FeaturedHealthLatestNews

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା ପରେ, ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ଗତ ୧ ତାରିଖ (ଜାତୀୟ ଡାକ୍ତର ଦିବସ)ରୁ ଆରମ୍ଭ ହୋଇଥିବା ଡାକ୍ତରଙ୍କ ଆନ୍ଦୋଳନ ଆଜି ସ୍ଥଗିତ ହୋଇଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ମେଡ଼ିକାଲ ସର୍ଭିସେସ୍ ଆସୋସିଏସନ୍ (OMSA) ପ୍ରତିନିଧିଙ୍କ ସହ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି।

ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ OMSAର ସାଧାରଣ ସମ୍ପାଦକ ଓ ସଭାପତି ଉପସ୍ଥିତ ରହି ଡାକ୍ତରମାନଙ୍କର ୧୦ ଦଫା ଦାବି ନେଇ ଆଲୋଚନା କରିଥିଲେ। ବୈଠକ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମହାଲିଙ୍ଗ ସୂଚନା ଦେଇଛନ୍ତି ଯେ, ଡାକ୍ତର ସଂଘ ସହିତ ଅତ୍ୟନ୍ତ ରଚନାତ୍ମକ ଆଲୋଚନା ହୋଇଛି ଏବଂ OMSA ପକ୍ଷରୁ ଆନ୍ଦୋଳନ ସ୍ଥଗିତ ରଖିବାକୁ ସମ୍ମତି ଦିଆଯାଇଛି।

ଡାକ୍ତରଙ୍କ ସମସ୍ୟାର ସମାଧାନ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏହି କମିଟିରେ ମୁଖ୍ୟ ଶାସନ ସଚିବ (ଜିଏ), ଆଇନ ସଚିବ, ସ୍ୱାସ୍ଥ୍ୟ ସଚିବ ଓ ଅର୍ଥ ସଚିବଙ୍କୁ ସାମିଲ କରାଯାଇଛି। କମିଟିର ଅଧ୍ୟକ୍ଷତା ଅର୍ଥ ସଚିବ କରିବେ। ଆସନ୍ତା ୨୨ ତାରିଖରେ ଏହି କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହେବ ଏବଂ ସେଥିରେ କିପରି ଦାବିଗୁଡ଼ିକୁ କାର୍ଯ୍ୟକାରୀ କରାଯିବ, ସେନେଇ ବିସ୍ତୃତ ଆଲୋଚନା ହେବ।

ସ୍ୱାସ୍ଥ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ବୁଝାମଣା ପରେ ଓଡ଼ିଶାରେ ସ୍ୱାସ୍ଥ୍ୟସେବା ଉପରେ କୌଣସି ପ୍ରତିକୂଳ ପ୍ରଭାବ ପଡ଼ିବ ନାହିଁ। ସେ ଆଶା ପ୍ରକାଶ କରିଛନ୍ତି ଯେ, ଆଗାମୀ ଦିନରେ ସମସ୍ତ ସମସ୍ୟାର ସମାଧାନ ହୋଇପାରିବ।

ଓମସା ସଭାପତି ଡାକ୍ତର କିଶୋର ମିଶ୍ର ଏହି ନିଷ୍ପତ୍ତିକୁ ସ୍ୱାଗତ କରି କହିଛନ୍ତି ଯେ, “ଆନ୍ଦୋଳନ ସ୍ଥଗିତ ରହିଲା। ଆମେ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବା ଯୋଗାଇବୁ। ଆଶା କରୁଛୁ, କମିଟିରେ ସମସ୍ତ ଦାବି ଉପରେ ଗମ୍ଭୀର ଆଲୋଚନା ହେବ।” ସେ ନିଶ୍ଚିତ କରାଇଛନ୍ତି ଯେ, ଆଜିଠାରୁ ସମସ୍ତ ଆନ୍ଦୋଳନକାରୀ ଡାକ୍ତର ସେମାନଙ୍କର ନିୟମିତ କାର୍ଯ୍ୟରେ ଯୋଗ ଦେବେ।

Leave a Reply

Your email address will not be published. Required fields are marked *