୧୦୦୦ କୋଟି ଟଙ୍କାର ବନ୍ୟା ସହାୟତା ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାତାର ବନ୍ୟା ଯୋଗୁଁ ହୋଇଥିବା ବ୍ୟାପକ କ୍ଷୟକ୍ଷତି ସମୀକ୍ଷା ପରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ଘୋଷଣା କରିଛନ୍ତି। ବିପର୍ଯ୍ୟୟ ମୁକାବିଲା ଓ କ୍ଷତିଗ୍ରସ୍ତ ଚାଷୀ ଏବଂ ପ୍ରଭାବିତ ଲୋକଙ୍କ ପୁନରୁଦ୍ଧାର ପାଇଁ ସେ ୧୦୦୦ କୋଟି ଟଙ୍କାର ବିଶେଷ ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ କ୍ଷତିପୂରଣ ରାଶି ସମ୍ପର୍କରେ ସ୍ପଷ୍ଟ କରିଛନ୍ତି ଯେ, ଅଣସେଚିତ (ଶୁଖିଲା) ଜମିର ଚାଷ ନଷ୍ଟ ହୋଇଥିଲେ ହେକ୍ଟର ପିଛା ୮୫୦୦ ଟଙ୍କା, ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୭,୦୦୦ ଟଙ୍କା ଏବଂ ୧୨ ମାସୀ ଫସଲ (ବହୁବର୍ଷୀୟ ଫସଲ) ନଷ୍ଟ ହୋଇଥିଲେ ହେକ୍ଟର ପିଛା ୨୨,୫୦୦ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ।
ସମୀକ୍ଷା ବୈଠକ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ବନ୍ୟା ପ୍ରଭାବିତ ଅଞ୍ଚଳର ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛନ୍ତି। ତାଙ୍କ ସୂଚନା ଅନୁସାରେ, ଉତ୍ତର ଓଡ଼ିଶାର ୬ଟି ଜିଲ୍ଲାର ୭୪ଟି ବ୍ଲକ ଏହି ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ମୋଟ ୧,୩୮୧ ଗାଁର ୯ ଲକ୍ଷ ୪୦ ହଜାର ଲୋକ ବନ୍ୟା ଜଳରେ ପୀଡ଼ିତ ହୋଇଛନ୍ତି।
ଯାଜପୁର ଜିଲ୍ଲାର ୧୦ଟି ବ୍ଲକର ୨୭୦ଟି ଗାଁ ଜଳମଗ୍ନ ହୋଇଥିବା ବେଳେ ୨ ଲକ୍ଷ ୮୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଏହି ଜିଲ୍ଲାରେ ୨୦୩ଟି ରିଲିଫ୍ ସେଣ୍ଟର ଖୋଲାଯାଇଛି। ସେହିପରି ଭଦ୍ରକ ଜିଲ୍ଲାର ୪ଟି ବ୍ଲକର ୧୪୯ଟି ଗାଁ ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ସେଠାରେ ୨ ଲକ୍ଷ ୫୯ ହଜାର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି।
ଏହାବ୍ୟତୀତ ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ବନ୍ୟା ପରିସ୍ଥିତି ଜାରି ରହିଛି। ଉଦ୍ଧାର କାର୍ଯ୍ୟ ପାଇଁ ୬ଟି ଜିଲ୍ଲାରେ ୪୫ଟି ଓଡ୍ରାଫ୍ (ODRAF) ଏବଂ ୮ଟି NDRF ଟିମ୍ ମୁତୟନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ‘ଜିରୋ କାଜୁଆଲିଟି’ (କୌଣସି ଜୀବନ ହାନି ନୁହେଁ) ଟାର୍ଗେଟକୁ ନେଇ ସମସ୍ତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଚାଲିଛି। ସାପ କାମୁଡ଼ାରେ ଏପର୍ଯ୍ୟନ୍ତ କାହାର ମୃତ୍ୟୁ ଘଟିନଥିବା ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରେସ୍ ମିଟ୍ରେ ପୁଷ୍ଟି କରିଛନ୍ତି।
