ଭଉଣୀଙ୍କ କଙ୍କାଳକୁ ବ୍ୟାଙ୍କକୁ ନେଇଯିବା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲା କଂଗ୍ରେସ
ଭୁବନେଶ୍ୱର (ସଂକେତ ଟିଭି): କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକର ଜିତୁ ମୁଣ୍ଡା ନିଜ ମୃତ ଭଉଣୀଙ୍କ କଙ୍କାଳକୁ ବ୍ୟାଙ୍କକୁ ନେଇଯିବା ଘଟଣାକୁ ନେଇ କଂଗ୍ରେସ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଟାର୍ଗେଟ କରିଛି । ଭୁବନେଶ୍ୱର କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ କହିଛି ଯେ, ୨୦୧୬ରେ ଦାନ ମାଝିଙ୍କ ଘଟଣା ପରେ ଏବେ ୨୦୨୬ରେ ଏପରି ଘଟଣା ଅତ୍ୟନ୍ତ ଦୁଃଖଦ ଓ ଲଜ୍ଜାଜନକ। ଜନଜାତି ସମୁଦାୟଙ୍କ ସହ ଏପରି ଅମାନବିକ ପରିସ୍ଥିତି ସୃଷ୍ଟି ହେବାରୁ ଓଡ଼ିଶା ସାରା ବିଶ୍ୱରେ ନିନ୍ଦାର ପାତ୍ର ହେଉଛି ବୋଲି ଦଳ ଅଭିଯୋଗ କରିଛି। ଏଥିପାଇଁ ଦାୟୀ କିଏ, ସେ ନେଇ ସରକାରକୁ ପ୍ରଶ୍ନ କରିଛି କଂଗ୍ରେସ।
କଂଗ୍ରେସ ମୁଖପାତ୍ର ସୋନାଲି ସାହୁ କହିଛନ୍ତି, ‘ସରକାର ସିଙ୍ଗଲ ଉଇଣ୍ଡୋ ମାଧ୍ୟମରେ ଜନ୍ମ-ମୃତ୍ୟୁ ପଞ୍ଜିକରଣ ସୁବିଧା ଦେବାକୁ କହୁଥିବା ସତ୍ତ୍ୱେ ଜିତୁ ମୁଣ୍ଡାଙ୍କୁ ତାଙ୍କ ଭଉଣୀଙ୍କ ମୃତ୍ୟୁ ପ୍ରମାଣପତ୍ର ପାଇବାରେ ଏତେ ବିଳମ୍ବ କାହିଁକି ହେଲା। ଘଟଣା ପ୍ରକାଶ ପାଇବା ପରେ ସମସ୍ୟାର ସମାଧାନ ହେଉଛି, କିନ୍ତୁ ପୂର୍ବରୁ କାହିଁକି ହେଉନଥିଲା’ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ସେହିପରି କଂଗ୍ରେସ ମୁଖପାତ୍ର ମନୀଷା ଦାସ ପଟ୍ଟନାୟକ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଏପରି ଘଟଣା ଘଟିବା ଦୁର୍ଭାଗ୍ୟଜନକ। ମଧୁବାବୁଙ୍କ ଜନ୍ମଜୟନ୍ତୀ ଦିନ ଏପରି ଘଟଣା ଓଡ଼ିଶାର ମର୍ଯ୍ୟାଦାକୁ ହାନି କରିଛି। ପ୍ରଥମ ଦିନରୁ ସରକାର ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ କାହିଁକି ସତର୍କ କରିନଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ବ୍ୟାଙ୍କ ଅଧିକାରୀମାନେ ମାନବିକତା ଭୁଲିଯାଇଥିବା ଅଭିଯୋଗ ମଧ୍ୟ ସେ ଉଠାଇଛନ୍ତି। ମୁଖ୍ୟମନ୍ତ୍ରୀ ଏନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ପ୍ରତିକ୍ରିୟା ଦେଇ ନ ଥିବାରୁ ସେ କ୍ଷମା ପ୍ରାର୍ଥନା କରନ୍ତୁ’ ବୋଲି ସେ ଦାବି କରିଛନ୍ତି।
ଅନ୍ୟପଟେ, ଘଟଣାଟି ମୋହନ ଚରଣ ମାଝୀଙ୍କ ନଜରକୁ ଆସିବା ପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପରେ ଜିତୁ ମୁଣ୍ଡାଙ୍କ ସମସ୍ୟାର ସମାଧାନ ହୋଇଛି। ଜିଲ୍ଲା ରେଡକ୍ରସ୍ ପାଣ୍ଠିରୁ ତାଙ୍କୁ ୩୦ ହଜାର ଟଙ୍କା ସହାୟତା ଦିଆଯାଇଥିବା ସହ ମୃତ୍ୟୁ ପ୍ରମାଣପତ୍ର ଓ ଉତ୍ତରାଧିକାରୀ ପ୍ରମାଣପତ୍ର ତୁରନ୍ତ ଯୋଗାଇ ଦିଆଯାଇଛି। ଏଥିସହ ଭଉଣୀଙ୍କ ଖାତାରେ ଥିବା ୧୯,୩୦୦ ଟଙ୍କା ମଧ୍ୟ ତାଙ୍କୁ ହସ୍ତାନ୍ତର କରାଯାଇଛି। ଏପରି ଘଟଣାର ପୁନରାବୃତ୍ତି ନ ହେବା ପାଇଁ ମୁଖ୍ୟମନ୍ତ୍ରୀ ଆରଡିସି ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତରାଞ୍ଚଳ ଆରଡିସି ଏହାର ତଦନ୍ତ ଆରମ୍ଭ କରିବେ ବୋଲି ସୂଚନା ମିଳିଛି।
ତଥାପି, ଘଟଣା ଘଟିବାର ୨୪ ଘଣ୍ଟା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ନ ଆସିବାରୁ ବିରୋଧୀ ଦଳ ସରକାରକୁ ଟାର୍ଗେଟ କରିଛି। ଏହି ଘଟଣା ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିବା ବେଳେ ଏହାକୁ ନେଇ ରାଜ୍ୟର ରାଜନୀତି ଆହୁରି ଗରମ ହେବାର ସମ୍ଭାବନା ରହିଛି।
