଥିବା ଅପରାଧୀଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବ ନାହିଁ।”

ଏସପି ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଘଟଣାରେ ସମ୍ପୃକ୍ତ ଅନ୍ୟ ସହଯୋଗୀ ଓ ଅସ୍ତ୍ର ଯୋଗାଣକାରୀଙ୍କ ଉପରେ କଡ଼ା ନଜର ରଖାଯାଇଛି ଏବଂ ସମଗ୍ର ନେଟୱାର୍କର ଚେର ଖୋଜାଯିବ। ବଣ୍ଟି ନାଁରେ ୧୭ଟି ସଙ୍ଗୀନ ଅପରାଧିକ ମାମଲା ରହିଛି। ପୋଲିସ ରେକର୍ଡ ଅନୁଯାୟୀ, ବଣ୍ଟି ପ୍ରସାଦ ବିରୋଧରେ ଝାରସୁଗୁଡ଼ା, ବ୍ରଜରାଜନଗର ଓ ଓରିଏଣ୍ଟ ଥାନାରେ ହତ୍ୟା ଉଦ୍ୟମ, ଡକାୟତି ଯୋଜନା, ସଙ୍ଗଠିତ ଅପରାଧ ଏବଂ ବେଆଇନ ବନ୍ଧୁକ କାରବାର ଘଟଣାରେ ମାମଲା ରହିଛି।

ପୋଲିସ ଘଟଣାସ୍ଥଳରୁ ବେଆଇନ ମାରଣାସ୍ତ୍ର ଜବତ କରିଛି। ଏନକାଉଣ୍ଟର ପରେ ସମଗ୍ର ବ୍ରଜରାଜନଗର ଓ ଶିଳ୍ପାଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ପୋଲିସ ପକ୍ଷରୁ କଡ଼ା ପାଟ୍ରୋଲିଂ ଜାରି ରହିଛି।

Leave a Reply

Your email address will not be published. Required fields are marked *