EducationFeaturedLatestNews

ସାତ ଦିନ ଅନୁପସ୍ଥିତି ରହିଲେ ଛାତ୍ରଙ୍କ ଘର ପରିଦର୍ଶନ କରିବେ ଶିକ୍ଷକ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ବିଦ୍ୟାଳୟ ଛାଡ଼ିବାର (ଡ୍ରପ୍ ଆଉଟ୍) ହାର ବୃଦ୍ଧି ପାଇଥିବାରୁ ଚିନ୍ତିତ ହୋଇ ଶିକ୍ଷା ବିଭାଗ କଡ଼ା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛି। ଯେକୌଣସି ଛାତ୍ର ବା ଛାତ୍ରୀ ଏକାଧିକ ସପ୍ତାହ ଧରି ବିଦ୍ୟାଳୟରେ ଅନୁପସ୍ଥିତ ରହିଲେ, ଶିକ୍ଷକ ତାଙ୍କ ଘର ପରିଦର୍ଶନ କରିବେ ଏବଂ ଅନୁପସ୍ଥିତିର କାରଣ ତଦାରଖ କରିବେ।

ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଏ ସମ୍ପର୍କରେ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଏବଂ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କୁ ଚିଠି ଜାରି କରିଛି। ଚିଠିରେ କୁହାଯାଇଛି ଯେ ଶିକ୍ଷକ, ପ୍ରଧାନଶିକ୍ଷକ କିମ୍ବା ବିଦ୍ୟାଳୟ ପରିଚାଳନା କମିଟି (ଏସ୍ଏମ୍ସି) ସଦସ୍ୟ ଅନୁପସ୍ଥିତ ପିଲାଙ୍କ ଘର ଯାଇ ପିତାମାତାଙ୍କ ସହ ଆଲୋଚନା କରିବେ। ପିଲାଟି କାହିଁକି ବିଦ୍ୟାଳୟ ଛାଡିଛି, ସାମାଜିକ-ଆର୍ଥିକ ଅସୁବିଧା, ପ୍ରବାସୀ ପରିବାର କିମ୍ବା ଅନ୍ୟ କୌଣସି କାରଣ ଅଛି କି ନାହିଁ ତା ବୁଝିବେ ଏବଂ ପିଲାକୁ ପୁନର୍ବାର ବିଦ୍ୟାଳୟରେ ଯୋଗ ଦେବାକୁ ସକ୍ରିୟ ଭାବରେ ସହାୟତା କରିବେ।

ଏହି ନିର୍ଦ୍ଦେଶ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଓଏସ୍ସିପିସିଆର୍)ର ଏକ ପ୍ରେରଣାରେ ଜାରି କରାଯାଇଛି। ଆୟୋଗ ଗତ ଡିସେମ୍ବର ମାସ ୨୬ ତାରିଖରେ ଡ୍ରପ୍ ଆଉଟ୍ ହାର, ଶିଶୁ ଶ୍ରମ ଓ ବାଲ୍ୟ ବିବାହ ରୋକଥାନ୍ତୁ ପ୍ରତି ଗୁରୁତ୍ୱ ଆରୋପ କରି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲା। ନୂତନ ନିର୍ଦ୍ଦେଶନାମା ଅନୁଯାୟୀ, ଗୃହ ପରିଦର୍ଶନ ସମୟରେ ଯଦି କୌଣସି ଶିଶୁ ଶ୍ରମିକ ବା ବାଲ୍ୟ ବିବାହର ତଥ୍ୟ ମିଳେ, ତେବେ ସେହି କେଶ୍ରେଷ ଶ୍ରମ ବିଭାଗ ସହିତ ଯୋଗାଯୋଗ କରି ପିଲାକୁ ମୁକ୍ତ କରାଇ ବିଦ୍ୟାଳୟକୁ ଫେରାଇ ଆଣିବା ପାଇଁ କାର୍ଯ୍ୟକାରୀ ପଦକ୍ଷେପ ନେବାକୁ ହେବ।

ଏହି ପଦକ୍ଷେପ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସମସ୍ତ ବିଦ୍ୟାଳୟ ପାଇଁ ବାଧ୍ୟତାମୂଳକ ହେବ ବୋଲି ବିଭାଗ ଦାୟୀ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା, ତୃଣମୂଳ ସ୍ତରରେ ତଦାରଖକୁ ସଶକ୍ତ କରିବା ଏବଂ ପାଠପଢ଼ା ଛାଡ଼ିବା ହାର ହ୍ରାସ କରିବା ଏହି ନିୟୋଗର ମୁଖ୍ୟ ଲକ୍ଷ୍ୟ ବୋଲି ଜଣାଯାଇଛି।