FeaturedLatestNews

ଦୁଇ ଯାତ୍ରୀବାହୀ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ୩୦ରୁ ଅଧିକ ଆହତ

ବାଲେଶ୍ବର (ସଂକେତ ଟିଭି): ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଖନ୍ତାପଡ଼ା ବଜାର ନିକଟରେ ରବିବାର ଦିନ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦୁଇଟି ଯାତ୍ରୀବାହୀ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଉଭୟ ବସ୍ରେ ଥିବା ପ୍ରାୟ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ପ୍ରାୟ ୧୧ଟା ୪୫ ମିନିଟ୍ ସମୟରେ କୁପାରୀରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ‘ଆଶୀର୍ବାଦ’ ନାମକ ଯାତ୍ରୀବାହୀ ବସ୍ଟି ଖନ୍ତାପଡ଼ାରେ ଛିଡ଼ା ହୋଇଥିଲା। ଯାତ୍ରୀମାନେ ଓହ୍ଲାଉଥିବା ବେଳେ ପଛପଟୁ ପୁରୀରୁ ରାଞ୍ଚି ଯାଉଥିବା ଅନ୍ୟ ଏକ ଯାତ୍ରୀବାହୀ ବସ୍ (ପାନୀକୋଚ) ଏହାକୁ ଜୋରଦାର ଧକ୍କା ଦେଇଥିଲା। ଏହି ଧକ୍କାରେ ଉଭୟ ବସ୍ରେ ଥିବା ଅନେକ ଯାତ୍ରୀ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ।

ଦୁର୍ଘଟଣା ଖବର ପାଇବା ମାତ୍ରେ ଖନ୍ତାପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଡାକି ଗୁରୁତର ଆହତମାନଙ୍କୁ ପ୍ରଥମେ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଘଟଣାସ୍ଥଳରେ ବାଲେଶ୍ୱର ଅଗ୍ନିଶମ ବାହିନୀ ମଧ୍ୟ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ।

ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ସେଠାକାର ଡାକ୍ତରଙ୍କ ପରାମର୍ଶକ୍ରମେ ସମସ୍ତ ଆହତଙ୍କୁ ଅଧିକ ଚିକିତ୍ସା ନିମନ୍ତେ ବାଲେଶ୍ୱର ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଦୁର୍ଘଟଣାଗ୍ରସ୍ତ ବସ୍ ଦୁଇଟିକୁ ଜବତ କରାଯାଇଛି।