ଚିଲିକା-ହୀରାକୁଦରେ ପକ୍ଷୀ ଗଣନା ଆରମ୍ଭ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟର ଦୁଇଟି ପ୍ରମୁଖ ପକ୍ଷୀ ଅଭୟାରଣ୍ୟ ଚିଲିକା ଓ ହୀରାକୁଦରେ ବାର୍ଷିକ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ଏହି ଗଣନା ମାଧ୍ୟମରେ ଆସିବାରୀ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ଓ ପ୍ରଜାତି ନିରୂପଣ କରାଯାଏ ।
ଚିଲିକା ହ୍ରଦରେ ଏହି ଗଣନା ସକାଳ ୬ଟାରୁ ଦିପହର ୧ଟା ପର୍ଯ୍ୟନ୍ତ ଚାଲିଥିବ । ହ୍ରଦର ୫ଟି ରେଞ୍ଜରେ ସମୁଦାୟ ୨୨ଟି ଟିମ୍ କାର୍ଯ୍ୟରତ ଅଛନ୍ତି, ଯାହା ପ୍ରତ୍ୟେକରେ ୩ରୁ ୫ ଜଣ କରି ସଦସ୍ୟ ଅଛନ୍ତି । ସେମାନେ ବାଇନାକୁଲାର, କ୍ୟାମେରା ଏବଂ ଜିପିଏସ୍ ଯନ୍ତ୍ର ସାହାଯ୍ୟରେ ସଠିକ୍ ଗଣନା କରୁଛନ୍ତି । ସାତପଡା, ଟାଙ୍ଗୀ, ବାଲୁଗାଁ, ରମ୍ଭା ଓ ନୂଆପଡା ସମେତ ବିଭିନ୍ନ ସ୍ଥାନରେ ଏହି ଟିମ୍ଗୁଡିକ ନିୟୋଜିତ । ଗତବର୍ଷ ଚିଲିକାକୁ ୧୧ ଲକ୍ଷ ୨୭ ହଜାର ୨୨୮ ଟି ପକ୍ଷୀ ଆସିଥିଲେ ଏବଂ ଚାଳିତବର୍ଷ ଏହି ସଂଖ୍ୟା ବଢିବାର ଆଶା କରାଯାଉଛି । ସନ୍ଧ୍ୟାରେ ଚଳିତବର୍ଷର ପ୍ରାଥମିକ ଗଣନା ତଥ୍ୟ ମିଳିବ ।
ଅନ୍ୟ ପକ୍ଷରେ, ହୀରାକୁଦ ଜଳାଶୟରେ ଗଣନା ପାଇଁ ୨୧ଟି ସେକ୍ଟର ଗଠନ କରାଯାଇଛି । ପ୍ରାୟ ୭୦ ଜଣ ବନ ଅଧିକାରୀ ଓ ପକ୍ଷୀ ବିଶେଷଜ୍ଞ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି । ଗତବର୍ଷ ହୀରାକୁଦକୁ ୧୨୨ ପ୍ରଜାତିର ୩ ଲକ୍ଷ ୭୭ ହଜାର ୭୩୨ ଟି ବିଦେଶୀ ପକ୍ଷୀ ଆସିଥିଲେ ।
ଏହି ଦୁଇଟି ପ୍ରମୁଖ ସ୍ଥାନ ସହିତ ଆଠଗଡ ଜିଲ୍ଲାର ବନଖଣ୍ଡର ୫ଟି ରେଞ୍ଜରେ ମଧ୍ୟ ପକ୍ଷୀ ଗଣନା ଚାଲିଛି । ଅଂଶୁପା ସମେତ ସୁଦୂର ୪୦ଟି ସ୍ଥାନରେ ଟିମ୍ଗୁଡିକ ପକ୍ଷୀ ଗଣନା କରି ପରିବେଶ ତଥ୍ୟ ସଂଗ୍ରହ କରୁଛନ୍ତି ।
