କୁଖ୍ୟାତ ଅପରାଧୀ ଅନିମେଶ ଓ କୁଆଁକୁ ଗିରଫ କଲା ବାଲେଶ୍ବର ପୋଲିସ
ବାଲେଶ୍ବର (ସଂକେତ ଟିଭି): ଦୀର୍ଘ ଦିନ ହେବ ଫେରାର ଥିବା ଅପରାଧୀ ଅନିମେଶ ଘୋଷ ଏବଂ କୈଳାଶ ଦାସ (କୁଆଁ)କୁ ବାଲେଶ୍ବର ପୋଲିସ ଗିରଫ କରିଛି । ସେମାନେ ବାଲେଶ୍ବର ଆସିଥିବା ସମୟରେ ଶିଳ୍ପାଞ୍ଚଳ ଥାନା ଅଂଚଳରୁ ଆଜି ତାଙ୍କୁ ଗିରଫ କରାଯାଇଛି ବୋଲି ବାଲେଶ୍ବର ଏସପି ପ୍ରତ୍ୟୁଶ ଦିବାକର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ତାଙ୍କ ନିକଟରୁ ଗୋଟିଏ ବନ୍ଧୁକ ଏବଂ ଦୁଇଟି ଖଣ୍ଡା ଜବତ ହୋଇଛି ।
ଅନିମେଶ ଘୋଷ ଉପରେ ୨୦୧୩ ମସିହା ସମୟରେ ଜଣେ ବ୍ୟବସାୟୀଙ୍କ କର୍ମଚାରୀଙ୍କ ଉପରେ ଆକ୍ରମଣ ଏବଂ ଚାନ୍ଦା ଆଦାୟ ମାମଲାରେ ଅଭିଯୋଗ ରହିଛି। ଏହାଛଡା, ୨୦୧୮ ମସିହାରେ ବାଲି ଖାଦାନକୁ ନେଇ ହୋଇଥିବା ଗ୍ୟାଙ୍ଗ୍ ଓ୍ବାରରେ ଜଣେ ବ୍ୟକ୍ତିଙ୍କ ହତ୍ୟା ମାମଲାରେ ସେ ଏକ ପ୍ରମୁଖ ସଂଗଠନକାରୀ ଏବଂ ପ୍ରତିଦ୍ୱନ୍ଦ୍ୱୀ ବୋଲି ଚିହ୍ନିତ ହୋଇଥିଲେ।
ସେହିପରି କୈଳାଶ ଦାସ (କୁଆଁ) ମଧ୍ୟ ଏକ କୁଖ୍ୟାତ ସ୍ଥାନୀୟ ଅପରାଧୀ ଭାବରେ ଚିହ୍ନିତ। ସମ୍ବାଦ ଓ ଅଦାଲତୀ ନଥି ଦସ୍ତାବେଜ୍ ଅନୁଯାୟୀ, ୨୦୧୮ ମସିହାରେ ହୋଇଥିବା ପ୍ରତିଦ୍ୱନ୍ଦ୍ୱୀ କୁନୁ ପଣ୍ଡାଙ୍କ ହତ୍ୟା ମାମଲାରେ ସେ ସଂପୃକ୍ତ । ଏହା ସହିତ ସେ ବହୁ ଗ୍ୟାଙ୍ଗ୍ ଓ୍ବାର ଏବଂ ଅନେକ ଅପରାଧରେ ମଧ୍ୟ ଜଡିତ ଥିବା ପୋଲିସ କହିଛି । ବାଲେଶ୍ବର ପୋଲିସ ଦୀର୍ଘ ଦିନ ଧରି ତାଙ୍କୁ ଧରିବା ପାଇଁ ଯୋଜନା କରିଥିଲା ।

