FeaturedGeneralLatest

ପ୍ରଦୂଷଣରେ ଭାରତରେ ବାର୍ଷିକ ୧୦ ଲକ୍ଷ ମୃତ୍ୟୁ: ମୋଦୀଙ୍କୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ (ସଂକେତ ଟିଭି): ଦେଶରେ ପ୍ରଦୂଷଣ ଏକ ଗମ୍ଭୀର ସମସ୍ୟା ହୋଇ ରହିଛି ବୋଲି ୱାର୍ଲଡ୍ ବ୍ୟାଙ୍କର ନୂତନ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏହି ରିପୋର୍ଟ ଅନୁସାରେ, ପ୍ରଦୂଷଣ ଯୋଗୁଁ ପ୍ରତିବର୍ଷ ପ୍ରାୟ ୧୦ ଲକ୍ଷ ଲୋକଙ୍କର ଅକାଳ ମୃତ୍ୟୁ ହେଉଛି । ଏହାର ନକାରାତ୍ମକ ପ୍ରଭାବ ଦେଶର ଅର୍ଥନୀତି ଉପରେ ମଧ୍ୟ ପଡ଼ୁଛି ।

ୱାର୍ଲଡ୍ ବ୍ୟାଙ୍କର ଏହି ରିପୋର୍ଟକୁ ଆଧାର କରି କଂଗ୍ରେସ ଦଳ ମୋଦୀ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛି । କଂଗ୍ରେସ ନେତା ଜୟରାମ ରମେଶ ସୋସିଆଲ୍ ମିଡ଼ିଆରେ ପ୍ରଶ୍ନ ଉଠାଇ କହିଛନ୍ତି, “ଆଉ କେତେଦିନ ପର୍ଯ୍ୟନ୍ତ ମୋଦୀ ସରକାର ସତଠାରୁ ମୁହଁ ଲୁଚାଇ ରହିବେ?” ପ୍ରଦୂଷଣ ସମସ୍ୟାର ମୁକାବିଲା ପାଇଁ କଠୋର ପଦକ୍ଷେପ ନେବା ପାଇଁ ସରକାରଙ୍କୁ ଦଳଟି ପାଖକୁ ପାଖ ଦାବି କରିଛି ।

ଜୟରାମ ରମେଶ ନିଜ ପୋଷ୍ଟରେ ଇଣ୍ଡୋ-ଗାଙ୍ଗେଟିକ୍ ପ୍ଲେନ୍ ଏବଂ ହିମାଳୟ ପାଦଦେଶ ଅଞ୍ଚଳର ବାୟୁ ପ୍ରଦୂଷଣ ଉପରେ କେନ୍ଦ୍ରିତ ୱାର୍ଲଡ୍ ବ୍ୟାଙ୍କର “ଏ ବ୍ରେଥ୍ ଅଫ୍ ଚେଞ୍ଜ୍” ନାମକ ରିପୋର୍ଟକୁ ଉଲ୍ଲେଖ କରିଛନ୍ତି । ଏହି ବ୍ୟାପକ ଓ ପ୍ରମାଣଆଧାରିତ ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ଅଞ୍ଚଳରେ ପ୍ରତିବର୍ଷ ୧୦ ଲକ୍ଷ ଲୋକଙ୍କର ଅକାଳ ମୃତ୍ୟୁ ଘଟୁଛି ଏବଂ କ୍ଷେତ୍ରୀୟ ଜିଡିପିରେ ପ୍ରାୟ ୧୦% କ୍ଷତି ଘଟୁଛି ।

ରିପୋର୍ଟର ସୁପାରିଶକୁ ଉଲ୍ଲେଖ କରି ଜୟରାମ ରମେଶ କୋଇଲା ବିଦ୍ୟୁତ୍ କେନ୍ଦ୍ର ନିର୍ଗମନ ମାନଦଣ୍ଡ ଲାଗୁ କରିବା, ପୁରୁଣା ୟୁନିଟ୍‌ଗୁଡ଼ିକୁ ବନ୍ଦ କରିବା, ବାୟୁ ମାନ ଆଧାରିତ ଶାସନ ବ୍ୟବସ୍ଥା କାର୍ଯ୍ୟକାରୀ କରିବା, ସାର୍ବଜନୀନ ପରିବହନ ବ୍ୟବସ୍ଥା ବିସ୍ତାର ଓ ବିଦ୍ୟୁତୀକରଣ କରିବା ଏବଂ ଯାନବାହାନ ନିର୍ଗମନ ମାନଦଣ୍ଡ କଡ଼ାକଡ଼ି କରିବା ଆଦି ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ।

ସେହିପରି, ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ଦିନକୁ ଦିନ ଖରାପ ଅବସ୍ଥା ଯାଉଥିବା ଦୃଷ୍ଟିଗତ ରଖି, ଜୟରାମ ରମେଶ କହିଛନ୍ତି ଯେ କଂଗ୍ରେସ ବାରମ୍ବାର ବାୟୁ ପ୍ରଦୂଷଣ (ନିବାରଣ ଓ ନିୟନ୍ତ୍ରଣ) ଆଇନ, ୧୯୮୧ ଏବଂ ଜାତୀୟ ଆମ୍ବିଏଣ୍ଟ ବାୟୁ ଗୁଣବତ୍ତା ମାନକ (NAAQS), ୨୦୦୯ର ସମୀକ୍ଷା କରି PM ୨.୫ ଉପରେ ଅଧିକ ଧ୍ୟାନ ଦେବା ପାଇଁ ସୁପାରିଶ କରିଆସିଛି । ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ (NCAP)କୁ ବିସ୍ତାର କରାଯିବା ଉଚିତ ବୋଲି ସେ ମଧ୍ୟ ଦର୍ଶାଇଛନ୍ତି । ତାଙ୍କ ମତରେ, PM ୨.୫ ସ୍ତରକୁ ଏକ ମାନଦଣ୍ଡ ଭାବରେ ବ୍ୟବହାର କରାଯାଇ ବାୟୁ ପ୍ରଦୂଷଣ ନିୟମାବଳୀକୁ କୌଣସି ଛାଡ଼ ବିନା କଠୋର ଭାବରେ ଲାଗୁ କରାଯିବା ଆବଶ୍ୟକ ।