FeaturedLatestNewsPolitics

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଦେଶର ଯୁବପିଢ଼ିଙ୍କୁ ପ୍ରଶଂସା କଲେ ନବୀନ

ଭୁବନେଶ୍ୱର (ସଂକେତ ଟିଭି): ଜାତୀୟ ସ୍ତରରେ ପରୀକ୍ଷା ଅନିୟମିତତା ଏବଂ ବିଶେଷକରି NEET ପ୍ରଶ୍ନପତ୍ର ଲିକ୍ ବିବାଦକୁ କେନ୍ଦ୍ର କରି ଚାଲିଥିବା ଚର୍ଚ୍ଚା ମଧ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ସେ ନିଜ ଇସ୍ତଫା ସମ୍ପର୍କରେ ସୂଚନା ଦେଇଛନ୍ତି। ଏହାପରେ ଓଡ଼ିଶାର ରାଜନୈତିକ ମହଳରେ ବିଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସୋସିଆଲ ମିଡିଆ ‘X’ରେ ପ୍ରତିକ୍ରିୟା ଜଣାଇଛନ୍ତି। ସେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ଦେଶର ଯୁବପିଢ଼ି, ବିଶେଷକରି Gen Zଙ୍କ ବିଜୟ ବୋଲି ବର୍ଣ୍ଣନା କରିଛନ୍ତି। “ଭାରତର ଯୁବପିଢ଼ି ବିଶେଷକରି ଜେନ୍-ଜି ପିଢ଼ିର ସମସ୍ତ ଯୁବକ ଓ ଯୁବତୀଙ୍କୁ ଏହି ଐତିହାସିକ ବିଜୟ ପାଇଁ ମୁଁ ହୃଦୟରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି,” ବୋଲି ନବୀନ କହିଛନ୍ତି।

ସଶକ୍ତ ଓ ସୁସ୍ଥ ଗଣତନ୍ତ୍ରର ପ୍ରକୃତ ଶକ୍ତି ହେଉଛି ଜବାବଦେହିତା, ସ୍ୱଚ୍ଛତା ଏବଂ ଜନମତ ପ୍ରତି ସମ୍ବେଦନଶୀଳତା। ଯେକୌଣସି ଗଣତାନ୍ତ୍ରିକ ବ୍ୟବସ୍ଥାରେ ଜନସାଧାରଣଙ୍କ ଇଚ୍ଛା, ଆଶା ଓ ବିଶ୍ୱାସ ସର୍ବୋପରି। ଜନତାଙ୍କ ଇଚ୍ଛାଶକ୍ତିଠୁ କେହି ବଡ଼ ନୁହେଁ। କୌଣସି ପଦ କିମ୍ବା ପ୍ରତିଷ୍ଠା ମଧ୍ୟ ଲୋକଙ୍କ ସ୍ୱରକୁ ଅବହେଳା କରିପାରିବ ନାହିଁ ବୋଲି ନବୀନ ପଟ୍ଟନାୟକ ମତ ଦେଇଛନ୍ତି।

ନବୀନ ଆହୁରି ମଧ୍ୟ କହିଛନ୍ତି, “ଆମ ଦେଶର ପ୍ରତ୍ୟେକ ନାଗରିକଙ୍କ ସ୍ୱର ଗୁରୁତ୍ୱପୂର୍ଣ୍ଣ। ବିଶେଷକରି ଯୁବପିଢ଼ିଙ୍କ ସ୍ୱରକୁ ଶୁଣିବା। ସେମାନଙ୍କ ଆକାଂକ୍ଷାକୁ ସମ୍ମାନ ଦେବା ସମୟର ଆବଶ୍ୟକତା। କାରଣ ସେମାନେ ହିଁ ଆସନ୍ତାକାଲିର ଭାରତର ନିର୍ମାତା। ଦେଶର ପ୍ରଗତି, ନବସୃଜନ ଓ ବିକାଶର ପ୍ରମୁଖ ଶକ୍ତି। ଭାରତର ଭବିଷ୍ୟତ ଆମର ଯୁବପିଢ଼ିଙ୍କ ହାତରେ ସୁରକ୍ଷିତ।”

“ସେମାନଙ୍କ ଉତ୍ସାହ, ସ୍ୱପ୍ନ, ସୃଜନଶୀଳତା ଓ ଦେଶପ୍ରତି ସମର୍ପଣ ଭାରତକୁ ଏକ ନୂତନ ଉଚ୍ଚତାରେ ପହଞ୍ଚାଇବ। ମୁଁ ସମସ୍ତ ଯୁବପିଢ଼ିଙ୍କ ଉଜ୍ଜ୍ୱଳ ଭବିଷ୍ୟତ, ସଫଳତା ଓ ନିରନ୍ତର ଅଗ୍ରଗତି କାମନା କରୁଛି। ସେମାନଙ୍କ ପ୍ରତ୍ୟେକ ପଦକ୍ଷେପ ଭାରତକୁ ଆହୁରି ଶକ୍ତିଶାଳୀ ଓ ସମୃଦ୍ଧ କରୁ, ଏହା ମୋର ଶୁଭେଚ୍ଛା,” ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି।

ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ତାଙ୍କର ଉଚ୍ଚ ନୈତିକ ମୂଲ୍ୟବୋଧର ପରିଚୟ ବୋଲି ବର୍ଣ୍ଣନା କରିଛନ୍ତି। ସୋସିଆଲ ମିଡିଆ ପୋଷ୍ଟରେ ସେ ଲେଖିଛନ୍ତି ଯେ, ବୃହତ୍ତର ସାମାଜିକ ହିତ ଏବଂ ନୈତିକ ମୂଲ୍ୟବୋଧକୁ ପ୍ରାଥମିକତା ଦେଇ ପଦବୀରୁ ଇସ୍ତଫା ଦେବା ପାଇଁ ଧର୍ମେନ୍ଦ୍ର ପ୍ରଧାନ ନେଇଥିବା ନିଷ୍ପତ୍ତି ତାଙ୍କ ଉଚ୍ଚ ନୀତିଆଦର୍ଶର ପରିଚାୟକ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନ ଜାତୀୟ ଶିକ୍ଷା ନୀତି–୨୦୨୦ (NEP 2020) ଭଳି ଐତିହାସିକ ନୀତିକୁ କାର୍ଯ୍ୟକାରୀ କରିବା ସହ ଦେଶର କୋଟି କୋଟି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସୁଦୃଢ଼ କରିବା ପାଇଁ ଶିକ୍ଷା କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆଣିଛନ୍ତି। ନିଜ ବାର୍ତ୍ତାରେ ସେ ଆହୁରି ଲେଖିଛନ୍ତି, “ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଆଗାମୀ ଦିନରେ ତାଙ୍କର ଏହି କର୍ମମୟ ଯାତ୍ରା ଆହୁରି ଅଧିକ ସଫଳତା ଓ ପ୍ରତିଷ୍ଠା ଆଣିଦେବ ବୋଲି ଆମେ ସମସ୍ତେ ଦୃଢ଼ ବିଶ୍ୱାସୀ।”