ମାଲକାନଗିରି ହିଂସା ପରେ ୧୦ ଦୃଢ ନିର୍ଦ୍ଦେଶ: ପୁନର୍ବାସ, ଶିକ୍ଷା ଓ ଆର୍ଥିକ ସହାୟତା ପ୍ରତିଶ୍ରୁତି
ଭୁବନେଶ୍ବର :(ସଂକେତ ଟିଭି) ମାଲକାନଗିରି ଜିଲ୍ଲାର ରାଖେଲଗୁଡା ଏବଂ ଏମ.ଭି.୨୬ ଗ୍ରାମରେ ଘଟିଥିବା ହିଂସାକାଣ୍ଡ ଉପରେ ସରକାରୀ ରିପୋର୍ଟ ଓ ଏକ ଉଚ୍ଚସ୍ତରୀୟ ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୦ଟି ଗୁରୁତ୍ଵପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଡିସେମ୍ବର ୨୯ ତାରିଖରେ ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ଗୋକୁଳାନନ୍ଦ ମଲ୍ଲିକ ସହିତ ପୋଲିସ ମହାନିର୍ଦ୍ଦେଶକ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ ।
ବୈଠକରେ ଜିଲ୍ଲାର ବିଭିନ୍ନ ସମସ୍ୟା ଏବଂ ଜନଜାତି ସମୂହର ଦୀର୍ଘକାଳୀନ ଅସନ୍ତୋଷ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଏହି ପୃଷ୍ଠଭୂମିରେ ଗୃହୀତ ମୁଖ୍ୟ ନିର୍ଦ୍ଦେଶଗୁଡ଼ିକ ହେଲା:
ପ୍ରଥମତଃ, ରେଗୁଲେସନ ୨/୫୬ (୨୦୦୨ ସଂଶୋଧିତ) ଅନ୍ତର୍ଗତ ବିଚାରାଧୀନ ଶତାଧିକ ମାମଲା ସମୀକ୍ଷା ପାଇଁ ଜିଲ୍ଲାପାଳ ପ୍ରତି ୧୫ ଦିନରେ ରିପୋର୍ଟ ଦେବେ । ଦ୍ୱିତୀୟତଃ, ଭୂମି ଓ ବାସଗୃହହୀନ ଜନଜାତି ପରିବାରକୁ ଏଫ୍.ଆର୍.ଏ ଓ ରାଜ୍ୟ ଭୂମି ରେଜିଷ୍ଟ୍ରେସନ ଆଇନ ଅଧୀନରେ ସ୍ଥାୟୀ ପଟ୍ଟା ପ୍ରଦାନର ଆଶୁ ବ୍ୟବସ୍ଥା କରାଯିବ । ତୃତୀୟତଃ, ମାଛକୁଣ୍ଡ ଜଳସେଚନ ଯୋଜନାରେ ବିସ୍ଥାପିତ ପରିବାରଙ୍କୁ ମଧ୍ୟ ସ୍ଥାୟୀ ପଟ୍ଟା ପ୍ରଦାନ କରାଯିବ ।
ଚତୁର୍ଥ ନିର୍ଦ୍ଦେଶ ଅନୁଯାୟୀ, ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରତି ତିନି ମାସରେ ଜିଲ୍ଲାର ରାଜସ୍ୱ ସମ୍ବନ୍ଧୀୟ ମାମଲା ସମୀକ୍ଷା କରିବେ । ପଞ୍ଚମ ନିର୍ଦ୍ଦେଶରେ ଜନଜାତି ଓ ଅନ୍ୟ ସମ୍ପ୍ରଦାୟର ଲୋକଙ୍କ ଉଚ୍ଚ ଚାଷଜମିରେ ଜଳସେଚନ ସୁବିଧା କରାଯିବା ନିମିତ୍ତ ଜଳସମ୍ପଦ ବିଭାଗକୁ ଦାୟିତ୍ୱ ଦିଆଯାଇଛି ।
ଷଷ୍ଠତଃ, କୃଷି ଉନ୍ନୟନ ଯୋଜନା, ପି.ଏମ୍.ଇ.ଜି.ପି ଓ ପି.ଏମ୍.ଏଫ୍.ଏମ୍.ଇ ଭଳି ଯୋଜନାରେ ଜନଜାତିଙ୍କ ଅଧିକ ଲାଭାନ୍ବିତ ହେବାର ବ୍ୟବସ୍ଥା କରାଯିବ । ସପ୍ତମ ନିର୍ଦ୍ଦେଶରେ କୋୟା, ଡିଡାଇ, ବଣ୍ଡା ଭାଷା ଶିକ୍ଷକ ପଦଗୁଡିକ ତ୍ୱରିତ ପୂରଣ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ କୁହାଯାଇଛି ।
ଅଷ୍ଟମ ନିର୍ଦ୍ଦେଶ ଅନୁଯାୟୀ ଦଶମ ଶ୍ରେଣୀ ପରେ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ଜାରି ରଖିବା ପାଇଁ ଜିଲ୍ଲାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡିକରେ ଅଧିକ ଆସନ ସୃଷ୍ଟି କରାଯିବ । ନବମ ନିର୍ଦ୍ଦେଶରେ ଦୂରାଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ସଂଖ୍ୟାରେ ଛାତ୍ରାବାସ ନିର୍ମାଣ କରାଯିବ ।
ଦଶମ ଏବଂ ଚରମ ନିର୍ଦ୍ଦେଶ ହେଲା ଆର୍ଥିକ ସହାୟତା ସମ୍ବନ୍ଧୀୟ । ରାଖେଲଗୁଡା-ଏମ.ଭି.୨୬ ଘଟଣାରେ ମୃତ ଲାକେ ପଡିଆମିଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ସ୍ବତନ୍ତ୍ର ସହାୟତା ଦିଆଯିବ । ଏମ.ଭି.୨୬ ଗ୍ରାମର ଆଂଶିକ କିମ୍ବା ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ପ୍ରତ୍ୟେକ ଘର ମରାମତି ପାଇଁ ସର୍ବାଧିକ ୭୫,୦୦୦ ଟଙ୍କା ଏବଂ କ୍ଷତିଗ୍ରସ୍ତ ପ୍ରତ୍ୟେକ ଦୋକାନ ପାଇଁ ସର୍ବାଧିକ ୨୦,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ । ଜିଲ୍ଲା ପ୍ରଶାସନର ରିପୋର୍ଟ ଅନୁସାରେ କ୍ଷତି ମୂଲ୍ୟାଙ୍କନ କରାଯିବ ।
