EducationFeaturedLatestNews

ରାଜ୍ୟରେ ହାଇସ୍କୁଲକୁ ଉନ୍ନୀତ ହେବ ୩୨ଟି ସରକାରୀ ୟୁପି ସ୍କୁଲ୍

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ଆଉ ୩୨ଟି ସରକାରୀ ପ୍ରାଥମିକ ବିଦ୍ୟାଳୟ (ୟୁପି ସ୍କୁଲ୍) ହାଇସ୍କୁଲକୁ ଉନ୍ନୀତ ହେବ। ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଏହି ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି। ସମଗ୍ର ଶିକ୍ଷା ଯୋଜନା ଅଧୀନରେ ଏହି ସ୍କୁଲଗୁଡ଼ିକର ଉନ୍ନତୀକରଣ କରାଯିବ।

ଏନେଇ ଗତକାଲି (ସୋମବାର) ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (OSEPA) ପକ୍ଷରୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ତଥା ସମଗ୍ର ଶିକ୍ଷାର ଅଧ୍ୟକ୍ଷଙ୍କୁ ଚିଠି ଜାରି କରାଯାଇଛି।

ଚିଠି ଅନୁଯାୟୀ, ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ପ୍ରକଳ୍ପ ଅନୁମୋଦନ ବୋର୍ଡ (PAB)ର ସୁପାରିସ ଆଧାରରେ ଏହି ଉନ୍ନତୀକରଣ ପ୍ରସ୍ତାବକୁ ଅନୁମତି ମିଳିଛି। ଏଥିପାଇଁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବା ସହ ଉନ୍ନତୀକରଣ ସମ୍ପର୍କିତ ରିପୋର୍ଟ ରାଜ୍ୟ ଗଣଶିକ୍ଷା ବିଭାଗକୁ ପ୍ରଦାନ କରିବାକୁ କୁହାଯାଇଛି। ବାଲେଶ୍ୱର, ବରଗଡ଼, ବଲାଙ୍ଗୀର, ବୌଦ୍ଧ, ଗଜପତି, ଯାଜପୁର, କଳାହାଣ୍ଡି, କଟକ, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ, ନବରଙ୍ଗପୁର, ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏହି ଚିଠି ପଠାଯାଇଛି।

ଉନ୍ନୀତ ହେବାକୁ ଥିବା ସ୍କୁଲଗୁଡ଼ିକ ମଧ୍ୟରେ ବଲାଙ୍ଗୀର ଜିଲ୍ଲାର ହାଧଡ଼ା ସରକାରୀ ୟୁପି ସ୍କୁଲ ଓ ତାଲବାହାଲ ସରକାରୀ ୟୁପି ସ୍କୁଲ, ବାଲେଶ୍ୱର ଜିଲ୍ଲାର ଖଜୁରେଶ୍ୱର ସରକାରୀ ୟୁପି ସ୍କୁଲ, ବରଗଡ଼ ଜିଲ୍ଲାର ଜାମୁଟବାହାଲ ସରକାରୀ ୟୁପି ସ୍କୁଲ, ବୌଦ୍ଧ ଜିଲ୍ଲାର ଖଜରୋଜ ୟୁପି ସ୍କୁଲ ଓ କାସୁରାବନ୍ଧା ୟୁପି ସ୍କୁଲ, ଗଜପତି ଜିଲ୍ଲାର ଏଙ୍ଗାରସିଂ ସରକାରୀ ୟୁପି ସ୍କୁଲ, ମାଣିକପୁର ସରକାରୀ ୟୁପି ସ୍କୁଲ, ସିଆଳିଲାଟି ସରକାରୀ ୟୁପି ସ୍କୁଲ ଓ କୁମୁଲୁସିଂ ୟୁପି ସ୍କୁଲ ରହିଛି।

ସେହିପରି ଯାଜପୁର ଜିଲ୍ଲାର ସାରଙ୍ଗପୁର ସ୍କୁଲ ଓ ଦେଓଗାଁ NUPS, କଳାହାଣ୍ଡି ଜିଲ୍ଲାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରୁବେତପଡ଼ା ପି.ୟୁ.ପି.ଏସ୍, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୋଜନାପୁର, ବେଡାଗାଓନର ସରକାରୀ ୟୁପି ସ୍କୁଲ, ଉପରଝାପିର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଲକ୍ଷ୍ମୀପୁର ଅଞ୍ଚଳର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଥେମର ଅଞ୍ଚଳର ସରକାରୀ ୟୁପିଏସ, ନକଟିକାଣୀ ଅଞ୍ଚଳର ପି.ୟୁ.ପି.ଏସ୍ ଅନ୍ତର୍ଭୁକ୍ତ ରହିଛି।

ଏହା ସହିତ କଟକ ଜିଲ୍ଲାର ପାହିଲାବାର ସରକାରୀ ୟୁପି ସ୍କୁଲ, କେନ୍ଦୁଝର ଜିଲ୍ଲାର କାରାଖେନ୍ଦ୍ର ୟୁପି ସ୍କୁଲ, କୋରାପୁଟ ଜିଲ୍ଲାର ଏସ୍. ଧରଗୁଡି ପ୍ରୋଜେ ୟୁପିଏସ, ବୁଡାପୁଟ ପ୍ରୋଜେ ୟୁପିଏସ, ଚିରକା ୟୁପି ସ୍କୁଲ ଓ କୋନା ୟୁପି ସ୍କୁଲ ଉନ୍ନୀତ ହେବ।
ସେହିପରି ମୟୂରଭଞ୍ଜ ଜିଲ୍ଲାର ସାନୁସ୍କି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନବରଙ୍ଗପୁର ଜିଲ୍ଲାର ତୋରଙ୍ଗା ୟୁପି ସ୍କୁଲ, ତୋହାର ଅଞ୍ଚଳର ସରକାରୀ ୟୁପି ସ୍କୁଲ ଓ ନନ୍ଦାପୁରାର ସରକାରୀ ୟୁପି ସ୍କୁଲ, ପୁରୀ ଜିଲ୍ଲାର ବେଗୁନିଆପଡା ୟୁପି ସ୍କୁଲ ଏବଂ ସୁନ୍ଦରଗଡ଼ ଜିଲ୍ଲାର ଅସୁରଚାପଲ ସରକାରୀ ୟୁପି ସ୍କୁଲ ଉନ୍ନୀତ ହେବା ନେଇ ପଦକ୍ଷେପ ଗ୍ରହଣ କରାଯାଇଛି।

Leave a Reply

Your email address will not be published. Required fields are marked *