FeaturedLatestNews

ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ଚୟନ ମାମଲା: ୨ ସେପ୍ଟେମ୍ବରକୁ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ(ସଂକେତ ଟିଭି): ଓଡ଼ିଶାର ନୂଆ ଡିଜିପି ଚୟନ ନେଇ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ଶୁଣାଣି ସମୟରେ ଓଡ଼ିଶା ସରକାର ନିଜ ପକ୍ଷ ରଖିଥିଲେ। ସୁପ୍ରିମକୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨ ସେପ୍ଟେମ୍ବର ତାରିଖରେ କରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଡିଜିପି ଚୟନ ପ୍ରକ୍ରିୟାର ବିଭିନ୍ନ ଦିଗ ଉପରେ ନିଜ ଯୁକ୍ତି ପ୍ରଦର୍ଶନ କରିଥିଲେ।

ସୂଚନାଯୋଗ୍ୟ, ୧୯୯୦ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ଓ୍ବାଇ. ବି. ଖୁରାନିଆ ଡିଜିପି ପଦରୁ ଅବସର ନେଇସାରିଥିଲେ ମଧ୍ୟ ଓଡ଼ିଶାକୁ ଏପର୍ଯ୍ୟନ୍ତ ସ୍ଥାୟୀ ଡିଜିପି ମିଳିପାରିନାହାନ୍ତି। ଏହି ପରିପ୍ରେକ୍ଷୀରେ, ୧୯୯୩ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ବିନୟତୋଷ ମିଶ୍ରଙ୍କୁ ରାଜ୍ୟର ପୋଲିସ୍‌ ମୁଖ୍ୟ ଭାବେ ଅତିରିକ୍ତ ଦାଯିତ୍ୱ ଦିଆଯାଇଛି। ଏହି ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାରୁ କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ମଧ୍ୟ ଡିଜିପି ପଦ ପାଇଁ ଚୂଡାନ୍ତ ୩ ନାଁ ଚୟନ ପ୍ରକ୍ରିୟା ବନ୍ଦ ରଖିଛି। ୟୁପିଏସ୍‌ସି ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ହିଁ ଏହି ନାମ ଚୟନ ପାଇଁ ବୈଠକ କରିବ ବୋଲି କୋର୍ଟରେ ଜଣାଇସାରିଛି।

ଗତ ୧୪ ଅଗଷ୍ଟରେ ସୁପ୍ରିମକୋର୍ଟରେ ଶୁଣାଣି ସମୟରେ ଆମିକସ୍‌ କ୍ୟୁରୀ ରାଜୁ ରାମଚନ୍ଦ୍ରନ ଡିଜିପି ଚୟନରେ ଅନିୟମିତତା ହୋଇଛି ବୋଲି ଅଭିଯୋଗ କରି ପିଆଇଏଲ୍‌ ଦାଖଲ କରିଥିବା ଆବେଦନକାରୀଙ୍କୁ ସମର୍ଥନ କରିଥିଲେ। ସେ କହିଥିଲେ ଯେ, ଓଡ଼ିଶା ସରକାର ଡିଜିପି ଚୟନ ସମୟରେ ସୁପ୍ରିମକୋର୍ଟଙ୍କ ୨୦୦୬ ପ୍ରକାଶ ସିଂ ମାମଲାର ରାୟକୁ ଠିକ୍‌ ଭାବେ ଅନୁପାଳନ କରି ନାହାନ୍ତି। ଏହି ଯୁକ୍ତିକୁ ଗୁରୁତ୍ୱ ଦେଇ ସୁପ୍ରିମକୋର୍ଟ ମାମଲାକୁ ଅଧିକ ଗମ୍ଭୀରତାର ସହ ବିଚାର କରିବାକୁ ନେଇ ଆସନ୍ତା ୧୮ ତାରିଖରେ (ଯାହାକି ମଙ୍ଗଳବାର) ପରବର୍ତ୍ତୀ ଶୁଣାଣି କରିବାକୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ।