ପ୍ରଜ୍ଞାନ ଓଝା ହେଲେ ଟିମ୍ ଇଣ୍ଡିଆର ନୂଆ ମୁଖ୍ୟ ଚୟନକର୍ତ୍ତା
ମୁମ୍ବାଇ (ସଂକେତ ଟିଭି): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏକ ବଡ ଘୋଷଣା କରିଛି। ଅଜିତ ଅଗରକରଙ୍କ ସ୍ଥାନ ନେଇଛନ୍ତି ଭାରତୀୟ ପୂର୍ବତନ କ୍ରିକେଟର ତଥା ଓଡ଼ିଆ ପୁଅ ପ୍ରଜ୍ଞାନ ଓଝା। ଟିମ୍ ଇଣ୍ଡିଆର ନୂଆ ମୁଖ୍ୟ ଚୟନକର୍ତ୍ତା ହେଲେ ପ୍ରଜ୍ଞାନ ଓଝା ଏବଂ ଚୟନକର୍ତ୍ତା ଟିମର ସଦସ୍ୟ ହେଲେ ପୂର୍ବତନ କ୍ରିକେଟର ରମେଶ ପାୱାର।
ଅଧିକ ଟେଷ୍ଟ ମ୍ୟାଚ ଖେଳିଥିବା କାରଣରୁ ପ୍ରଜ୍ଞାନ ଓଝା ହେଲେ ଚୟନକର୍ତ୍ତା ଟିମର ମୁଖ୍ୟ। ଚୟନକର୍ତ୍ତା ଟିମର ମୁଖ୍ୟ ଭାବେ ଅଗରକରଙ୍କ କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଛି ବିସିସିଆଇ। ତେବେ ପ୍ରଜ୍ଞାନ ଚୟନକର୍ତ୍ତା ଟିମର ଅନ୍ତରୀଣ ଅଧ୍ୟକ୍ଷ ରହିଥିବା ସମୟରେ ଏହି ଘୋଷଣା ହୋଇଛି।
ଅଜିତ ଅଗରକରଙ୍କ ପରେ କିଏ ସମ୍ଭାଳିବେ ଟିମ୍ ଇଣ୍ଡିଆର ଚିଫ୍ ସିଲେକ୍ଟର ପଦ? ଏପରି ପ୍ରଶ୍ନ ଫ୍ୟାନ୍ସଙ୍କ ମନରେ ଥିବା ସମୟରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇଛି ବିସିସିଆଇ। ଭାରତୀୟ ଦଳର ପୂର୍ବତନ କ୍ରିକେଟର ପ୍ରଜ୍ଞାନ ଓଝା ଅଜିତ ଅଗରକରଙ୍କ ପରେ ଦଳର ମୁଖ୍ୟ ସିଲେକ୍ଟର ଭାବେ ଚୟନ ହୋଇଛନ୍ତି। ତେବେ ସିଲେକ୍ଟର ପ୍ୟାନେଲରେ ଅନ୍ୟତମ ସଦସ୍ୟ ଭାବେ ପୂର୍ବତନ ସ୍ପିନର ରମେଶ ପାୱାର ସାମିଲ ହୋଇଛନ୍ତି। ପ୍ୟାନେଲରେ ଚାରି ସଦସ୍ୟ ରହିଛନ୍ତି। ଅନ୍ୟ ସଦସ୍ୟମାନେ ହେଲେ ଶିବ ସୁନ୍ଦର ଦାସ, ଆରପି ସିଂହ, ଅଜୟ ରତ୍ରା ଏବଂ ରମେଶ ପାୱାର।
ସୂଚନାଯୋଗ୍ୟ, ପ୍ରଜ୍ଞାନ ଓଝା ଭାରତ ପାଇଁ ୨୪ଟି ଟେଷ୍ଟ, ୧୮ଟି ଦିନିକିଆ ଏବଂ ୬ଟି ଟି୨୦ ମ୍ୟାଚ ଖେଳିଛନ୍ତି। ସେ ବାମହାତୀ ସ୍ପିନର ଥିଲେ। ତାଙ୍କୁ ଚୟନ କମିଟିର ଅନ୍ତରୀଣ ମୁଖ୍ୟ ଭାର ପ୍ରଦାନ କରାଯାଇଥିଲା। ରମେଶ ପାୱାର ୨୦୦୪ ରୁ ୨୦୦୭ ମଧ୍ୟରେ ଭାରତ ପାଇଁ ୨ଟି ଟେଷ୍ଟ ଏବଂ ୩୧ଟି ଦିନିକିଆ (ଓଡିଆଇ) ମ୍ୟାଚ ଖେଳି ମୋଟ ୪୦ଟି ୱିକେଟ ହାସଲ କରିଥିଲେ। ଅନ୍ୟ ଦିଗରେ ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଅକ୍ଟୋବର ୪ରେ ଶେଷ ହୋଇଛି। ବୋର୍ଡ ୨୦୨୭ ବିଶ୍ୱକପକୁ ନଜରରେ ରଖି ମୁଖ୍ୟ ଚୟନକର୍ତ୍ତା ନିଯୁକ୍ତି କରିଛି।
ପୂର୍ବତନ ଭାରତୀୟ ୱିକେଟକିପର ବ୍ୟାଟ୍ସମ୍ୟାନ ପାର୍ଥିବ ପଟେଲ ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ଆବେଦନ କରିନଥିଲେ। ଅଜିତ ଅଗରକରଙ୍କ ସ୍ଥାନରେ ପାର୍ଥିବଙ୍କୁ ବିସିସିଆଇର ନୂଆ ମୁଖ୍ୟ ଚୟନକର୍ତ୍ତା ଭାବେ ଦେଖାଯାଉଥିଲା। ସେ ଏହି ଦୌଡ଼ରେ ସବୁଠାରୁ ଆଗରେ ଥିଲେ, କିନ୍ତୁ ସେ ଆବେଦନ ନକରିବା ଯୋଗୁଁ ପ୍ରଜ୍ଞାନ ଓଝାଙ୍କ ପାଇଁ ବାଟ ସହଜ ହୋଇଥିଲା। ବିସିସିଆଇରେ ପଶ୍ଚିମାଞ୍ଚଳରୁ ଚୟନକର୍ତ୍ତା ପଦ ଖାଲି ପଡ଼ିଥିଲା। ଏହି ପଦ ପାଇଁ ଆବେଦନ କରିବାର ଶେଷ ଦିନ ସୁଦ୍ଧା ପାର୍ଥିବ ଆପ୍ଲାଏ କରିନଥିଲେ।
ଦକ୍ଷିଣାଞ୍ଚଳର ପ୍ରତିନିଧିତ୍ୱ କରୁଥିବା ଓଝା ନିଜ କାର୍ଯ୍ୟକାଳର ବାକି ସମୟ ପର୍ଯ୍ୟନ୍ତ ଅଧ୍ୟକ୍ଷ ରହିବେ। ବର୍ତ୍ତମାନର ଚୟନକର୍ତ୍ତାମାନଙ୍କ ମଧ୍ୟରେ ତାଙ୍କ ନାମରେ ସବୁଠାରୁ ଅଧିକ ଟେଷ୍ଟ ମ୍ୟାଚ ଥିବାରୁ ତାଙ୍କର ଦାବିଦାରୀ ଅଧିକ ମଜଭୁତ ହୋଇଥିଲା। ଜୁନିୟର ପୁରୁଷ ଚୟନ କମିଟିର ଅଧ୍ୟକ୍ଷ ହେବା ପାଇଁ ପ୍ରବଳ ଦାବିଦାର ବିବେଚିତ ହେଉଥିବା ରମେଶ ପାୱାର ବର୍ତ୍ତମାନ ପଶ୍ଚିମାଞ୍ଚଳରୁ ସିନିୟର ଚୟନକର୍ତ୍ତା ପ୍ୟାନେଲରେ ସାମିଲ ହୋଇଛନ୍ତି।
ଅଗରକର ଦୁଇ ବର୍ଷ ପାଇଁ ଚୟନକର୍ତ୍ତା କମିଟିର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ ଏବଂ ଏହି ସମୟ ମଧ୍ୟରେ ଦଳ ଟି-୨୦ ବିଶ୍ୱକପ ଓ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା। ବିସିସିଆଇର ନିୟମ ଅନୁଯାୟୀ, ସବୁଠାରୁ ବରିଷ୍ଠ ଟେଷ୍ଟ ଖେଳାଳିଙ୍କୁ ଅଧ୍ୟକ୍ଷ ପଦ ମିଳିବା ବାଧ୍ୟତାମୂଳକ ଅଟେ।
