FeaturedLatestNews

ରାଉରକେଲାରେ ବିମାନ ଦୁର୍ଘଟଣା; ୬ ଜଣ ଆହତ

ରାଉରକେଲା (ସଂକେତ ଟିଭି): ଭୁବନେଶ୍ୱରରୁ ରାଉରକେଲାକୁ ଯାଉଥିବା ଏକ ଛୋଟ ୯-ସିଟର ଯାତ୍ରୀବାହୀ ବିମାନ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହୋଇଛି । ରାଉରକେଲା ନିକଟବର୍ତ୍ତୀ ଦକ୍ଷିଣ ରାଉରକେଲା ଅଞ୍ଚଳରେ ଜଲଦା କାଏଁସର ଗ୍ରାମ ପାଖରେ ବିମାନଟି ଜରୁରୀ ଅବତରଣ କରିବାବେଳେ ଭାରସାମ୍ୟ ହରାଇ ତଳେ ପଡିଯାଇଥିଲା ।

ଦୁର୍ଘଟଣାରେ ବିମାନର ଦୁଇ ଜଣ ପାଇଲଟ୍ ସହିତ ୪ ଜଣ ଯାତ୍ରୀ ମୋଟ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ପାଇଲଟ୍ମାନେ ହେଉଛନ୍ତି କ୍ୟାପଟେନ୍ ନବୀନ ଖଙ୍ଗାରା ଓ ତରୁଣ ଶ୍ରୀବାସ୍ତବ । ଆହତ ଯାତ୍ରୀମାନଙ୍କ ମଧ୍ୟରେ ଅନିତା ସାହୁ, ସବିତା ଅଗ୍ରୱାଲ, ସୁନୀଲ ଅଗ୍ରୱାଲ ଓ ସୁଶାନ୍ତ କୁମାର ବିଶ୍ୱାଳ ଅନ୍ତର୍ଭୁକ୍ତ । ଜଲଦା, ରଘୁନାଥପାଲି ଓ ଲାଠିକଟା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରି ଆହତଙ୍କୁ ପ୍ରଥମେ ନିକଟସ୍ଥ ମେଡିକାଲରେ ଏବଂ ପରେ ରାଉରକେଲା ଇସ୍ପାତ ଜେନେରାଲ ଡାକ୍ତରଖାନାକୁ ପଠାଇଥିଲେ ।

ପରିବହନ ମନ୍ତ୍ରୀ ବିଭୂତି ଜେନା କହିଛନ୍ତି ଯେ ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବାରୁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ଭାବରେ ଜଣାଯାଇଛି । ତାଙ୍କ ମତରେ, ଭଗବାନଙ୍କ ଆଶୀର୍ବାଦରେ ବଡ଼ ଦୁର୍ଘଟଣା ଘଟିଲେ ମଧ୍ୟ କୌଣସି ଜୀବନ ହାନି ହୋଇନାହିଁ ଏବଂ ଯାତ୍ରୀମାନଙ୍କ ଅବସ୍ଥା ସ୍ଥିର ଅଛି । ମନ୍ତ୍ରୀ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ମଧ୍ୟ ସୋସିଆଲ୍ ମିଡ଼ିଆ ଦେଇ ଆହତମାନଙ୍କ ଶୀଘ୍ର ସୁସ୍ଥ ହେବାକୁ କାମନା କରିଛନ୍ତି ଏବଂ ସମସ୍ତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ଆବଶ୍ୟକୀୟ ନିର୍ଦ୍ଦେଶ ଦେଇଛନ୍ତି । ଘଟଣା ସ୍ଥଳରେ ରାଉରକେଲା ଜିଲ୍ଲାର ପୋଲିସ୍ ଅଧିକାରୀମାନେ ମଧ୍ୟ ପହଞ୍ଚି ତଦାରଖ କରୁଛନ୍ତି ।