ପୁରୀ ଜିଲ୍ଲାପାଳଙ୍କ ବିରୁଦ୍ଧରେ ଅଦାଲତ ଅବମାନନା ନୋଟିସ୍ ଜାରି କଲେ ହାଇକୋର୍ଟ
କଟକ (ସଂକେତ ଟିଭି): ପ୍ରସ୍ତାବିତ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ପ୍ରକ୍ରିୟାରେ ହାଇକୋର୍ଟର ନିର୍ଦ୍ଦେଶ ପାଳନ ନ କରିବାର ଅଭିଯୋଗରେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ପାଇଁ ଅଡୁଆ ବଢିଲା । ଓଡ଼ିଶା ହାଇକୋର୍ଟ ଜିଲ୍ଲାପାଳଙ୍କୁ ଅଦାଲତ ଅବମାନନା ନୋଟିସ୍ ଜାରି କରିଛନ୍ତି ଏବଂ ତାଙ୍କୁ କାହିଁକି ଦଣ୍ଡିତ କରାଯିବ ନାହିଁ ସେ ସମ୍ପର୍କରେ ୩ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ମାମଲାର ଇତିହାସ ଅନୁଯାୟୀ, ୧୯୮୭ ମସିହାରେ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ପାଇଁ ବିଜ୍ଞପ୍ତି ଜାରି ହୋଇଥିଲେ ହେଁ, ଦୀର୍ଘ ବର୍ଷଧରି ଜମି ଅଧିଗ୍ରହଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇନାହିଁ । ଏଥିରେ ପ୍ରାୟ ୧୫୦୦ ରୁ ୨୦୦୦ ଚାଷୀଙ୍କ ଜମି ଜଡିତ ରହିଛି, ଯେଉଁମାନେ ୧୯୮୭ ମସିହାରୁ ଜମି କ୍ଷତିପୂରଣ ବିନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଅବସ୍ଥାକୁ ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା ।
ହାଇକୋର୍ଟ ଏହି ମାମଲାରେ ଚୂଡାନ୍ତ ନିଷ୍ପତ୍ତି ନେବାକୁ ଗତ ବର୍ଷ ଡିସେମ୍ବର ମାସ ଯାଏଁ ସମୟ ଦେଇଥିଲେ । ମାତ୍ର, କୋର୍ଟଙ୍କ ଏହି ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ ଏଯାବତ୍ କୌଣସି ଚୁକ୍ତି ନିଷ୍ପତ୍ତି ନ ଆସିବାରୁ କୋର୍ଟ କ୍ଷୁବ୍ଧ ହୋଇ ଅଦାଲତ ଅବମାନନା ନୋଟିସ୍ ଜାରି କରିଛନ୍ତି ।
ଆବେଦନକାରୀ ଓକିଲ ରଞ୍ଜନ କୁମାର ରାଉତ କହିଛନ୍ତି ଯେ, ଆଜି ପର୍ଯ୍ୟନ୍ତ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ ଏବଂ ଜିଲ୍ଲାପାଳଙ୍କ ପକ୍ଷରୁ କେବଳ ଯୁକ୍ତି ଉପସ୍ଥାପନା କରାଯାଇଥିଲା । ହାଇକୋର୍ଟ ଏହି ଅବସ୍ଥା ଉପରେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି ।
ମାମଲାର ପରବର୍ତ୍ତୀ ଶୁଣାଣି ନିମନ୍ତେ ଆସନ୍ତା ୨୦ ଫେବୃଆରୀ ତାରିଖ ଧାର୍ଯ୍ୟ କରାଯାଇଛି । ଏହି ମୁହୂର୍ତ୍ତରେ, ଜିଲ୍ଲାପାଳଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ନିର୍ଦ୍ଧାରିତ ସମୟସୀମାରେ ଜବାବ ଦାଖଲ କରିବାକୁ ହେବ ।
