ସାଇବର ଠକେଇ ମାମଲା ପାଇଁ ଇ-ଜିରୋ ଏଫଆଇଆର୍ ବ୍ୟବସ୍ଥା ଲାଗୁ
କଟକ(ସଂକେତ ଟିଭି): ଓଡ଼ିଶା ପୋଲିସ ଆଜି ଏକ ଐତିହାସିକ ପଦକ୍ଷେପ ନେଇ ‘ଇ-ଜିରୋ ଏଫ୍ଆଇଆର୍ (e-Zero FIR)’ ବ୍ୟବସ୍ଥା ଲାଗୁ କରିଛି। ସାଇବର ଆର୍ଥିକ ଠକେଇ ମାମଲାର ଶୀଘ୍ର ପଞ୍ଜୀକରଣ, ଦ୍ରୁତ ତଦନ୍ତ ଏବଂ ପୀଡ଼ିତଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ ଉଦ୍ଦେଶ୍ୟରେ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ (ଡିଜିପି) ଯୋଗେଶ ବାହାଦୁର ଖୁରାନିଆ ଏହି ବ୍ୟବସ୍ଥାର ଉଦ୍ଘାଟନ କରିଥିଲେ।
ସାଇବର ଆର୍ଥିକ ଠକେଇ ଘଟଣା ବଢ଼ୁଥିବାରୁ ଅଭିଯୋଗ ପଞ୍ଜୀକରଣକୁ ଅଧିକ ଦ୍ରୁତ, ସରଳ ଓ ପ୍ରଭାବଶାଳୀ କରିବା ସହ ଠକେଇ ହୋଇଥିବା ଅର୍ଥ ଉଦ୍ଧାରର ସମ୍ଭାବନା ବଢ଼ାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହା ନାଗରିକଙ୍କୁ ଅଧିକ ସ୍ୱଚ୍ଛ, ଦକ୍ଷ ଓ ଜନକଲ୍ୟାଣମୂଳକ ପୋଲିସ ସେବା ପ୍ରଦାନ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଡିଜିପି ଶ୍ରୀ ଖୁରାନିଆ କହିଛନ୍ତି।
ଏହି ନୂତନ ବ୍ୟବସ୍ଥାରେ ରାଜ୍ୟ ଅପରାଧ ଅଭିଲେଖ ବ୍ୟୁରୋ (SCRB) ଜାତୀୟ ସାଇବର ହେଲ୍ପଲାଇନ୍ ୧୯୩୦କୁ CCTNS (Crime and Criminal Tracking Network & Systems) ସହ ସମନ୍ୱୟ କରିଛି। ବ୍ୟବସ୍ଥା ଅନୁଯାୟୀ, ୧୦ ଲକ୍ଷ ଟଙ୍କା କିମ୍ବା ତା’ଠାରୁ ଅଧିକ ପରିମାଣର ସାଇବର ଆର୍ଥିକ ଠକେଇ ସମ୍ବନ୍ଧୀୟ ଅଭିଯୋଗ ୧୯୩୦ରେ ପଞ୍ଜୀକୃତ ହେଲେ, CCTNSରେ ସ୍ୱୟଂଚାଳିତ ଭାବେ e-Zero FIR ଅନୁରୋଧ ସୃଷ୍ଟି ହେବ ଏବଂ ତାହା ଅପରାଧ ଶାଖାର ସାଇବର ପୋଲିସ ଷ୍ଟେସନ୍କୁ ପଠାଯିବ।
ପ୍ରାଥମିକ ଯାଞ୍ଚ ପରେ ସାଇବର ପୋଲିସ ଷ୍ଟେସନ୍ ନିୟମିତ ଏଫ୍ଆଇଆର୍ ପଞ୍ଜୀକରଣ କରି ତଦନ୍ତ ଆରମ୍ଭ କରିପାରିବ। ପ୍ରୟୋଜନ ଅନୁଯାୟୀ, ମାମଲାକୁ ସମ୍ପୃକ୍ତ ଥାନାକୁ ସ୍ଥାନାନ୍ତର, ଜିରୋ ଏଫ୍ଆଇଆର୍ ଭାବେ ପଞ୍ଜୀକରଣ, ପୂର୍ବରୁ ଥିବା ମାମଲା ସହ ସଂଯୋଗ କିମ୍ବା ନିର୍ଦ୍ଧାରିତ ମାନଦଣ୍ଡ ପୂରଣ ନ କରୁଥିବା ଅଭିଯୋଗକୁ ବନ୍ଦ କରାଯାଇପାରିବ ବୋଲି ଡିଜିପି ସ୍ପଷ୍ଟ କରିଛନ୍ତି।
ଏହି ବ୍ୟବସ୍ଥା ମାଧ୍ୟମରେ ମାମଲା ପଞ୍ଜୀକରଣ ଓ ସୂଚନା ଆଦାନ-ପ୍ରଦାନ ଅଧିକ ଦ୍ରୁତ ଏବଂ ସୁବ୍ୟବସ୍ଥିତ ହେବ। ଅଭିଯୋଗକାରୀମାନେ ନିଜ ମାମଲାର ଅଗ୍ରଗତି ସମ୍ପର୍କରେ ସହଜରେ ସୂଚନା ପାଇପାରିବେ। ସାଧାରଣତଃ କୌଣସି ଅପରାଧର FIR ସେହି ପୋଲିସ ଥାନାରେ ରୁଜୁ ହୁଏ, କିନ୍ତୁ ସାଇବର ଅପରାଧ କ୍ଷେତ୍ରରେ ଏହି ନିୟମ ପୀଡ଼ିତଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରୁଥିଲା। ସ୍ଥାନୀୟ ପୋଲିସ ଅନେକ ସମୟରେ ଅଧିକାର କ୍ଷେତ୍ର କିମ୍ବା ବୈଷୟିକ କାରଣ ଦର୍ଶାଇ ଅଭିଯୋଗ ପଞ୍ଜୀକରଣରେ ବିଳମ୍ବ କରୁଥିଲେ।
ଏହି ସମସ୍ୟାର ସମାଧାନ ପାଇଁ ‘ଜିରୋ FIR’ ଧାରଣାକୁ ସମ୍ପୂର୍ଣ୍ଣ ଡିଜିଟାଲ ରୂପ ଦିଆଯାଇଛି। ଏବେ କୌଣସି ପୀଡ଼ିତ ବ୍ୟକ୍ତି ଥାନାକୁ ନଯାଇ ଘରେ ବସି ଅନଲାଇନରେ ଅଭିଯୋଗ ଦାଖଲ କରିପାରିବେ। ଏହି ବ୍ୟବସ୍ଥାରେ ଭୌଗୋଳିକ ସୀମାର କୌଣସି ବାଧ୍ୟବାଧକତା ରହିବ ନାହିଁ। ଯଦି କୌଣସି ନାଗରିକଙ୍କ ସହ ୧୦ ଲକ୍ଷ ଟଙ୍କା କିମ୍ବା ତା’ଠାରୁ ଅଧିକ ଆର୍ଥିକ ଠକେଇ ହୁଏ, ତେବେ National Cyber Crime Reporting Portal (NCRP) କିମ୍ବା ଜାତୀୟ ହେଲ୍ପଲାଇନ୍ ୧୯୩୦ରେ ଅଭିଯୋଗ ପଞ୍ଜୀକରଣ ହେବା ମାତ୍ରେ ସିଷ୍ଟମ୍ ସ୍ୱୟଂଚାଳିତ ଭାବେ ଏହାକୁ E-Zero FIRରେ ପରିଣତ କରିଦେବ।
ଏହି ଅବସରରେ ଡିଜିପି ଶ୍ରୀ ଖୁରାନିଆ କହିଛନ୍ତି, “ସାଇବର ଅପରାଧର ମୁକାବିଲା ପାଇଁ ଆଧୁନିକ ପ୍ରଯୁକ୍ତିର ସର୍ବାଧିକ ବ୍ୟବହାର କରି ନାଗରିକଙ୍କୁ ତ୍ୱରିତ, ସ୍ୱଚ୍ଛ ଓ ଜନକଲ୍ୟାଣମୂଳକ ପୋଲିସ ସେବା ପ୍ରଦାନ କରିବାକୁ ଓଡ଼ିଶା ପୋଲିସ ପ୍ରତିବଦ୍ଧ।” ସାଇବର ଆର୍ଥିକ ଠକେଇର ଶିକାର ହେଲେ ବିଳମ୍ବ ନ କରି ତୁରନ୍ତ ୧୯୩୦ରେ ଅଭିଯୋଗ କରିବାକୁ ସେ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି। ଶୀଘ୍ର ଅଭିଯୋଗ କଲେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇପାରିବ ଏବଂ ଠକେଇ ହୋଇଥିବା ଅର୍ଥ ଫେରିପାଇବାର ସମ୍ଭାବନା ମଧ୍ୟ ବଢ଼ିବ।
ଡିଜିପି ଏହି ବ୍ୟବସ୍ଥାର ସଫଳ କାର୍ଯ୍ୟକାରିତା ପାଇଁ ରାଜ୍ୟ ଅପରାଧ ଅଭିଲେଖ ବ୍ୟୁରୋ, ଅପରାଧ ଶାଖା ଓ ସମ୍ପୃକ୍ତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ। ‘ଇ-ଜିରୋ ଏଫ୍ଆଇଆର୍’ ବ୍ୟବସ୍ଥା ଓଡ଼ିଶା ପୋଲିସର ପ୍ରଯୁକ୍ତି ନିର୍ଭର, ଆଧୁନିକ ଓ ଦକ୍ଷ ପୋଲିସିଂ ବ୍ୟବସ୍ଥା ଗଠନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ସାଇବର ଅପରାଧର ମୁକାବିଲା ସହ ପୀଡ଼ିତଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନରେ ସହାୟକ ହେବ ବୋଲି ଡିଜିପି ଗଣମାଧ୍ୟମକୁ କହିଛନ୍ତି।
