ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଆପ୍ର ୪୦ ପ୍ରାର୍ଥୀ ତାଲିକା ଘୋଷଣା
ଚଣ୍ଡୀଗଡ଼(ସଂକେତ ଟିଭି): ଆଗାମୀ ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଶାସକ ଆମ୍ ଆଦମୀ ପାର୍ଟି (ଆପ୍) ଶନିବାର ତା’ର ୪୦ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ନିର୍ବାଚନର ପ୍ରାୟ ୪ ମାସ ପୂର୍ବରୁ ପ୍ରାର୍ଥୀ ଘୋଷଣା କରି ଦଳ ନିଜର ନିର୍ବାଚନୀ ପ୍ରଚାରକୁ ଆଗୁଆ ଶାଣିତ କରିଛି।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପ୍ରଥମ ତାଲିକାରେ ଦଳ କୌଣସି ନୂଆ ଚେହେରାକୁ ସୁଯୋଗ ନଦେଇ ସମସ୍ତ ୪୦ଟି ଆସନରେ ଥିବା ବିଧାୟକଙ୍କ ଉପରେ ପୁନର୍ବାର ଆସ୍ଥା ପ୍ରକଟ କରିଛି। ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ନିଜର ପାରମ୍ପରିକ ଆସନ ”ଧୁରୀ”ରୁ ପୁଣି ଥରେ ନିର୍ବାଚନ ଲଢ଼ିବେ। ସେହିପରି ଲୁଧିଆନା ୱେଷ୍ଟ୍ ଆସନରୁ ଜେଲରେ ଥିବା ବିଧାୟକ ସଞ୍ଜୀବ ଅରୋଡ଼ାଙ୍କୁ ଦଳ ପୁନଃପ୍ରାର୍ଥୀ କରିଛି।
ଅନ୍ୟ ପ୍ରମୁଖ ନେତାମାନଙ୍କ ମଧ୍ୟରେ ଅମୃତସର ସାଉଥରୁ ଡକ୍ଟର ଇନ୍ଦରବୀର ସିଂହ ନିଜ୍ଜର, ଆଜନାଲାରୁ କୁଲଦୀପ ସିଂହ ଧାଲିୱାଲ, କରତାରପୁରରୁ ବଲକାର ସିଂହ, ପାଟିଆଲାରୁ ଅଜିତପାଲ ସିଂହ କୋହଲି, ମୋହାଲିରୁ କୁଲୱନ୍ତ ସିଂହ ଏବଂ କୋଟକପୁରାରୁ କୁଲତାର ସିଂହ ସନ୍ଧୱାନଙ୍କ ନାମ ରହିଛି।
ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ସୂଚନା ଦେଇଛନ୍ତି ଯେ, ଜନସାଧାରଣଙ୍କ ସର୍ଭେ ଏବଂ ବିଧାୟକମାନଙ୍କ କାର୍ଯ୍ୟଦକ୍ଷତା ଆଧାରରେ ହିଁ ପ୍ରାର୍ଥୀ ଚୟନ କରାଯାଇଛି। ୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭାର ପ୍ରାୟ ୩୪ ପ୍ରତିଶତ ଆସନରେ ପ୍ରାର୍ଥୀ ଘୋଷଣା ସରିଥିବା ବେଳେ ଆସନ୍ତା ସପ୍ତାହରେ ଦଳ ତା’ର ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିବ।
ରାଜନୈତିକ ବିଶ୍ଲେଷକଙ୍କ ମତରେ, ଆଗୁଆ ପ୍ରାର୍ଥୀ ଘୋଷଣା କରି ଆପ୍ ବିରୋଧୀ ଦଳଗୁଡ଼ିକ ଉପରେ ଚାପ ସୃଷ୍ଟି କରିବା ସହ ନିଜ ପ୍ରାର୍ଥୀମାନଙ୍କୁ ସ୍ଥାନୀୟ ସ୍ତରରେ ସଂଗଠନ ମଜବୁତ କରିବାକୁ ପର୍ଯ୍ୟାପ୍ତ ସମୟ ଦେଇଛି।
